BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସମୃଦ୍ଧ ଜାତି ଓ ରାଷ୍ଟ୍ର ଗଠନ ପାଇଁ ଯୁବବର୍ଗଙ୍କ ସହଯୋଗ ଅପରିହାର୍ଯ୍ୟ

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମନ୍ତ୍ରୀ ଶ୍ରୀ ସୂରଜ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସ୍ୱାମୀଜୀ ବିଶ୍ୱର ଏପରି ଜଣେ ‘ୟୁଥ୍ ଆଇକନ୍’ ; ଯାହାଙ୍କ ଆଦର୍ଶ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ବିଶେଷ କରି ଚିକାଗୋ ସମ୍ମିଳନୀର ଅତିଥିମାନଙ୍କୁ ତାଙ୍କ “ଭାଇ ଓ ଭଉଣୀ” ସମ୍ବୋଧନ ଯେଉଁ ସାର୍ବଭୌମ ଭ୍ରାତୃତ୍ୱଭାବର ବାର୍ତ୍ତା ଦେଇଥିଲା, ତାହା ଆଜି ବି ଇତିହାସର ଏକ ଗର୍ବିତ ଅଧ୍ୟାୟ ହୋଇ ରହିଛି।

ଯୁବଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ସୂରଜ କହିଥିଲେ ଯେ, ଏକ ସମୃଦ୍ଧ ଜାତି ଓ ରାଷ୍ଟ୍ର ଗଠନ ପାଇଁ ଯୁବବର୍ଗଙ୍କ ସହଯୋଗ ଅପରିହାର୍ଯ୍ୟ। ଜୀବନରେ ସଫଳତା ପାଇବା ପାଇଁ ଶୃଙ୍ଖଳା ଜ୍ଞାନ ଏବଂ ଆତ୍ମଶକ୍ତିର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ। ସ୍ୱାମୀଜୀଙ୍କ ବାଣୀ “ସମସ୍ତ ଶକ୍ତି ତୁମ ଭିତରେ ରହିଛି”କୁ ଉଦ୍ଧୃତ କରି ସେ ଯୁବପିଢ଼ିଙ୍କୁ ନିଜର ଦକ୍ଷତା ଉପରେ ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି କ୍ରୀଡ଼ାବିତ୍‌ମାନେ ଯେତେବେଳେ ପ୍ରତିଯୋଗିତାର ମୈଦାନକୁ ଓହ୍ଲାଉଛନ୍ତି, ସେମାନେ ସ୍ୱାମୀଜୀଙ୍କ କାଳଜୟୀ ଆହ୍ୱାନ “ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟପ୍ରାପ୍ତି ନ ହେବା ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ”କୁ ନିଜ ଜୀବନର ମୂଳମନ୍ତ୍ର କରିବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ପ୍ରକାଶ କରିଥିଲେ।

ରାମକୃଷ୍ଣ ମିଶନର ପ୍ରତିନିଧି ସ୍ୱାମୀ ଆତ୍ମପ୍ରଭାନନ୍ଦ ମହାରାଜ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ବିଚାରଧାରା ଓ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସ୍ୱାମୀଜୀଙ୍କ ଶିକ୍ଷା କୌଣସି ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଚରିତ୍ର ଗଠନ ଓ ଆତ୍ମବିଶ୍ୱାସ ଜାଗ୍ରତ କରିବାର ଏକ ମହାମନ୍ତ୍ର। ଯୁବପିଢ଼ି ସେବା ଓ ତ୍ୟାଗ ମନୋଭାବ ନେଇ କାର୍ଯ୍ୟ କଲେ ହିଁ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ସେ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।

ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ ଯୁବବର୍ଗଙ୍କ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଓ ମାନସିକ ଦୃଢ଼ତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଧୁନିକ ଯୁଗର ପ୍ରତିଯୋଗିତା ମଧ୍ୟରେ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ମାନସିକ ଦୃଢ଼ତା ଓ ସ୍ଥିରତା ହିଁ ଯୁବବର୍ଗଙ୍କୁ ବିଜୟୀ କରାଇଥାଏ। ବାରମ୍ବାର ବିଫଳତା ବା ଅବସାଦକୁ ଭୟ ନକରି, ସେଗୁଡ଼ିକୁ ସଫଳତାର ସିଡ଼ି ଭାବେ ଗ୍ରହଣ କରିବା ଆବଶ୍ୟକ। ନିଜ ଭିତରେ ଥିବା ନକରାତ୍ମକ ଭାବନାକୁ ଦୂର କରି ସକରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଥିଲେ।

କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ମଞ୍ଚାସୀନ ଥିବାବେଳେ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଯୁବପିଢ଼ିଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ବିଭାଗୀୟ ଉପ ଶାସନ ସଚିବ ଶ୍ରୀ ପଦ୍ମଚରଣ ସାହୁ ସମଗ୍ର କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ।

ଏହି ଅବସରରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ), ତମାଣ୍ଡୋ, ସ୍ପୋର୍ଟସ ହଷ୍ଟେଲ ଏବଂ ଏଚ୍‌ପିସିର ପ୍ରତିଭାବାନ୍ ଛାତ୍ରଛାତ୍ରୀମାନେ ନିଜର ଚିତ୍ତାକର୍ଷକ ସାଂସ୍କୃତିକ କଳା ନୈପୁଣ୍ୟ ଏବଂ ଅନନ୍ୟ ପ୍ରଦର୍ଶନ ମାଧ୍ୟମରେ ମହୋତ୍ସବକୁ ସ୍ମରଣୀୟ କରିଥିଲେ l ଶେଷରେ କଳିଙ୍ଗ ଷ୍ଟାଡ଼ିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଏବଂ ହକି ମ୍ୟାଚ୍ ଆୟୋଜିତ ହୋଇଥିଲା।

.