ବିକଶିତ ଓଡ଼ିଶା ଏବଂ ସମୃଦ୍ଧ ଭାରତ ଗଠନ ପାଇଁ ସ୍ୱାମୀଜୀଙ୍କ ଚାରିତ୍ରିକ ମୂଲ୍ୟବୋଧ ହିଁ ଏକମାତ୍ର ଶ୍ରେଷ୍ଠ ମାର୍ଗ
ଉତ୍କଳ ବିଶ୍ବବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ
ଭୁବନେଶ୍ୱର:ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଏକ ଏପରି ଓଡ଼ିଶା ଗଢ଼ିବା ଯେଉଁଠି ପ୍ରତ୍ୟେକ ଯୁବକ ଯୁବତୀ ଆତ୍ମବିଶ୍ୱାସୀ ଏବଂ ସ୍ୱାବଲମ୍ବୀ ହେବେ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆପଣଙ୍କ ସମର୍ପଣ ଓ କଠିନ ପରିଶ୍ରମ ହିଁ ଏହି ସ୍ୱପ୍ନକୁ ସାକାର କରିବ। ଓଡ଼ିଶା ସରକାର ଶିକ୍ଷା, ଦକ୍ଷତା ବିକାଶ ଏବଂ କ୍ରୀଡ଼ା କ୍ଷେତ୍ରରେ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବିଶେଷ କରି ଓଡ଼ିଶା ଦେଶର କ୍ରୀଡ଼ା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଯୁବକମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ପାଉଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ସେବା ଓ ତ୍ୟାଗର ମନ୍ତ୍ରକୁ ପାଥେୟ କରି ଯୁବ ସମାଜ ଦେଶ ଗଠନରେ ନିଜକୁ ନିୟୋଜିତ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ବିକଶିତ ଓଡ଼ିଶା ଏବଂ ସମୃଦ୍ଧ ଭାରତ ଗଠନ ପାଇଁ ସ୍ୱାମୀଜୀଙ୍କ ଚାରିତ୍ରିକ ମୂଲ୍ୟବୋଧ ହିଁ ଏକମାତ୍ର ଶ୍ରେଷ୍ଠ ମାର୍ଗ। ସ୍ୱାମୀ ବିବେକାନନ୍ଦ ଭାରତର ଯୁବ ସମାଜ ପାଇଁ ଅସୀମ ପ୍ରେରଣାର ଉତ୍ସ ଅଟନ୍ତି। ଯୁବବର୍ଗଙ୍କ ପ୍ରତି ତାଙ୍କର ଅତୁଟ ଭରସା ଥିଲା ଏବଂ ସେ ସବୁବେଳେ କହୁଥିଲେ ଯେ, ଯୁବ ସମାଜ ହିଁ ଭାରତର ଭାଗ୍ୟ ପରିବର୍ତ୍ତନ କରିପାରିବ।
ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନଠାରେ ଆୟୋଜିତ ଜାତୀୟ ଯୁବ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସ୍ୱାମୀ ବିବେକାନନ୍ଦଙ୍କ କାଳଜୟୀ ଦର୍ଶନକୁ ଯୁବପିଢ଼ିଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ସ୍ୱାମୀଜୀଙ୍କ ଦୃଷ୍ଟିରେ ଶିକ୍ଷା କେବଳ ତଥ୍ୟ ସଂଗ୍ରହ କିମ୍ବା ପୋଥିଗତ ବିଦ୍ୟା ମଧ୍ୟରେ ସୀମିତ ନଥିଲା, ବରଂ ଏହା ମଣିଷର ଅନ୍ତର୍ନିହିତ ସତ୍ତାର ପରିପ୍ରକାଶ ଏବଂ ଚରିତ୍ର ଗଠନର ଏକ ମାଧ୍ୟମ ଥିଲା। ମୁଖ୍ୟମନ୍ତ୍ରୀ ବ୍ରହ୍ମଚର୍ଯ୍ୟ, ଶୃଙ୍ଖଳା ଏବଂ ଆତ୍ମବିଶ୍ୱାସକୁ ଶିକ୍ଷାର ମୂଳ ଆଧାର ଭାବେ ବର୍ଣ୍ଣନା କରିବା ସହ ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନ ସହିତ ଭାରତୀୟ ବେଦାନ୍ତର ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ମତରେ, ଯୁବଶକ୍ତି ହିଁ ରାଷ୍ଟ୍ରର ପ୍ରକୃତ ସମ୍ପତ୍ତି ଏବଂ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ହିଁ ଭାରତର ଭାଗ୍ୟ ପରିବର୍ତ୍ତନ କରିବାର ସାମର୍ଥ୍ୟ ରଖନ୍ତି।
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ଜାତୀୟ ଯୁବ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲି । ଏହି ଅବସରରେ ପ୍ରତିଭାବାନ ଯୁବବନ୍ଧୁମାନଙ୍କ ସହ ସମୟ ବିତାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ସ୍ୱାମୀ ବିବେକାନନ୍ଦ କହୁଥିଲେ “ଶକ୍ତି ହିଁ ଜୀବନ” ଏବଂ ଆଜିର ଦ୍ରୁତ ପରିବର୍ତ୍ତିତ ବିଶ୍ୱରେ ‘ଦକ୍ଷତା’ ହିଁ ସେହି ଅସୀମ ଶକ୍ତି। ଷ୍ଟାର୍ଟ-ଅପ୍ ଠାରୁ… pic.twitter.com/Y2BmUvej5r
— Mohan Charan Majhi (@MohanMOdisha) January 12, 2026
ସ୍ୱାମୀ ବିବେକାନନ୍ଦ କହୁଥିଲେ “ଶକ୍ତି ହିଁ ଜୀବନ” ଏବଂ ଆଜିର ଦ୍ରୁତ ପରିବର୍ତ୍ତିତ ବିଶ୍ୱରେ ‘ଦକ୍ଷତା’ ହିଁ ସେହି ଅସୀମ ଶକ୍ତି। ଷ୍ଟାର୍ଟ-ଅପ୍ ଠାରୁ ଆରମ୍ଭ କରି ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଆମର ପ୍ରତିଟି ପଦକ୍ଷେପ ଆଜିର ଯୁବବନ୍ଧୁମାନଙ୍କୁ ଦକ୍ଷ ଓ ରୋଜଗାରକ୍ଷମ କରିବା ପାଇଁ ଅଭିପ୍ରେତ। ଶିଳ୍ପ ହେଉ କି ସୂଚନା ପ୍ରଯୁକ୍ତି, ବିଜ୍ଞାନ ହେଉ କି ସାହିତ୍ୟ – ସବୁ କ୍ଷେତ୍ରରେ ଓଡ଼ିଶାକୁ ‘ନମ୍ବର ୱାନ’ କରିବା ପାଇଁ ଆମେ ‘ଉତ୍କର୍ଷ ଓଡ଼ିଶା’ର ପରିକଳ୍ପନା କରିଛୁବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଉଦବୋଧନ ଦେଇ କହିଛନ୍ତି।
ଏଥିସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ କିଭଳି ଏକଜୁଟ ହୋଇ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ସେ ଉପସ୍ଥାପନ କରିଥିଲେ। ବାଣୀବିହାରର ଜଣେ ସହକାରୀ ପ୍ରଫେସର ଗୁରୁତର ଅସୁସ୍ଥ ହୋଇ କୋମାରେ ଥିବା ସମୟରେ, ବିଶ୍ୱବିଦ୍ୟାଳୟ ପରିବାର ପକ୍ଷରୁ ତାଙ୍କୁ ଯେଭଳି ଭାବେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା, ସେ ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇଥିଲେ। ଏହି ମହତ କାର୍ଯ୍ୟ କେବଳ ମାନବିକତାର ପରିଚୟ ଦେଇନାହିଁ, ବରଂ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଏକତା ଓ ସହଭାଗିତାକୁ ଅଧିକ ଦୃଢ଼ କରିଛି। ସଙ୍କଟ ସମୟରେ ସମସ୍ତଙ୍କର ଏହି ମିଳିତ ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ଅନନ୍ୟ ପ୍ରେରଣା ସାଜିଛି।
ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଏକ ଏପରି ଓଡ଼ିଶା ଗଢ଼ିବା ଯେଉଁଠି ପ୍ରତ୍ୟେକ ଯୁବକ ଯୁବତୀ ଆତ୍ମବିଶ୍ୱାସୀ ଏବଂ ସ୍ୱାବଲମ୍ବୀ ହେବେ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆପଣଙ୍କ ସମର୍ପଣ ଓ କଠିନ ପରିଶ୍ରମ ହିଁ ଏହି ସ୍ୱପ୍ନକୁ ସାକାର କରିବ। ସମସ୍ତ… pic.twitter.com/mo7Kvldb9Q
— Mohan Charan Majhi (@MohanMOdisha) January 12, 2026
ଆଧୁନିକ ବିଜ୍ଞାନ ସହ ଆଧ୍ୟାତ୍ମିକତାର ମିଳନ ହିଁ ପ୍ରକୃତ ପ୍ରଗତି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତ୍ୟେକ ବାର୍ତ୍ତା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ। ସ୍ୱାମୀଜୀଙ୍କ ‘ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ଯାଏ ଅଟକ ନାହିଁ’-ଏହି ମନ୍ତ୍ରରେ ଦୀକ୍ଷିତ ହୋଇ ସମାଜର ମୁଖ୍ୟଧାରାରେ ନିଜକୁ ସାମିଲ କରିବା ସହ ଦେଶର ଉନ୍ନତିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୁବବର୍ଗଙ୍କୁ କହିଥିଲେ ଯେ, ସ୍ୱାମୀ ବିବେକାନନ୍ଦ ୧୮୯୩ ମସିହାରେ ଚିକାଗୋଠାରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ନିଜର ଓଜସ୍ୱିନୀ ଭାଷଣ ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ସମଗ୍ର ବିଶ୍ୱକୁ ଚକିତ କରିଥିଲେ। ସେ ‘ମାନବ ସେବା ହିଁ ମାଧବ ସେବା’ ବିଚାରଧାରା ପ୍ରସାର କରିବା ସହ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ଦିଗରେ ଏକ ନୂତନ ବିପ୍ଳବ ସୃଷ୍ଟି କରିଥିଲେ। ଓଡ଼ିଶାର ଯୁବପିଢ଼ି ଆଜି କେବଳ ଶିକ୍ଷା ନୁହେଁ, ବରଂ କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ବିଶ୍ୱସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି। ଯୁବଶକ୍ତି ଯଦି ଶାରୀରିକ ଭାବେ ସୁସ୍ଥ ଏବଂ ମାନସିକ ଭାବେ ଦୃଢ଼ ରୁହନ୍ତି, ତେବେ ଏକ ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ଖୁବ୍ ଶୀଘ୍ର ସାକାର ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ସମ୍ପର୍କରେ କହିଥିଲେ ଯେ, ସ୍ୱାମୀଜୀ ଥିଲେ ଭାରତୀୟ ନବଜାଗରଣର ଜଣେ ମହାନ ପୁରୋଧା, ଯାହାଙ୍କ ବାର୍ତ୍ତା ଯୁଗେ ଯୁଗେ ଯୁବ ସମାଜକୁ ପଥ ପ୍ରଦର୍ଶନ କରିବ। ସ୍ୱାମୀଜୀ କେବଳ ଭାରତର ଆଧ୍ୟାତ୍ମିକ ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିନଥିଲେ, ବରଂ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆହ୍ୱାନ ଦେଇଥିଲେ।
ଜାତୀୟ ଯୁବ ଦିବସ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କ୍ରୀଡ଼ା ନିର୍ଦ୍ଦେଶକ ଡା.ୟେଦୁଲ୍ଲା ବିଜୟ ମଞ୍ଚାସୀନ ଥିଲେ। ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ସ୍ବାଗତ ଅଭିଭାଷଣ ରଖିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ରାଜ୍ୟବ୍ୟାପୀ ଅନୁଷ୍ଠିତ ଏକତା ପଦଯାତ୍ରା ତଥ୍ୟ ସମ୍ବଳିତ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା ଏବଂ ଉଦୀୟମାନ ଯୁବ କ୍ରୀଡ଼ାବିତ୍ ଜ୍ୟୋତ୍ସ୍ନା ସବର, ତନଭି ପତ୍ରି ଏବଂ ପ୍ରତୀକ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।