ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର କୀର୍ତ୍ତି ଓ କୃତି ଦ୍ଵାରା ଅନୁପ୍ରାଣିତ ହୋଇ ଶୃଙ୍ଖଳା, ଦଳଗତ ଉଦ୍ୟମ, ସାହସ ଓ ନମ୍ରତାର ମୂଲ୍ୟବୋଧକୁ ପାଥେୟ କରି ଓଡ଼ିଶା ଏବଂ ଭାରତକୁ ବିଶ୍ୱପାଇଁ କ୍ରୀଡା ଉତ୍କର୍ଷତାର ଉଜ୍ଜ୍ବଳ ବତୀଘର କରିବା ନିମନ୍ତେ ପ୍ରୟାସ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ ଯେଉଁ ପିଲାମାନେ କ୍ରୀଡା କ୍ଷେତ୍ରକୁ ଆସୁଛନ୍ତି ସେମାନଙ୍କ ଠାରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ସମ୍ଭାବନାକୁ ପୋଷଣ କରି ସେମାନଙ୍କୁ ଉତ୍କର୍ଷତା ପ୍ରତିପାଦନ ଦିଗରେ ଉତ୍ସାହିତ କରିବା ଆମର କର୍ତ୍ତବ୍ୟ ହେବା ଉଚିତ।
ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନରେ ସମ୍ମାନିତ କୃତୀ କ୍ରୀଡାବିତଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଛନ୍ତି ଯେ ସେମାନଙ୍କ ସଫଳତା କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ ବରଂ ଆମ ରାଜ୍ୟ ଓ ଦେଶ ପାଇଁ ଏକ ସାମୁହିକ ଗର୍ବ। ସେମାନେ ଓଡ଼ିଶାର କ୍ରୀଡା ମନୋଭାବର ମଶାଲ ବାହକ ଏବଂ ଆଗାମୀ ପିଢ଼ି ପାଇଁ ଆଦର୍ଶ ।
ସେହିପରି ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ସାହସ ଏବଂ ନିଃସ୍ଵାର୍ଥପର କାର୍ଯ୍ୟ ଓଡ଼ିଶାର ପ୍ରକୃତ ଆତ୍ମାକୁ ପ୍ରତିଫଳିତ କରେ ଏବଂ ନିର୍ଭୀକତା ଏବଂ ମାନବତାର ସହିତ ସେବା କରିବା ପାଇଁ ଅଗଣିତ ଯୁବ ହୃଦୟକୁ ପ୍ରେରାଣା ଦେଇ ଚାଲିବ ବୋଲି ରାଜ୍ୟପାଳ କହିଥିଲେ।
ଏହି ଅବସରରେ ହକି ଯାଦୁକର ମେଜର ଧ୍ୟାନଚାନଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ରାଜ୍ୟପାଳ କହିଥିଲେ ଯେ ତାଙ୍କ ଜୀବନ ଓ ଜୟନ୍ତୀ ଆମକୁ ମନେ ପକେଇ ଦିଏ ଯେ, କ୍ରୀଡ଼ା କେବଳ ଶକ୍ତି କିମ୍ବା ଦକ୍ଷତାର ପ୍ରତିଯୋଗିତା ନୁହେଁ, ବରଂ ଶୃଙ୍ଖଳା, ଦୃଢ଼ ନିଷ୍ପତ୍ତି ଏବଂ ଅଦମ୍ୟ କ୍ରୀଡା ଭାବନାର ଉତ୍ସବ। କ୍ରୀଡାକୁ ଗ୍ରହଣ କରୁଥିବା ସମାଜ କେବଳ ସୁସ୍ଥ ନାଗରିକଙ୍କୁ ପୋଷଣ କରେନାହିଁ ବରଂ ସାମୁହିକ ଭାବନାକୁ ପ୍ରୋତ୍ସାହିତ କରେ ଏବଂ ଶକ୍ତିଶାଳୀ ଗୋଷ୍ଠୀ ନିର୍ମାଣରେ ସହାୟକ ହୁଏ।
ଦଶନ୍ଧି ଧରି ଓଡ଼ିଶା କ୍ରୀଡା ଉତ୍କର୍ଷତା ପାଇଁ ହବ୍ ହୋଇ ରହିଛି। ବିଭିନ୍ନ ପ୍ରକାର ଜାତୀୟ ଏବଂ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରି ସାରା ବିଶ୍ବରେ ନିଜର ଛାପ ଛାଡ଼ିଛି। ସାରା ବିଶ୍ୱର ଖେଳାଳୀମାନଙ୍କୁ ଏକତ୍ରିତ କରି ଆମର ଯୁବପିଢିଙ୍କୁ ଅଧିକ ସଫଳତା ହାସଲ କରିବାକୁ ପ୍ରେରଣା ଯୋଗାଉଛି। କ୍ରୀଡା କ୍ଷେତ୍ରରେ ଏପରି ପରିବର୍ତ୍ତନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ଵ ଏବଂ ଓଡ଼ିଶା ସରକାରଙ୍କ ସକ୍ରିୟ ପ୍ରୟାସ ଦ୍ବାରା ପରିଚାଳିତ ହୋଇଛି।
ତୃଣମୂଳ ସ୍ତରରୁ କ୍ରୀଡା ଓ ତାଲିମଙ୍କୁ ପ୍ରୋତ୍ସାହନ ଭଳି ପଦକ୍ଷେପ କ୍ରୀଡାକୁ ଏକ ବୃତ୍ତି ଏବଂ ଜୀବନ ଶୈଳୀ ଭାବରେ ଏକ ସମୃଦ୍ଧ ଇକୋସିଷ୍ଟମ୍ ସୃଷ୍ଟି କରିବାରେ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟପାଳ କହିଛନ୍ତି।
ଏହି ସମାରୋହରେ କ୍ରୀଡା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଏକାମ୍ର – ଭୁବନେଶ୍ଵର ବିଧାୟକ ଶ୍ରୀ ବାବୁ ସିଂହ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନକରି ଓଡ଼ିଶାରେ କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ସରକାରଙ୍କ ତରଫରୁ ନିଆ ଯାଉଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ସଫଳତାରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଭୁବନେଶ୍ବର ଜୟଦେବ ଭବନଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମାନନୀୟ ରାଜ୍ୟପାଳ ଶ୍ରୀ @DrHariBabuK ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ାବିତ, କ୍ରୀଡ଼ା ପ୍ରଶିକ୍ଷକ, କ୍ରୀଡ଼ା ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏହାସହ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ… pic.twitter.com/R1QeAWTO39
— Suryabanshi Suraj (@suryabanshibjp) August 29, 2025
ଏତଦ୍ ବ୍ୟତୀତ ଓଡ଼ିଶା କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ଇଭେଣ୍ଟ ଆୟୋଜନ କରି ସୁନାମ ଅର୍ଜନ କରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଏଦୁଲା ବିଜୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଅବସରରେ ୮ ଜଣ କୃତୀ କ୍ରୀଡାବିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ, ଅସାଧାରଣ ସାହସିକତା ପ୍ରଦର୍ଶନ ପାଇଁ ଦୁଇ ଜଣକୁ ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା।
- ଶ୍ରୀ ବିଜୟ କୁମାର ଶତପଥୀ : କ୍ରୀଡ଼ା ଓ କ୍ରୀଡ଼ାର ପ୍ରୋତ୍ସାହନ ନିମନ୍ତେ ଜୀବନବ୍ୟାପୀ ସାଧନା
ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର - ଶ୍ରୀ ଅନିମେଶ କୁଜୁର କ୍ରୀଡ଼ାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
- ଶ୍ରୀମତୀ ସୁଷମା ନନ୍ଦ ଭଲିବଲ୍ ପ୍ରଶିକ୍ଷଣରେ ଉତ୍କର୍ଷତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
- ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର କ୍ରୀଡ଼ାର ପ୍ରୋତ୍ସାହନ ନିମନ୍ତେ ସର୍ବୋତ୍ତମ ଅବଦାନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
- ଶ୍ରୀ ରାଖଲ କୁମାର ସେଠି ସର୍ବଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
- କୁମାର ସାତ୍ତ୍ୱିକ ସ୍ୱାଇଁ ଉଦୀୟମାନ କ୍ରୀଡ଼ାବିତ୍(କନିଷ୍ଠ) ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
- ବିମଳ କୁମାର ରାଉଳ କ୍ରୀଡ଼ା ସାମ୍ବାଦିକତାରେ ଉତ୍କର୍ଷଣା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
- ଡା. ସୁଦୀପ ଶତପଥୀ ଶ୍ରେଷ୍ଠ ବୈଷୟିକ ଅଧିକାରୀ/ସର୍ପୋଟ ଷ୍ଟାଫ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
- ଶ୍ରୀ ଜୀବନ କୁମାର ବେହେରା ନିଃସ୍ବାର୍ଥପର ସେବା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
- ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ ନିଃସ୍ବାର୍ଥପର ସେବା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର