ମାନବ ଇତିହାସରେ ଉତ୍ତର ଓଡ଼ିଶାର ପ୍ରତ୍ନତାତ୍ତ୍ବିକ ଅବଦାନ ଗୁରୁତ୍ବପୂର୍ଣ୍ଣ
ପାଳିଆବିନ୍ଧାଠାରେ ‘ଉତ୍ତର ଓଡ଼ିଶାର ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ’ ଉପରେ ଜାତୀୟ ଆଲୋଚନାଚକ୍ର
ଭୁବନେଶ୍ୱର/ପାଳିଆବିନ୍ଧା : ଭଦ୍ରକ ଜିଲ୍ଲା ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ (ବି.ଏନ୍.ଏମ୍.ଏ) ମହାବିଦ୍ୟାଳୟର ଇତିହାସ ବିଭାଗ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ (AIHC&A) ସ୍ନାତକୋତ୍ତର ବିଭାଗର ମିଳିତ ଆନୁକୁଲ୍ୟରେ “ଉତ୍ତର ଓଡ଼ିଶାର ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧ୍ୟଯୁଗୀୟ ଏବଂ ବ୍ରିଟିଶ ଶାସନ ସମୟର ସ୍ବାଧୀନତା ଆନ୍ଦୋଳନରେ ଉତ୍ତର ଓଡ଼ିଶାର ଯୋଗଦାନକୁ ଭିତ୍ତି କରି ତାଙ୍କର ବକ୍ତବ୍ୟ ରଖିଥିଲେ। କିପରି ଗୋହିରାଟିକିରିଠାରେ ଓଡ଼ିଶାର ଶେଷ ହିନ୍ଦୁ ସମ୍ରାଟ ମୁକୁକନ୍ଦ ଦେବଙ୍କର ପରାଜୟ ଘଟିଥିଲା। ତତସହିତ ମୋଗଲ, ମରାଠା, ବ୍ରିଟିଶ ମାନଙ୍କ ରାଜୁତିକାଳୀନ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ, ରକ୍ତତୀର୍ଥ ଇରମରେ ମହିଳା ସ୍ବାଧୀନତା ସଂଗ୍ରାମୀ ପରି ବେଓ୍ବା ସହିଦ ହୋଇ ଉଦାହରଣ ସୃଷ୍ଟି କରିଥିଲେ। ଏହାସହିତ ପ୍ରାକ୍ ସ୍ବାଧୀନତା କାଳ ସମୟରେ ଉତ୍କଳ କେଶରୀ ଡକ୍ତର ହରେକୃଷ୍ଣ ମହତାବଙ୍କ ଅବଦାନର ଭୂୟିୟସୀ ପ୍ରଶଂସା କରିଥିଲେ।
ଇନଷ୍ଟିଚ୍ୟୁଟ୍ ଅଫ୍ ମାରିଟାଇମ୍ ଆଣ୍ଡ ସାଉଥ୍ ଇଷ୍ଟ ଏସିଆନ ଷ୍ଟଡ଼ିଜ୍ ପୂର୍ବତନ ନିର୍ଦ୍ଦେଶକ ଡ .ସୁନୀଲ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍ତର ଓଡ଼ିଶାର ସମୃଦ୍ଧ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସେ ନିଜ ବକ୍ତବ୍ୟରେ ବାଲେଶ୍ୱର ଓ ମୟୂରଭଞ୍ଜ ଅଞ୍ଚଳରୁ ଆବିଷ୍କୃତ ‘ଦୁର୍ଗାଦେବୀ’ ପ୍ରତ୍ନତାତ୍ତ୍ୱିକ ଖନନ ଉପରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫସର ସଞ୍ଜୟ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ଶ୍ରେଷ୍ଠ ନିଦର୍ଶନଗୁଡ଼ିକୁ ଅବତାରଣା କରିଥିଲେ । ସେ ପ୍ରାଚୀନ ଓଡ଼ିଶାର ସ୍ଥାପତ୍ୟ କଳାର ବୈଶିଷ୍ଟ୍ୟ ଏବଂ ଏହାର ଐତିହାସିକ ଗୁରୁତ୍ୱ ଉପରେ ଗଭୀର ଆଲୋକପାତ କରିଥିଲେ। ଏଥିସହିତ ସେ ଉତ୍ତର ଓଡ଼ିଶାର ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥଳରୁ ମିଳିଥିବା କଳାକୃତିଗୁଡ଼ିକ କିପରି ଆମ ସଂସ୍କୃତିର ପରିଚୟ ବହନ କରେ, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।
ସହକାରୀ ପ୍ରଫେସର ଡ. ଅନାମ ବେହେରା ଆଲୋଚନାଚକ୍ରର ଆଭିମୁଖ୍ୟ ଓ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମାନବ ଇତିହାସରେ ଉତ୍ତର ଓଡ଼ିଶାର ପ୍ରତ୍ନତାତ୍ତ୍ବିକ ଅବଦାନ ଗୁରୁତ୍ବପୂର୍ଣ୍ଣ । ଏହି ଅଞ୍ଚଳରେ ପୁରାତନ ପ୍ରସ୍ତର ଯୁଗରୁ ଆରମ୍ଭ କରି ଧାତବ ଯୁଗ ପର୍ଯ୍ୟନ୍ତ ମାନବ ସଭ୍ୟତାର କ୍ରମବିକାଶ ଘଟିଛି। ମୟୂରଭଞ୍ଜର କୁଳିଆନା, ବୈଦିପୁର ଏବଂ ଆମସ୍କିରା ଭଳି ସ୍ଥାନରୁ ମିଳିଥିବା ପଥର ହତିଆର ଏବଂ ‘ସୋଲ୍ଡର୍ଡ ସେଲ୍ଟ’ (Shouldered celt) ଏହାର ପ୍ରମାଣ ଦିଏ।
ଉତ୍ତର ଓଡ଼ିଶାର ପ୍ରାଚୀନ ଇତିହାସକୁ ଦେଖିଲେ କେନ୍ଦୁଝରର ଅସନପାଟ ଶିଳାଲେଖ ଓ ସୀତାବିଞ୍ଜି ଭିତ୍ତିଚିତ୍ର ନାଗ ବଂଶର ଶାସନ ସମ୍ପର୍କରେ ସୂଚନା ଦିଏ। ପୁରାତନ ମୁଦ୍ରା, ଭଦ୍ରକାଳୀ ଶିଳାଲେଖ, ସୋର ତାମ୍ରଶାସନ ଏବଂ ବିଭିନ୍ନ ବୌଦ୍ଧ ଓ ଜୈନ ଅବଶେଷ ଏହି ଅଞ୍ଚଳର ସମୃଦ୍ଧ ସଂସ୍କୃତିକୁ ପ୍ରତିପାଦିତ କରେ। ମଧ୍ୟଯୁଗରେ ଆଫଗାନ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ମରାଠା ଓ ବ୍ରିଟିଶ ଶାସନ କାଳରେ ବାଲେଶ୍ୱରର ସାମରିକ ଗୁରୁତ୍ୱ ମଧ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ରହିଥିଲା। ସ୍ୱାଧୀନତା ସଂଗ୍ରାମ ସମୟରେ ଇଞ୍ଚୁଡ଼ି ଓ ଇରମର ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡ଼ା ସ୍ବାଗତ ଅଭିଭାଷଣ ରଖିଥିବାବେଳ ଆଲୋଚନାର ସଂଯୋଜକ ତଥା ଇତିହାସ ବିଭାଗ ମୁଖ୍ୟ ଡ. ନିରଞ୍ଜନ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଶୋକ କୁମାର ମଲ୍ଲିକ, ଡ. ସୁଶାନ୍ତ କୁମାର ଦାସ ଏବଂ ଲୋକେଶ୍ୱର ବାଗର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉତ୍ତର ଓଡ଼ିଶାର ଏହି ଗୌରବମୟ ଅତୀତ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିବା ଏହି ଆଲୋଚନାଚକ୍ରର ମୂଳ ଲକ୍ଷ୍ୟ ଥିଲା।