“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”
ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଜାତୀୟ ବିଜ୍ଞାନ ଦିବସ’-୨୦୨୬ ପାଳିତ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ବିଷୟବସ୍ତୁ ଥିଲା “ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି, ପିଜି କାଉନସିଲ୍ର ଅଧ୍ୟକ୍ଷ, କୁଳସଚିବ, ଗବେଷଣା ଓ ବିକାଶ କେନ୍ଦ୍ର ନିର୍ଦ୍ଦେଶକ ଏବଂ ଚାରିଜଣ ବିଶିଷ୍ଟ ବୈଜ୍ଞାନିକ ଉପସ୍ଥିତ ଥିଲେ। ସମସ୍ତ ଅତିଥି ମହିଳା ବୈଜ୍ଞାନିକମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ବିଜ୍ଞାନର ପ୍ରସାର ଓ ପ୍ରଗତି ପାଇଁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଚର୍ଚ୍ଚା କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଛାତ୍ରଛାତ୍ରୀମାନଙ୍କୁ, ବିଶେଷକରି ଛାତ୍ରୀମାନଙ୍କୁ ବିଜ୍ଞାନ ପଢ଼ିବା ପାଇଁ ଉତ୍ସାହିତ କରିଥିଲେ। ସେ ଭାରତର ଦୁଇଜଣ ବିଶିଷ୍ଟ ବୈଜ୍ଞାନିକଙ୍କ ଅବଦାନକୁ ମନେ ପକାଇଥିଲେ। କୁଳସଚିବ ଡ଼ଃ ସ୍ୱାତୀ ମିଶ୍ର ଭାରତ ତଥା ବିଦେଶର ମହିଳା ବୈଜ୍ଞାନିକମାନଙ୍କ ଯୋଗଦାନ ଏବଂ ବିଶେଷ କରି ମାଡାମ୍ ମେରୀ କ୍ୟୁରୀଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପିଜି କାଉନସିଲ୍ର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନ୍ନାରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଜାତୀୟ ବିଜ୍ଞାନ ଦିବସ ପାଳନର ଗୁରୁତ୍ୱ ଊପରେ କହିଥିଲେ ଏବଂ ସେ ସ୍ୱାଧୀନତା ପୂର୍ବରୁ କମଳା ସୋହନୀଙ୍କ ବିଜ୍ଞାନ ପଢ଼ିବାର ସଂଘର୍ଷମୟ ଯାତ୍ରା ଉପରେ ଆଲୋକପାତ କରିଥିଲେ।
ଏନ୍ଆଇଟି-ରାଉରକେଲାର ଜୀବ ବିଜ୍ଞାନ ପ୍ରଫେସର ସମୀର କୁମାର ପାତ୍ର ଏପିଜେନେଟିକ୍, ଡିଏନ୍ଏ ମିଥାଇଲେସନ୍, ହିଷ୍ଟୋନ୍ ମୋଡିଫିକେସନ୍ ଏବଂ କର୍କଟ ରୋଗ ସମ୍ପର୍କରେ ଆଲୋଚନା କରିଥିଲେ। ନାଇଜର୍ ଭୁବନେଶ୍ୱରର ଭୌତିକ ବିଜ୍ଞାନର ବରିଷ୍ଠ ପ୍ରଫେସର ବେଦାଙ୍ଗଦାସ ମହାନ୍ତି‘ହ୍ୱେନ୍ ସ୍ପେସ୍ଟାଇମ୍ ଟ୍ରେମ୍ବଲ୍ଡ’ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ। ସେ ଆଇଜାକ୍ ନିଉଟନ୍ଙ୍କଠାରୁ ଆରମ୍ଭ କରି କଣିକା ପଦାର୍ଥ ବିଜ୍ଞାନର ବିକାଶ ପର୍ଯ୍ୟନ୍ତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ଯୁବପିଢ଼ିଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ ହେବାକୁ ପ୍ରେରଣା ଦେଇଥିଲେ।
ଆର୍ଏମ୍ଆର୍ସି ଭୁବନେଶ୍ୱରର ବୈଜ୍ଞାନିକ ଡ଼ଃ ସୁଶୀଲ କେ. ସିଂହ ମ୍ୟାଲେରିଆ ଟିକାକରଣର ପ୍ରଗତି ଏବଂ ଆର୍ଏମ୍ଆର୍ସିରେ ଆଧୁନିକ ଗବେଷଣା ପାଇଁ ଉପଲବ୍ଧ ସୁବିଧାଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଏମ୍ସ୍ ଭୁବନେଶ୍ୱରର ବୈଜ୍ଞାନିକ ଡ଼ଃ ପ୍ରିୟଦର୍ଶିନୀ ମିଶ୍ର ମାନବ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନରେ ନିଦ୍ରାର ଗୁରୁତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ଜୟଦେବ ଦିଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।