ଜାତୀୟ ସ୍ତରର ବଡି ବିଲିଂ: ଶହେ ପଚାଶ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଲିଗୁଡ଼ା ହୋମଗାର୍ଡ ଦିଲ୍ଲୀପ ସାଜିଲେ ସର୍ବଭାରତୀୟ ଚାମ୍ପିଅନ୍
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ମାଟି ଆଜି ଜଣେ ସୁଯୋଗ୍ୟ ସନ୍ତାନଙ୍କ ପାଇଁ ଗର୍ବିତ। ସାଧାରଣତଃ ଦୃଢ଼ ପରିଶ୍ରମ ଓ ନିରନ୍ତର ସାଧନା କେବେ ବୃଥା ଯାଏ ନାହିଁ, ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବାଲିଗୁଡ଼ାର ଗର୍ବ ଓ ଗୌରବ ଦିଲ୍ଲୀପ ପାତ୍ର। ଭୁବନେଶ୍ୱରଠାରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ (ବଡି ବିଲିଂ) ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଦିଲ୍ଲୀପ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ଏହି ବିଜୟ କେବଳ ବାଲିଗୁଡ଼ା ନୁହେଁ ବରଂ ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଏକ ବଡ଼ ଉପଲବ୍ଧି ଆଣିଦେଇଛି।
ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦୁର୍ଗମ ଅଞ୍ଚଳର ପ୍ରତିବନ୍ଧକ। ବାଲିଗୁଡ଼ା ପୋଲିସ ଷ୍ଟେସନରେ କାର୍ଯ୍ୟରତ ହୋମଗାର୍ଡ ଦିଲ୍ଲୀପ ପାତ୍ର ଜାତୀୟ ସ୍ତରର ବଡି ବିଲିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏହି ସଫଳତା ପଛରେ ରହିଛି ତାଙ୍କର ଦୈନିକ ୧୨ ଘଣ୍ଟାର କଠିନ ପରିଶ୍ରମ ଏବଂ ପରିବାର ପ୍ରତି ଥିବା ଅଗାଧ ସମର୍ପଣ।
ଶହେ ପଚାଶ ପ୍ରତିଯୋଗୀଙ୍କୁ ଦେଲେ ମାତ୍
ଗତ ଫେବୁଆରୀ ୭ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ସ୍ଥିତ ପ୍ରତିଷ୍ଠିତ ‘ଉତ୍କଳ ମଣ୍ଡପ’ଠାରେ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ହାଇ-ଭୋଲଟେଜ୍ ପ୍ରତିଯୋଗିତାରେ ସାରା ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଦେଶର କୋଣ ଅନୁକୋଣରୁ ଆସିଥିବା ଏହି ଶକ୍ତିଶାଳୀ ପ୍ରତିଯୋଗୀମାନଙ୍କୁ କଡ଼ା ଟକ୍କର ଦେଇଥିଲେ ଦିଲ୍ଲୀପ। ନିଜର ଆକର୍ଷଣୀୟ ଶରୀର ଗଠନ ଏବଂ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ସେ ସମସ୍ତ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ।
ମଫସଲ ଗାଁରୁ ଜାତୀୟ ମଞ୍ଚ
ଦିଲ୍ଲୀପଙ୍କ ଏହି ସଫଳତା କୌଣସି ରାଜକୀୟ ସୁବିଧା ସୁଯୋଗରୁ ଆସିନାହିଁ। ବାଲିଗୁଡ଼ା ଥାନା ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ବୁଡ଼ାଗୁଡ଼ାରେ ଜନ୍ମଗ୍ରହଣ କରିଥିବା ଦିଲ୍ଲୀପଙ୍କ ପିଲାଦିନ ସଂଘର୍ଷମୟ ଥିଲା। ବର୍ତ୍ତମାନ ସେ ବାଲିଗୁଡ଼ା ଥାନାରେ ଜଣେ ହୋମଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି। ଦିନସାରା ପୁଲିସ ଡ୍ୟୁଟିର କଠିନ କାମ ସତ୍ତ୍ୱେ ସେ ନିଜର ନିଶା ଓ ସ୍ୱପ୍ନକୁ ମରିବାକୁ ଦେଇନଥିଲେ। ଡ୍ୟୁଟି ସାରିବା ପରେ କ୍ଳାନ୍ତ ହେବା ପରିବର୍ତ୍ତେ ସେ ଜିମରେ ଘଣ୍ଟା ଘଣ୍ଟା ନିଜକୁ ପ୍ରସ୍ତୁତ କରୁଥିଲେ। ନିଜର ଏକାଗ୍ରତା ଏବଂ କଠିନ ପରିଶ୍ରମ ବଳରେ ସେ ଆଜି ସଫଳତାର ଶୀର୍ଷ ସିଡ଼ି ଚଢ଼ିବାରେ ସକ୍ଷମ ହୋଇଛନ୍ତି।
ସଫଳତାର ଶ୍ରେୟ ଓ ଆଗାମୀ ଲକ୍ଷ୍ୟ
ଆଜିର ଏହି ଐତିହାସିକ ସଫଳତା ପାଇଁ ଦିଲ୍ଲୀପ ନିଜର ଜିମ୍ ପ୍ରଶିକ୍ଷକ, ବାଲିଗୁଡ଼ା ଥାନା ଅଧିକାରୀ ଏବଂ ନିଜର ବନ୍ଧୁମାନଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, “କୌଣସି ବି କାମ କଷ୍ଟକର ନୁହେଁ, ଯଦି ମନରେ ଦୃଢ଼ ବିଶ୍ୱାସ ଥାଏ, ତାହେଲ ନିଶ୍ଚୟ ସଫଳତା ମିଳିପାରିବ। ଥାନା ଅଧିକାରୀ ଏବଂ ସହକର୍ମୀମାନଙ୍କ ପ୍ରୋତ୍ସାହନ ମୋତେ ଆଗକୁ ବଢ଼ିବାରେ ବହୁତ ସାହାଯ୍ୟ କରିଛି। ଆଗାମୀ ଦିନରେ ଅନ୍ତର୍ଜାତୀୟ ମଞ୍ଚ ଅର୍ଥାତ୍ ଏସିଆ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ସେଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କହିଛନ୍ତି।
କର୍ତ୍ତବ୍ୟ ଓ ପିତୃସେବା:
ଦିଲ୍ଲୀପ କେବଳ ଜଣେ କ୍ରୀଡ଼ାବିତ୍ ନୁହନ୍ତି, ବରଂ ଜଣେ ଆଦର୍ଶ ପୁତ୍ର ମଧ୍ୟ। ସେ ତାଙ୍କ ସହିତ ରହୁଥିବା ଦିବ୍ୟାଙ୍ଗ ପିତା ଗଣେଶ ଚନ୍ଦ୍ର ପାତ୍ରଙ୍କର ସମସ୍ତ ଯତ୍ନ ନିଜେ ନିଅନ୍ତି। ପୁଅର ସଫଳତାରେ ଭାବବିହ୍ବଳ ହୋଇ ଗଣେଶ କହନ୍ତି, “ମୋ ପୁଅ କେବେବି ତାଙ୍କ କର୍ତ୍ତବ୍ୟରେ ଅବହେଳା କରେ ନାହିଁ। ଯଦିଓ ସେ ନିଜର ସରକାରୀ ଦାୟିତ୍ୱ ଏବଂ ଘର କାମ ପରେ ବହୁତ କ୍ଳାନ୍ତ ହୋଇଯାଉଥିଲେ, ତଥାପି ସେ ନିୟମିତ ଭାବରେ ଜିମ୍ ଯାଉଥିଲେ।
କଠିନ ପରିଶ୍ରମ ଓ ସଫଳତା:
କୌଣସି ବି ପ୍ରତିକୂଳ ପରିସ୍ଥିତିରେ ଭାରାକ୍ରାନ୍ତ ନହୋଇ ଦିଲ୍ଲୀପ ନିଜର ସମୟ ଅନୁସାରେ କାମ ସାରି ଅଫିସ୍ ଏବଂ ଜିମ୍ ଯାଇଥାନ୍ତି। ନିଜର କାର୍ଯ୍ୟସୂଚୀ ବିଷୟରେ ଦିଲ୍ଲୀପ କହନ୍ତି, “ମୁଁ ଅଫିସରେ ଆଠ ଘଣ୍ଟା କାମ କରେ ଏବଂ ବ୍ୟାୟାମ ପାଇଁ ବାଲିଗୁଡ଼ାର ଏକ ଜିମ୍ରେ ପ୍ରତିଦିନ ଚାରି ଘଣ୍ଟା ସମୟ ବିତାଇଥାଏ।
ଛୁଟୁଛି ଶୁଭେଚ୍ଛାର ସୁଅ
ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ନିଜ ଗାଁ ଓ ବାଲିଗୁଡ଼ାକୁ ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବାଲିଗୁଡ଼ା ପୋଲିସ ଷ୍ଟେସନର ଆଇଆଇସି (IIC) ପ୍ରଶାନ୍ତ କୁମାର ବେହେରା ଦିଲ୍ଲୀପଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଦିଲ୍ଲୀପ ଅତ୍ୟନ୍ତ ସମର୍ପିତ ଭାବରେ କଠିନ ପରିଶ୍ରମ କରନ୍ତି। ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ। ସେହିଭଳି ତାଙ୍କ ଜିମ୍ ପ୍ରଶିକ୍ଷକ ଶଶାଙ୍କ କୁମାର ପତି କହିଛନ୍ତି ଯେ ବାଲିଗୁଡ଼ା ଭଳି ଏକ ଦୁର୍ଗମ ଅଞ୍ଚଳରୁ ଆସି ମଧ୍ୟ ଦିଲ୍ଲୀପ ଏହି ଟାଇଟଲ୍ ହାସଲ କରିପାରିଛନ୍ତି। ମୁଁ ଆଶା କରୁଛି ସେ ଭବିଷ୍ୟତରେ ଅଧିକ ସଫଳତା ପାଇବେ।
କନ୍ଧମାଳ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ, କ୍ରୀଡ଼ା ପ୍ରେମୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଜଣେ ହୋମଗାର୍ଡ ହୋଇ ଜାତୀୟ ସ୍ତରରେ ନିଜ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ସ୍ଥାନୀୟ ଜନସାଧାଣ ତାଙ୍କୁ ‘ରିଅଲ୍ ଲାଇଫ୍ ହିରୋ’ ବୋଲି ସମ୍ବୋଧନ କରୁଛନ୍ତି। ଦିଲ୍ଲୀପଙ୍କ ଏହି ସଫଳତା କନ୍ଧମାଳର ଅନ୍ୟ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିବ, ଏଥିରେ କୌଣସି ସନ୍ଦେହ ନାହିଁ।