ମାଟିର ମଣିଷ-ପାଇକ ପୁଅ
ପାଇକ ବିଦ୍ରୋହ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ। ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଗୌରବୋଜ୍ଜ୍ବଳ ଅଧ୍ୟାୟ। ଆମର ପୂର୍ବଜମାନଙ୍କ ବାହୁବଳ ଦିନେ ଉତ୍କଳକୁ ପ୍ରଶସ୍ତ କରିଥିଲା। ଗଜପତିମାନଙ୍କର ପ୍ରଶସ୍ତି ବହୁଗୁଣିତ କରିଥିଲା। ଗଙ୍ଗାଠାରୁ ଗୋଦାବରୀ ଯାଏଁ ବିସ୍ତାରିତ ହୋଇଥିଲା ଶକ୍ତିଶାଳୀ ଉତ୍କଳ ଭୂଖଣ୍ଡର ପରିସୀମା।
ପାଇକ ଜାତିର ସେ ଗୌରବ ସାଂପ୍ରତିକ କାଳରେ ଆଉ ନାହିଁ। କର୍ପୂର ଉଡ଼ି ଯାଇ କେବଳ କନା ପଡ଼ି ରହିଛି। ହେଲେ ନିଜ ବଂଶ ପରିଚୟକୁ ନେଇ ପାଇକ ଘରର ପୁଅମାନେ ଆଜି ମଧ୍ୟ ବାହାସ୍ଫୋଟ ମାରି ଗର୍ବିତ ଅନୁଭବ କରୁଛନ୍ତି। ସାମରିକ ପରମ୍ପରା ବଜାୟ ରଖିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ଘରେ ଘରେ ଯୁଦ୍ଧାସ୍ତ୍ର ପୂଜନ କରା ଯାଉଛି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଘରୁ ପଦାକୁ ଗୋଡ଼ କାଢ଼ିଲେ ମଥାରେ ଲାଲ୍ ଟୀକା ଲାଗୁଛି। ଆଧୁନିକ ସମୟରେ ବି ପାରମ୍ପରିକ ସାଙ୍ଗିଆକୁ ନିଜ ନାଁ ସହିତ ଯୋଡ଼ି ସେମାନେ ଗର୍ବର ସହ ଛାତି ଫୁଲାଇ ଚାଲୁଛନ୍ତି।
ପାଇକ ସଂପ୍ରଦାୟ ମଧ୍ୟରେ ଅନେକ ସାଙ୍ଗିଆ ପ୍ରଚଳିତ ଅଛି। ପୁରୁଷ ପୁରୁଷ ଧରି ସେଗୁଡିକ ପ୍ରଚଳିତ ହୋଇ ଆସୁଥିଲେ ମଧ୍ୟ ଔଜଲ୍ୟ ହରାଇ ନାହାନ୍ତି। ବରଂ ସେଗୁଡିକ ଏବକୁ ଗବେଷଣାର ସାମଗ୍ରୀ ପାଲଟିଛନ୍ତି।
ସାମାଜିକ ବର୍ଗ ବିଭାଜନ ଅନୁସାରେ ପାଇକମାନେ ହେଉଛନ୍ତି କ୍ଷତ୍ରିୟ। ଓଡ଼ିଶାରେ ପ୍ରଚଳିତ କିଛି ପାଇକ ସାଙ୍ଗିଆ ଏଠାରେ ଉଲ୍ଲେଖଯୋଗ୍ୟ।
ଦଳେଇ, ଦଳବେହେରା,ଧୀର ନରେନ୍ଦ୍ର ବାହାଦୂର,ଭ୍ରମରବର ରାୟ, ନରେନ୍ଦ୍ର ମହାପାତ୍ର, ବୀରବର ହରିଚନ୍ଦନ ମହାପାତ୍ର, ମାନସିଂହ ହରିଚନ୍ଦନ, ମର୍ଦ୍ଦରାଜ ଭ୍ରମରବର ରାୟ,ମହୀନ୍ଦ୍ର ପ୍ରତାପ ବାହାଦୂର, ମତ୍ତଗଜସିଂହ,ଗୁମାନସିଂହ,ଝପଟସିଂହ,ଛୁଆଳସିଂହ,ପାଲଟାସିଂ, ପାଇକରାୟ, ଛୋଟରାୟ,ବଳବନ୍ତସିଂହ, ସାମନ୍ତରାୟ, ଜଗଦ୍ଦେବରାୟ,ଚହଟରାୟ,ପଶ୍ଚିମକବାଟ,ଉତ୍ତରକବାଟ,ଦକ୍ଷିଣକବାଟ, ବଡ଼ଜେନା, ଚୂଡ଼ାମଣି, ମାନଧାତା, ମହାରଥା, ବୈରୀଶଲ୍ୟ, ଶତ୍ରୁଶଲ୍ୟ, ସାମଲ, ଭୁଜବଳ, ବିଶ୍ବାଳ, ରାଉଳ, ବରାଳ, ସାମନ୍ତସିଂହାର, ବାହୁବଳେନ୍ଦ୍ର, ମଙ୍ଗରାଜ, ବକ୍ସି, ରଣରଙ୍କା, ଓଲଟସିଂହ, କୋଦମାସିଂହ, ମହାରଥୀ ଓ କହଲସିଂହ।
ପାଇକମାନଙ୍କ ବାଦ୍ୟ ହେଉଛି ଯୁଦ୍ଧ ବାଦ୍ୟ। ଟମକ ବାଜିଲେ କୌଣସି ପାଇକ ପୁଅ ଆଉ ଥୟ ଧରି ରହି ପାରନ୍ତି ନାହିଁ। ଆଜି ମଧ୍ୟ ଯୁଦ୍ଧ ବାଦ୍ୟ ବାଜିଲେ ପାଇକ ପୁଅ ରଣହୁଙ୍କାର ଦିଏ। ପାଇକମାନଙ୍କର ସାମରିକ ନୃତ୍ୟକଳା ଆମ ଓଡ଼ିଶାର ମୂଲ୍ୟବାନ ସାଂସ୍କୃତିକ ବିଭବ।
ବ୍ରଜନାଥ ବଡ଼ଜେନାଙ୍କ ‘ସମର ତରଙ୍ଗ’ ପରି କାବ୍ୟ ସହିତ ପାଇକଙ୍କ ସମର କଳା ଓ ସାମରିକ ସଂସ୍କୃତିର ଗଭୀର ସଂପର୍କ ରହିଛି। ଏ ଦିଗରେ ଅଧିକ ଗବେଷଣା ଆବଶ୍ୟକ।