ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡ଼ଜାତର ସୂର୍ଯ୍ୟ
ଶହୀଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି
ଭୁବନେଶ୍ୱର: ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରରେ ଜର୍ଜରିତ ହେଉଥିଲେ। ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବେ ନାମିତ କରିଥିଲେ। ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡ଼ଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ଏହିସବୁ ଗଡ଼ଜାତ ଆନ୍ଦୋଳନ ମଧ୍ୟରୁ ୧୯୩୮ ମସିହାରେ ସଂଗଠିତ ହୋଇଥିବା ଢେଙ୍କାନାଳ ଗଡ଼ଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିଲା । ଭାରତର ସ୍ୱାଧୀନତା ସଂଗ୍ରାମ ସ୍ରୋତରେ ଦେଶର ସର୍ବ କନିଷ୍ଠ ଦେଶଭକ୍ତ ୧୨ ବର୍ଷର ବାଳକ ବାଜି ରାଉତ ତାଙ୍କ ଜୀବନକୁ ବାଜି ଲଗାଇ ଶହୀଦ ହୋଇଯାଇଥିଲେ।
୧୯୨୬ ମସିହା ଅକ୍ଟୋବର ମାସ ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶହୀଦ ବାଜି ରାଉତ। ସର୍ବ କନିିଷ୍ଠ ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡ଼ଜାତର ସୂର୍ଯ୍ୟ । ପଙ୍କରୁ ପଦ୍ମ ଜନ୍ମ୍ମ ନେଲା ପରି ଏକ ଅନ୍ଧାରୀ ମୁଲକରେ ଜନ୍ମ ହୋଇଥିଲେ ମଧ୍ୟ ସେ ସାରା ଜାତି ଓ ନିଜର ଜନ୍ମ୍ମଭୂମି ପାଇଁ ଜୀବନ ଉତ୍ସର୍ଗ କରି ଭବିଷ୍ୟତ ବଂଶଧରମାନଙ୍କ ନିିମନ୍ତେ ଏକ ପ୍ରେରଣାର ଉତ୍ସ ହୋଇ ରହିଗଲେ।
ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଧାନସଭା ପାଶ୍ୱର୍ସ୍ଥିତ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ବାବୁ ସିଂ ଓ ଅନନ୍ତ ନାରାୟଣ ଜେନା, ସମାଜସେବୀ ଜଗନ୍ନାଥ ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଗୁର୍ବୀର୍ ସିଂ ପ୍ରମୁଖ ଉପସ୍ଥିତ ରହି ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।