ଶିମିଳିପାଳରୁ ମିଳିଲା ‘ମହୌଷଧି’: କ୍ୟାନ୍ସର ଓ ମଧୁମେହ ଭଳି ରୋଗର ଚିକିତ୍ସାରେ ସହାୟକ ହେବ ‘ଲାଇକେନ୍’
ବାରିପଦା : ପ୍ରକୃତିର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ଏବେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଆଶା ସଞ୍ଚାର କରିଛି। ମୟୂରଭଞ୍ଜ ଜିଲ୍ଲାର ଏହି ବିଶ୍ୱପ୍ରସିଦ୍ଧ ଜୈବମଣ୍ଡଳରୁ ଏବେ ‘ଲାଇକେନ୍’ (Lichen) ନାମକ ଏକ ବିଶେଷ ଔଷଧୀୟ ଉଦ୍ଭିଦର ସନ୍ଧାନ ମିଳିଛି। ଗବେଷକଙ୍କ ମତରେ, ଏହି ଲାଇକେନ୍ରେ ହୃଦ୍ରୋଗ, ମଧୁମେହ ଏବଂ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ଶକ୍ତିଶାଳୀ ରାସାୟନିକ ତତ୍ତ୍ୱ ରହିଛି।
ଗବେଷଣାରେ ବଡ଼ ସଫଳତା
ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସହଯୋଗରେ ବାରିପଦାସ୍ଥ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ (MSCB University) ର ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା କରାଯାଉଛି। ଲକ୍ଷ୍ନୌର ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ମାର୍ଗଦର୍ଶନରେ ଚାଲିଥିବା ଏହି ଅନୁସନ୍ଧାନରୁ ଶିମିଳିପାଳରେ ପ୍ରାୟ ୧୪୮ ପ୍ରଜାତିର ଲାଇକେନ୍ ଚିହ୍ନଟ କରାଯାଇଛି।
ମୁଖ୍ୟ ଆବିଷ୍କାର:
-
ଫିସିଲିଆ ମେଲାନ୍କ୍ରୋମା: ଏହା ଭାରତରେ ପ୍ରଥମ କରି ଠାବ ହୋଇଛି।
-
କ୍ଲୋଡ୍ନିଆ ପ୍ରୋଟିକ୍ଲୋଜା: ଓଡ଼ିଶାରେ ପ୍ରଥମ କରି ଏହି ପ୍ରଜାତିର ସନ୍ଧାନ ମିଳିଛି।
ଲାଇକେନ୍ କ’ଣ?
ଲାଇକେନ୍ ହେଉଛି ଏକ ଅଦ୍ଭୁତ ଜୈବିକ ସଂରଚନା, ଯାହା କବକ (Fungus) ଏବଂ ଶୈବାଳ (Algae) ର ମିଶ୍ରଣରୁ ସୃଷ୍ଟି ହୋଇଥାଏ। ଏଗୁଡ଼ିକ ପ୍ରାୟତଃ ଗଛର ଛାଲ, ପାହାଡ଼, ପଥର ଓ ମାଟି ଉପରେ ଦେଖିବାକୁ ମିଳନ୍ତି। ପ୍ରତିକୂଳ ପରିବେଶରେ ବଞ୍ଚିବା ପାଇଁ ଏମାନେ ନିଜ ଶରୀରରେ ଯେଉଁ ପ୍ରତିରୋଧକ ରସାୟନ ତିଆରି କରନ୍ତି, ତାହା ମାନବ ଶରୀର ପାଇଁ ମହୌଷଧି ସଦୃଶ କାମ କରିଥାଏ।
ସମାଜ କଲ୍ୟାଣରେ ବ୍ୟବହାର
ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱଜିତ ରଥ ଏବଂ ଗବେଷଣାରତ ଛାତ୍ର ଶୁଭମ ପ୍ରଧାନ ଓ ବିଜୟାନନ୍ଦ ସାହୁ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଏହି ନମୁନାଗୁଡ଼ିକୁ ସଂଗ୍ରହାଳୟରେ ସଂରକ୍ଷିତ ରଖାଯିବା ସହ ସେଗୁଡ଼ିକର ଔଷଧୀୟ ଗୁଣ ଉପରେ ଅଧିକ ବିଶ୍ଳେଷଣ କରାଯାଉଛି। ଆଗାମୀ ଦିନରେ ଏହା ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି।