ଜୁନାଗାଁ ବିଦ୍ୟାଳୟରେ ଶିକ୍ଷକ ଅଭାବ, ପରିଦର୍ଶନରେ ଆସିଥିବା ସିଆରସିସିଙ୍କୁ ୪ ଘଣ୍ଟା ଅଟକ
-
୮ଟି ଶ୍ରେଣୀ ନିମନ୍ତେ ଅଛନ୍ତି ୩
-
ପ୍ରଧାନଶିକ୍ଷକ ଅଫିସ କାର୍ଯ୍ୟରେ ବ୍ୟସ୍ତ
-
୩ମାସ ଅବସର ଥିବାରୁ ଛୁଟିରେ ଅଛନ୍ତି ସହକାରୀ ଶିକ୍ଷକ
-
ଜଣେ ଶିକ୍ଷକ ୮ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ପାଠ
ବାଲିଗୁଡ଼ା :ବାଲିଗୁଡ଼ା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ରହିଥିବା ଜୁନାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ହେଉନଥିବରୁ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ଶନିବାର ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ସିଆରସିସି ପ୍ରଫୁଲ୍ଲ କୁମାର ସାହୁଙ୍କ ଉପରେ ଅଭିଭାବକ ଅସନ୍ତୋଷ ଝାଡ଼ିବା ସହ ୪ ଘଣ୍ଟା ଅଟକ ରଖିଥିଲେ। ଖବର ପାଇ ବ୍ଲକ ଶିକ୍ଷାଧିକାରୀ ମହେଶ୍ଵର ମାଝୀ ସୋମବାର ଦିନ ଜଣେ ଶିକ୍ଷକଙ୍କୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେବାପରେ ଅଭିଭାବକ ଶାନ୍ତ ପଡ଼ିଥିଲେ।
ଜୁନାଗାଁ ବିଦ୍ୟାଳୟରେ ପ୍ରଥମଶ୍ରେଣୀରୁ ଅଷ୍ଠମଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ୯୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୩ଜଣ ଶିକ୍ଷକ ରହିଛନ୍ତି। ସେଥି ମଧ୍ୟରୁ ପ୍ରଧାନଶିକ୍ଷକ ମାର୍କ ଦିଗାଲ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିବା କହିଛନ୍ତି।
ଅପର ପକ୍ଷରେ ସହକାରୀ ଶିକ୍ଷକ ପ୍ରଦୀପ୍ତ ବିଶ୍ଵାଳ ଆଉ ତିନି ମାସ ପରେ ଅବସର ନେବା ବୟସ ଥିବାରୁ ସେ ଛୁଟିରେ ଚାଲିଯାଇଛନ୍ତି। କେବଳ ସନାତନ ଅମାୟତ ନାମକ ଜଣେ ଶିକ୍ଷକ ୮ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଅନ୍ୟଶ୍ରେଣୀରେ ଆଉ ପାଠପଢା ହୋଇପାରୁନାହିଁ।
ପିଲାଏ ବସି ବସି ଘରକୁ ଫେରୁଥିବା ବେଳେ ୫ମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଲେଖି ପଢ଼ି ଆସୁନଥିବା ଅଭିଭାବକ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ଅଭାବ ଦୂର ହୋଇ ନାହିଁ।
ସୂଚନା ଅନୁଯାୟୀ ପୂର୍ବରୁ ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମଲ୍ଲିକ ଓ ପୁଷ୍ପିତା ଦାସ ଗଞ୍ଜୁପଡ଼ି ଓ ବାଲିଗୁଡ଼ା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଡେପୁଟେସନରେ ଯାଇଥିବା ବେଳେ ପ୍ରଶାନ୍ତ ବେହେରା ବାଟାଗୁଡା ପଞ୍ଚାୟତର ସିଆରସିସି ଭାବେ କାର୍ଯ୍ୟ କରୁଛନ୍ତି।