୨୭-୨୮ ସେପ୍ଟେମ୍ବରରେ ଭୁବନେଶ୍ୱରରେ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ
ଭୁବନେଶ୍ୱର, ସେପ୍ଟେମ୍ବର ୨୫: ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଏବଂ ଓଡ଼ିଶାର ମହାଧିବକ୍ତାଙ୍କ କାର୍ଯ୍ୟାଳୟଙ୍କ ସଂୟୁକ୍ତ ଉଦ୍ୟମରେ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ଆସନ୍ତା ୨୭ ଓ ୨୮ ସେପ୍ଟେମ୍ବର ୨୦୨୫ ତାରିଖରେ ଲୋକସେବା ଭବନ, ଭୁବନେଶ୍ୱରରେ ଆୟୋଜିତ ହେବ।
ସମ୍ମିଳନୀର ଉଦଘାଟନ ୨୭ ସେପ୍ଟେମ୍ବର ସନ୍ଧ୍ୟା ୬:୩୦ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମହାନ୍ୟାୟାଧୀଶ ଶ୍ରୀ ନ୍ୟାୟମୂର୍ତ୍ତି ବି.ଆର୍. ଗଭାଇଙ୍କ ଦ୍ବାରା ସମ୍ପନ୍ନ ହେବ। ସଭାରେ ଓଡ଼ିଶାର ରାଜ୍ୟପାଳ ଡା. ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଏବଂ ଜାତୀୟ ବିଧି ସେବା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟକାନ୍ତ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମହାନ୍ୟାୟାଧୀଶ ଶ୍ରୀ ନ୍ୟାୟମୂର୍ତ୍ତି ହରିଶ ତଣ୍ଡନ, ନ୍ୟାୟମୂର୍ତ୍ତି ମାନସ ରଞ୍ଜନ ପାଠକ, ଭାରତର ଅଟର୍ନି ଜେନେରାଲ୍ ଶ୍ରୀ ଆର୍. ଭେଙ୍କଟରାମଣି ଓ ସଲିସିଟର୍ ଜେନେରାଲ୍ ଶ୍ରୀ ତୁଷାର ମେହତା ଯୋଗଦେବେ।
୨୦୨୫ ମଇ ମାସରେ ନୂଆଦିଲ୍ଲୀରେ ଆୟୋଜିତ ପ୍ରଥମ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ପରମ୍ପରାକୁ ଅଗ୍ରସର କରି, ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ପ୍ରଥମ ସମ୍ମିଳନୀରେ ଜାରି ହୋଇଥିବା ଘୋଷଣାନୁସାରେ ଦେଶରେ ମଧ୍ୟସ୍ଥତାର ଦର୍ଶନକୁ ବିସ୍ତାର କରିବା ପାଇଁ ଦ୍ୱିତୀୟ ସମ୍ମିଳନୀର ଆୟୋଜନ ଓଡ଼ିଶାରେ ହେଉଛି।
ମଧ୍ୟସ୍ଥତା କୋର୍ଟ ବାହାରେ ବିବାଦ ସମାଧାନର ଏକ ପର୍ଯ୍ୟାୟବାହୀ ପ୍ରକ୍ରିୟା, ଯାହା ଭାରତୀୟ ସାମାଜିକ ପରମ୍ପରାର ସମ୍ବାଦ ଓ ସମାଧାନ ସଂସ୍କୃତିରେ ଗଭୀରରୁପେ ମୂଳତାନ୍ୱିତ। ଏହା ମାନବକେନ୍ଦ୍ରିକ, ସହଜ, ସମୟୋପଯୁକ୍ତ ଓ ସମାବେଶୀ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠାରେ ଅତ୍ୟନ୍ତ ଉପଯୋଗୀ।
୨୮ ସେପ୍ଟେମ୍ବର ୨୦୨୫ ତାରିଖରେ ପ୍ରାତଃ ୧୦:୦୦ରୁ ବିକେଳ ୪:୦୦ ପର୍ଯ୍ୟନ୍ତ ପାଞ୍ଚଟି ବୈଷୟିକ ଅଧିବେଶନ ଆୟୋଜିତ ହେବ। ସେଗୁଡିକର ମୁଖ୍ୟ ବିଷୟଗୁଡିକ:
୧. ମଧ୍ୟସ୍ଥତା: ଚ୍ୟାଲେଞ୍ଜ ଓ ଆଗାମୀ ପଥ
୨. ଭାରତରେ ମଧ୍ୟସ୍ଥତାର ପରିବେଶ ସୁଦୃଢ଼ କରିବା
୩. ରାଜ୍ୟ ସରକାରୀ ମାମଲାରେ ମଧ୍ୟସ୍ଥତା
୪. ବାଣିଜ୍ୟିକ ବିବାଦରେ ମଧ୍ୟସ୍ଥତା (Commercial Courts Act, 2015)
୫. ପ୍ରତିଷ୍ଠାନଗତ ମଧ୍ୟସ୍ଥତାର ବିକାଶ
ଉଦଯାପନୀ ସମାରୋହରେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶ୍ରୀ ଏମ୍.ଏମ୍. ସୁନ୍ଦରେଶ ବକ୍ତବ୍ୟ ପ୍ରଦାନ କରିବେ। ମୁଖ୍ୟ ବକ୍ତା ଭାବେ ନ୍ୟାୟମୂର୍ତ୍ତି ଶ୍ରୀ ଅହସାନୁଦ୍ଦିନ ଆମାନୁଲ୍ଲା ବିଶେଷ ସମ୍ବୋଧନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଜ୍ୟମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଳ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମହାନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ହରିଶ ତଣ୍ଡନ ସହ ଅନ୍ୟାନ୍ୟ ବରିଷ୍ଠ ନ୍ୟାୟାଧୀଶମାନେ ଏବଂ ସଲିସିଟର୍ ଜେନେରାଲ୍ ଶ୍ରୀ ତୁଷାର ମେହତା ଅତିଥି ଭାବେ ଯୋଗଦେବେ। ସଭାର ଅଧ୍ୟକ୍ଷତା ଓଡ଼ିଶାର ଅଧିବକ୍ତା ଜନରାଲ୍ ଶ୍ରୀ ପିତାମ୍ବର ଆଚାର୍ଯ୍ୟ କରିବେ।
ଏହି ଅବସରରେ ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମିଳନୀର ଥିମ୍ ଓ ଲୋଗୋ ଉନ୍ମୋଚନ କରିଥିଲେ। ଏହି ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ମାଧ୍ୟମରେ ଦେଶରେ ନୂତନ ଚିନ୍ତାଧାରା, ନୂତନ ଶକ୍ତି ସଂଚାରିତ ହେବା ସହିତ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତାକୁ ଦୃଢ଼ ଭିତ୍ତି ମିଳିବ ବୋଲି ଆଶା ବ୍ୟକ୍ତ କରାଯାଇଛି।