BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦୁର୍ବଳ ହୋଇଗଲା ଜଓ୍ବାଦ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇଛି ସାମୁଦ୍ରିକ ଝଡ଼ ‘ଜୱାଦ୍‌’। ରାତିରେ ଗଭୀର ଅବପାତ ହେବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଏଥି ସହିତ ପୁରୀରେ ପହଞ୍ଚିଲା ବେଳକୁ ପବନର ବେଗ କମିଯିବ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି।

ରବିବାର ରାତି ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବାର ସମ୍ଭାବନା ରହିଥିବା ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି। ସାମୁଦ୍ରିକ ଝଡ଼ ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ୍‌ଠାରୁ ୨୧୦ କି.ମି., ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ୩୨୦ କିମି, ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୩୯୦ କି.ମି ଏବଂ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୭୦ କିମି ଦୂରରେ ରହିଛି। ଏହା କ୍ରମଶଃ ଦୁର୍ବଳ ହୋଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରାୟ ଉତ୍ତର ଦିଗକୁ ଗତି କରିବ। ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ରବିବାର ମଧ୍ୟାହ୍ନରେ ପୁରୀ ନିକଟରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଉତ୍ତର-ଉତ୍ତରପୂର୍ବ ଦିଗକୁ ଓଡ଼ିଶା ଉପକୂଳ ଦେଇ ପଶ୍ଚିମ ବଙ୍ଗୋପସାଗର ଉପକୂଳ ଆଡ଼କୁ ଗତି କରିପାରେ। ବାତ୍ୟା ‘ଜୱାଦ୍‌’ର ତୀବ୍ରତା ହ୍ରାସ ପାଇବାରେ ଲାଗିଥିବା ଅନୁମାନ କରାଯାଉଛି। ରବିବାର ମଧ୍ୟାହ୍ନରେ ଏହା ପୁରୀ ଉପକୂଳ ଦେଇ ହୁଏତ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି ଓ ପରବର୍ତ୍ତୀ ସମୟରେ ଏହା ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇପାରେ। ପୁରୀ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିମି ରହିବ ବୋଲି ଆକଳନ କରାଯାଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି କଟକ ଏବଂ ଭୁବନେଶ୍ୱରରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାତ୍ୟାରେ ଅତ୍ୟଧିକ ଭିତ୍ତିଭୂମି ନଷ୍ଟ ହେବାର ସମ୍ଭାବନା ନାହିଁ। କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ପ୍ରଭାବିତ ହୋଇପାରେ। ଧାନ ଏବଂ ପନିପରିବା ଚାଷରେ ଅଧିକ କ୍ଷତି ହୋଇପାରେ। ରବିବାର ସନ୍ଧ୍ୟାରେ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରି ମଧ୍ୟରାତ୍ର ପୂର୍ବରୁ ଓଡ଼ିଶାରୁ ଏହା ହଟି ଯାଇଥିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।