ଶ୍ରୀଲଙ୍କାର କାନ୍ତାରୋଡ଼ାଇ ଖନନରୁ ମିଳିଛି କଳିଙ୍ଗର ଐତିହାସିକ ପ୍ରମାଣ
-
ଉତ୍କଳ ବିଶ୍ୱବିଦ୍ୟାଳୟରେ ଦକ୍ଷିଣ ଏସିଆର ପ୍ରତ୍ନତତ୍ତ୍ୱକୁ ନେଇ ଆନ୍ତର୍ଜାତୀୟ ଆଲୋଚନାଚକ୍ର
-
ପ୍ରତ୍ନତାତ୍ତ୍ୱିକ ଖନନରୁ ଖୋଲିଲା କଳିଙ୍ଗ-ଶ୍ରୀଲଙ୍କା ସମ୍ପର୍କର ପୁରୁଣା ପୃଷ୍ଠା
-
ପ୍ରାଚୀନ କଳିଙ୍ଗ ଓ ଶ୍ରୀଲଙ୍କା ମଧ୍ୟରେ ଥିଲା ନିବିଡ଼ ସମ୍ପର୍କ
-
ସଂଘମିତ୍ରାଙ୍କ ଶ୍ରୀଲଙ୍କା ଯାତ୍ରା ଓ କଳିଙ୍ଗର ସାଂସ୍କୃତିକ ପ୍ରଭାବ ଉପରେ ଗବେଷକଙ୍କ ମତ
-
କଳିଙ୍ଗରୁ ହିଁ ବୁଦ୍ଧଙ୍କ ପବିତ୍ର ଦାନ୍ତ ଶ୍ରୀଲଙ୍କାକୁ ନିଆଯାଇଥିଲା, ଯାହା ବର୍ତ୍ତମାନ କାଣ୍ଡିଠାରେ ଅବସ୍ଥିତ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ‘ଦକ୍ଷିଣ ଏସିଆର ପ୍ରତ୍ନତତ୍ତ୍ୱ ଏବଂ ନିକଟ ଅତୀତରେ ଶ୍ରୀଲଙ୍କାର ଜାଫନାସ୍ଥିତ କାନ୍ତାରୋଡ଼ାଇ ପ୍ରତ୍ନତାତ୍ତ୍ୱିକ ଖନନ ସର୍ବେକ୍ଷଣର ଫଳାଫଳ’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି।
ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନ୍ନାରା ଓ ମୁଖ୍ୟ ବକ୍ତା ଭାବେ ଜର୍ମାନୀର ବର୍ଣ୍ଣ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ନନ-ୟୁରୋପିଆନ କଲଚର କମିଶନର ଗବେଷିକା ଆରିନେ ଡି. ସାକସ ଯୋଗଦେଇଥିଲେ। ମୁଖ୍ୟ ଅତିଥି ପ୍ରଫେସର ମିତାଲି ଚିନ୍ନାରା ଏହି ଦିଗରେ ଅଧିକ ଗବେଷଣା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ଏବଂ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ପ୍ରମୁଖ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।
ମୁଖ୍ୟ ବକ୍ତା ଆରିନେ ଡି. ସାକସ ନିଜ ବକ୍ତବ୍ୟରେ ଶ୍ରୀଲଙ୍କାର ଜାଫନାର ଭୌଗୋଳିକ ଅବସ୍ଥିତି ଏବଂ ଦକ୍ଷିଣ ଭାରତର ତାମିଲନାଡୁ ସହ ଏହାର ସାମୁଦ୍ରିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଏହାର ଭୌଗୋଳିକ ସ୍ଥିତି ଯୋଗୁଁ ଏଠାରେ ଭୂମଧ୍ୟସାଗରୀୟ ଅଞ୍ଚଳ, ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତୀୟ ସଂସ୍କୃତିର ପ୍ରଭାବ ବହୁମାତ୍ରାରେ ଦେଖିବାକୁ ମିଳେ, ଯାହା ପ୍ରାଚୀନ ଶିଳାଲେଖ ଓ ଧର୍ମୀୟ ଭାବନାରେ ପ୍ରତିଫଳିତ। ଏହି ନିବିଡ଼ ସମ୍ପର୍କର ପ୍ରତିବିମ୍ବ ଗ୍ରୀକ୍, ରୋମ ଓ ଚାଇନା ପରି ଦେଶର ପ୍ରାଚୀନ ଲେଖକମାନଙ୍କ ପୁସ୍ତକରେ ମଧ୍ୟ ରହିଛି।
କାନ୍ତାରୋଡ଼ାଇ ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳିଥିବା ବସ୍ତୁଗୁଡ଼ିକ ସହିତ ଆନ୍ଧ୍ରପ୍ରଦେଶର ଗୁଣ୍ଟୁପାଲି ଏବଂ କେରଳର ପାଟନାମରୁ ମିଳିଥିବା ବସ୍ତୁସମୂହର ଅନେକ ସାମଞ୍ଜସ୍ୟ ରହିଛି। ବିଶେଷକରି କାନ୍ତାରୋଡ଼ାଇ ଏକ ବୌଦ୍ଧ ଉପାସନା ସ୍ଥଳ ଥିଲା, ଯାହାର ଉଲ୍ଲେଖ ଶ୍ରୀଲଙ୍କାର ବୌଦ୍ଧଗ୍ରନ୍ଥ ଦୀପବଂଶ ଓ ମହାବଂଶରେ ରହିଛି। ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ କନ୍ୟା ସଂଘମିତ୍ରା ଜାଫନାର ଏହି ଅଞ୍ଚଳ ଦେଇ ଶ୍ରୀଲଙ୍କାରେ ପ୍ରବେଶ କରିଥିଲେ ଓ ପରବର୍ତ୍ତୀ ସମୟରେ ସେଠାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା।
କଳିଙ୍ଗ ଯୁଦ୍ଧ ପରେ ଅଶୋକ ତାଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କୁ ଶ୍ରୀଲଙ୍କା ପ୍ରେରଣ କରିଥିଲେ। ପରବର୍ତ୍ତୀ ସମୟରେ କଳିଙ୍ଗରୁ ବିଜୟ ନାମକ ଜଣେ ରାଜା ସିଂହଳ ଯାଇ ସେଠାରେ ରାଜ୍ୟ ସ୍ଥାପନ କରିଥିଲେ। କଳିଙ୍ଗରୁ ହିଁ ବୁଦ୍ଧଙ୍କ ପବିତ୍ର ଦାନ୍ତ ଶ୍ରୀଲଙ୍କାକୁ ନିଆଯାଇଥିଲା, ଯାହା ବର୍ତ୍ତମାନ କାଣ୍ଡିଠାରେ ଅବସ୍ଥିତ। ଏହିଭଳି ଭାବରେ ଶ୍ରୀଲଙ୍କା ଏବଂ କଳିଙ୍ଗ ମଧ୍ୟରେ ଥିବା ପ୍ରଗାଢ଼ ଐତିହାସିକ ସମ୍ବନ୍ଧ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ଅଛି ବୋଲି ଆରିନେ ଡି. ସାକସ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହକାରୀ ପ୍ରଫେସର ଡକ୍ଟର ଅନାମ ବେହେରା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରଫେସର ଡକ୍ଟର ସୁଶାନ୍ତ କୁମାର ପାତ୍ର, ଡକ୍ଟର ପାରେଶ୍ୱର ସାହୁ ଏବଂ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।