ଭୁବନେଶ୍ୱର: ଚଳିତ ବର୍ଷ ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ଓ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ ।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୫ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ଏକ ରାଷ୍ଟୀୟ ଉତ୍ସବ ଓ ଗର୍ବର ପ୍ରତୀକ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ପୂର୍ବରୁ ଅଗଷ୍ଟ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ମାର୍ଗଠାରେ ଅଭ୍ୟାସ ପ୍ୟାରେଡ୍ର ସୁପରିଚାଳନା କରାଯିବ। ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ପ୍ୟାରେଡ୍ ଓ ପତାକା ଉତ୍ତୋଳନ ସ୍ଥାନଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ମୁଖ୍ୟ ମଞ୍ଚ ଓ ପ୍ୟାରେଡ୍ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ବିଶିଷ୍ଟ ଅତିଥି, ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉପବେଶନ ବ୍ୟବସ୍ଥା, ଉତ୍ସବସ୍ଥଳର ସାଜସଜ୍ଜା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସାଧାରଣତନ୍ତ୍ର ଦିବସ-୨୦୨୫ରେ ଉତ୍ତମ ପ୍ରଦର୍ଶନ କରିଥିବା ପ୍ରଜ୍ଞାପନ ମେଢ଼ ଓ ପ୍ୟାରେଡ୍ ଦଳମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବେ ।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସ୍ୱତନ୍ତ୍ର ସଂଖ୍ୟାକୁ ଏହି ଅବସରରେ ମୁଖ୍ୟ ଅତିଥି ଉନ୍ମୋଚନ କରିବେ। ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯିବ। ଏଥି ସହ ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ନିମନ୍ତ୍ରଣ ପତ୍ର ମୁଦ୍ରଣ ଓ ବଣ୍ଟନ ପାଇଁ ପଦକ୍ଷେପ ନିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ କରାଯିବ। ପୂର୍ବବର୍ଷ ପରି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇଠାରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯିବ। ସେହିପରି ଆର୍ଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯିବ।
ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପି୍ରୟା ସାହୁ, ଉପ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପି୍ରୟଦର୍ଶିନୀ, ବିତ୍ତ ପରାମର୍ଶଦାତା ପୃଥ୍ୱୀରାଜ ପାଣିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।