ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘର ଓ ସମ୍ପୃକ୍ତ ସ୍ଥାନଗୁଡିକୁ ଲକ୍ଷ୍ୟ କରି ଆୟକର ବିଭାଗ ବୃହତ ଚଢ଼ାଉ ଅଭିଯାନ ଆରମ୍ଭ କରିଛି। ଆଜି ସକାଳ ୫ଟାରୁ ଓଡିଶାର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ୱର ଓ ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଏହି ଚଢ଼ାଉ ଅଭିଯାନ ଆରମ୍ଭ ହୋଇଛି।
ଆୟକର ଠକେଇ ଓ ଅଘୋଷିତ ଆୟ ଅଭିଯୋଗକୁ ନେଇ ଏହି ଚଢ଼ାଉ ହେଉଛି। ଚଢ଼ାଉରେ ଦେଶରୁ ଆସିଥିବା ୨୦ଟି ଟିମ ସାମିଲ ହୋଇଛି। ଏଥିରେ ୧୨୦ ଆୟକର ଅଧିକାରୀ, ୪୦ CRPF ଜବାନ, ୬୦ଟି ଯାନବାହନ ଓ ବୈଜ୍ଞାନିକ ଟିମ ଅନ୍ତର୍ଭୁକ୍ତ ଅଛନ୍ତି।
ବିଶାଳ ଦାସ ଦିଲ୍ଲୀରେ ଓ ଦୀପାଳି ଦାସ ପୁରୀରୁ ଫେରୁଥିବା ବେଳେ ତାଙ୍କ ଉପରେ ନଜର ରଖି ଅନୁସନ୍ଧାନ କରାଯାଉଛି। ତାଙ୍କ ବ୍ୟବସାୟିକ ସହଯୋଗୀଙ୍କ ଅଫିସରେ ମଧ୍ୟ ଚଢ଼ାଉ ହୋଇ ଟ୍ରାନ୍ସପୋର୍ଟ ଦସ୍ତାବେଜ ଯାଞ୍ଚ ହେଉଛି।
ଆୟକର ବିଭାଗର ଏହି ଅଭିଯାନ ଏପର୍ଯ୍ୟନ୍ତ ଚାଲିଥିବାବେଳେ, କେତେ ଟଙ୍କା ଅଘୋଷିତ ସମ୍ପତ୍ତି ବାହାରିଛି, ସେ ନେଇ ଆଧିକାରିକ ତଥ୍ୟ ଆସିନାହିଁ।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ