ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଚାଲିଥିବା ଶାରୀରିକ ପରୀକ୍ଷା ବେଳେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ସକାଳେ ଦୌଡ ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
ମୃତକ ପ୍ରାର୍ଥୀଙ୍କ ପରିଚୟ ମିଳିଛି ଏବଂ ସେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ ବୋଲି ଜଣାପଡିଛି। ରାଣୀପେଣ୍ଠ ଠାରୁ ପଦ୍ମପୁର ମଧ୍ୟରେ ଥିବା ଦୁଇ କିମି ରାସ୍ତାରେ ପ୍ରାର୍ଥୀମାନେ ଦୌଡ଼ ପରୀକ୍ଷା ଦେଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।
ଦୌଡ ସମୟରେ କିଛି ପ୍ରାର୍ଥୀ ହଠାତ ଅସୁସ୍ଥ ହୋଇ ପଡ଼ିଯିବା ପରେ ସେମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ।
ଆହତ ୭ ଜଣ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳିଛି – ପି. ବାବୁଜୀ (ପାରଳାଖେମୁଣ୍ଡି), ଅର୍ଫନ ପାଣି (ଗୁମ୍ମା), ସଞ୍ଜୟ ଶବର (ଗୋଷାଣୀ), ବାଳକୃଷ୍ଣ ଲିମ୍ମା (କାଶୀନଗର), ଦୀପକ ପାଡାଲ (ନାରାୟଣପୁର), ଓ ଶିବ ପ୍ରସାଦ ମହାପାତ୍ର (ଗୁରାଣ୍ଡି) । ଅନ୍ୟ ଦୁଇ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।
ଏହି ଘଟଣା ପରେ ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ