ଭୁବନେଶ୍ବର: ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର। କେଉଁ ବିଭାଗରେ କେତେ ଅପାରଗ ବାବୁ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ଏହାର ଟିକନିକ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ସବୁ ବିଭାଗକୁ ରିପୋର୍ଟ ଦେବାକୁ କହିଛନ୍ତି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।
କେମିତି ଚାଲିଛି କାମ, ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ଏନେଇ ସଚିବଙ୍କୁ ତଥ୍ୟ ମାଗିଲେ ମୁଖ୍ୟ ଶାସନ ସଚିବ। ମନୋଜ ଆହୁଜାଙ୍କ ନିର୍ଦ୍ଦେଶରେ ଓଏସଡି କଲ୍ୟାଣ କୁମାପ ରଥ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି। ଏଥିରେ ୧୨ଟି ବିଷୟ ଉପରେ ସ୍ଥିତାବସ୍ଥାର ତଥ୍ୟ ମାଗିଛନ୍ତି ମୁଖ୍ୟ ଶାସନ ସଚିବ। ସବୁଠାରୁ ବଡ଼ କଥା ହେଉଛି, ଅଯୋଗ୍ୟ ବାବୁଙ୍କୁ ନେଇ ପ୍ରମାଣ ମିଳିଲେ ସେମାନଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ହୋଇଛି ।
ଚିଠିରେ ଦର୍ଶାଯାଇଛି ଯେ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ପରୀକ୍ଷା ହେବ। ସରକାର ନିର୍ଦ୍ଦେଶରେ କାମ କରୁ ନଥିବା ବାବୁଙ୍କୁ ଅପାରଗ ବିବେଚିତ କରାଯିବ ସହ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରୁଥିବା ବାବୁଙ୍କ ନାଁ ପଦୋନ୍ନତି ତାଲିକାରେ ରହିବ ନାହିଁ। ପଦୋନ୍ନତି ପାଇବା ଯୋଗ୍ୟ ଥିଲେ ସିଲ୍ଡ ଲଫାପାରେ ରଖାଯିବ। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଚାକିରିଆଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନ୍ସେନ୍ ଦେବାକୁ ହୋଇଥିଲା ନିଷ୍ପତ୍ତି।
କେତେଜଣଙ୍କୁ ବାସ୍ତବରେ ପେନ୍ସନ୍ ପ୍ରମାଣପତ୍ର ମିଳିଛି ନିର୍ଦ୍ଧିଷ୍ଟ ଫର୍ମାଟରେ ଦେବାକୁ ନିର୍ଦ୍ଦେଶ। ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନର ନିର୍ଦ୍ଦେଶ ଦେଇଥିଲେ ସରକାର। କେଉଁ ଅଧିକାରୀ କେବେ, କେଉଁ ସ୍ଥାନକୁ ଗସ୍ତ କରିଛନ୍ତି ତଥ୍ୟ ରଖିବାକୁ ନିର୍ଦ୍ଦେଶ। ତୃଣମୂଳସ୍ତରରେ ସରକାରଙ୍କ ଯୋଜନା କେତେଦୂର କାର୍ଯ୍ୟକାରୀ ହୋଇଛି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ଅଗଷ୍ଟ ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।