BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଜନଜାତିଙ୍କ ସ୍ବାଭିମାନ ଓ ଅସ୍ମିତାର ଅନନ୍ୟ ପ୍ରତୀକ ଲକ୍ଷ୍ମଣ ନାୟକ

ରାଜ୍ୟସ୍ତରୀୟ ଜୟନ୍ତୀରେ ଶହୀଦ ଲକ୍ଷ୍ମଣ ନାଏକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଶହୀଦ ଲକ୍ଷ୍ମଣ ନାଏକଙ୍କ ନିର୍ଭୀକତା, ତ୍ୟାଗ ଓ ଜାତିପ୍ରୀତିର ପଟାନ୍ତର ନାହିଁ । ଓଡ଼ିଶାର ତେନ୍ତୁଲିଗୁମାରେ ଜନ୍ମିତ ଏହି ମହାନାୟକ ଜଣେ ବିଚକ୍ଷଣ ଆଦିବାସୀ ନେତା ଥିଲେ ଯିଏକି ଅତ୍ୟାଚାରୀ ବ୍ରିଟିଶ ଶାସନ ବିରୁଦ୍ଧରେ ଏବଂ ନିଜ ସମ୍ପ୍ରଦାୟର ଅଧିକାର ପାଇଁ ସଂଗ୍ରାମ କରିଥିଲେ। ପରାଧୀନତା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ କରି ସେ ଫାଶୀ ଖୁଣ୍ଟରେ ଝୁଲିଥିଲେ। ଦେଶବତ୍ସଳ ନାମରେ ଅଭିହିତ, ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଭାବରେ ସହିଦ ଲକ୍ଷ୍ମଣ ନାୟକ ଅବିସ୍ମରଣୀୟ ରହିବେ ବୋଲି ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତପ୍ରଦାନ କରି ମହାନ ସଂଗ୍ରାମୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିବେଦନ କରିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ  ଭାରତର ସ୍ବାଧୀନତା ସଂଗ୍ରାମର ଚିତ୍ର ଓ ଚରିତ୍ର ଅଧ୍ୟୟନ ଓ ଅନୁଶୀଳନ କଲାବେଳେ ଆଦିବାସୀମାନଙ୍କର ମହାନ୍‌ ଅବଦାନକୁ ଅସ୍ବୀକାର କରିପାରିବା ନାହିଁ। ୧୯୨୧ ମସିହାରେ ମହାତ୍ମାଗାନ୍ଧୀ ଯେତେବେଳେ ଅସହଯୋଗ ଡାକରା ଦେଲେ, ସେତେବେଳେ ଲକ୍ଷ୍ମଣ ନାଏକଙ୍କ ଆହ୍ବାନକ୍ରମେ କୋୟା ଓ ବଣ୍ଡା ଆଦିବାସୀମାନେ ଲୁଚିଛପି ବ୍ରିଟିଶ ମାନଙ୍କ ଉପରେ ସଶସ୍ର ଆକ୍ରମଣ କରିଥିଲେ। ତାଙ୍କରି ଉଦ୍ୟମ ଫଳରେ କୋରାପୁଟ ଜିଲ୍ଲାରେ ସ୍ବାଧୀନତା ସଂଗ୍ରାମର ବହ୍ନି ଜଳି ଉଠିଥିଲା।

ଲକ୍ଷ୍ମଣ ବ୍ରିଟିଶ ସରକାରଙ୍କ ଅସହଯୋଗ କରିବା ପାଇଁ ଆଦିବାସୀମାନଙ୍କ ନେତୃତ୍ବ ନେଇଥିଲେ। ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ସେ ମାଥିଲିରେ ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ନେତୃତ୍ୱ ନେଇଥିଲେ, ଯେଉଁଠାରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇଥିଲା। ଏଥିପାଇଁ ନାୟକଙ୍କୁ ମିଥ୍ୟା ହତ୍ୟା ଅଭିଯୋଗରେ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ଫାଶୀ ଦଣ୍ଡ ଦିଆଯାଇଥିଲା। କହିବାକୁ ଗଲେ ସେ ଥିଲେ କୋରାପୁଟ ଜିଲ୍ଲାରେ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମହାନାୟକ। ଜନଜାତିଙ୍କ ସ୍ବାଭିମାନ ଓ ଅସ୍ମିତାର ଅନନ୍ୟ ପ୍ରତୀକ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ଆମେ ସମସ୍ତେ ଗର୍ବିତ। ତାଙ୍କର ମହାନ ଦେଶଭକ୍ତି, ଦେଶ ସେବା ଓ ଜନସେବା ନିମନ୍ତେ ସେ ଚିରଦିନ ପାଇଁ ଅମର ହୋଇ ରହିବେ।

ବିଶିଷ୍ଟ ଶିକ୍ଷାବିତ୍ ଏବଂ ସ୍ତମ୍ଭକାର ଡ. ବାସନ୍ତୀ ମହାନ୍ତି  ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ମାଲକାନଗିରି ଅଞ୍ଚଳର ଆଦିବାସୀ ମାନଙ୍କ ମଧ୍ୟରେ ସେ ଜଣେ ଲୋକନାୟକ ଭାବରେ ଜଣାଶୁଣା। କୋରାପୁଟ ଜିଲ୍ଲାର ସରଳ, ନିରୀହ, ନିଷ୍କପଟ ଆଦିବାସୀମାନେ ବର୍ବର ଇଂରେଜମାନଙ୍କ ଦ୍ଵାରା ଅନ୍ୟାୟ ଓ ଅତ୍ୟାଚାରରେ ଶୋଷିତ ହେଉଥିଲେ। ସେତେବେଳେ ମହାଜନମାନେ ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ ଏବଂ ସେମାନଙ୍କୁ ବେଠି ଖଟାଉ ଥିଲେ।

ଏହିସବୁ କାର୍ଯ୍ୟ ଲକ୍ଷ୍ମଣ ନାଏକଙ୍କୁ ବିଶେଷ ବିବ୍ରତ କରିଥିଲା। ସେ ନିଜ ଦେଶୀୟ ଭାଷାରେ ହୃଦୟସ୍ପର୍ଶୀ ଭାଷଣ ଦେଇ ଦେଶପ୍ରେମ ଓ ସ୍ୱାଧୀନତା ବହ୍ନିକୁ ପ୍ରଜ୍ଵଳିତ କରିଥିଲେ। ପରେ ସେ ଆଦିବାସୀମାନଙ୍କୁ ସଙ୍ଗଠିତ କରି ଅନ୍ଧବିଶ୍ଵାସ, ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ସେ ସରକାରଙ୍କୁ ବିରୋଧ କରିଥିବାରୁ ତାଙ୍କୁ ରାଜଦ୍ରୋହୀ ବୋଲି ଘୋଷଣା କରାଯାଇ ଶେଷରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆ ଯାଇଥିଲା। ଦେଶମାତୃକାର ରକ୍ଷା ପାଇଁ ବୀର ଲକ୍ଷ୍ମଣଙ୍କୁ ଏ ଜାତି ଚିରକାଳ ମନେ ରଖିବ ବୋଲି ଡ଼. ମହାନ୍ତି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢ଼ାଲି ଯୋଗଦେଇ କହିଲେ ଯେ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ମଣ ନାଏକଙ୍କ ଭୂମିକା ଓଡ଼ିଶାର ଜନଜାତିଙ୍କ ସ୍ୱାଭିମାନକୁ ରୁଦ୍ଧିମନ୍ତ କରିଛି।  ଶହୀଦ ଲକ୍ଷ୍ମଣ ନାଏକ ପରାଧୀନତା, ଜନଜାତିଙ୍କୁ ଶୋଷଣ, ଅତ୍ୟାଚାର ଏବଂ ନିର୍ଯାତନା ବିରୋଧରେ ସଂଗ୍ରାମ କରିଥିଲେ ବୋଲି ଦର୍ଶାଇ ତାଙ୍କର ଦେଶପ୍ରୀତି ଉତ୍ତରପିଢ଼ିଙ୍କ ଅନୁପ୍ରେରିତ କରୁଥିବ ବୋଲି ଉଲ୍ଲେଖ କରିଥିଲେ।

ସମାରୋହରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ (କ୍ଷେତ୍ର ) ସୁଚେତା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଅବସରରେ କହିଲେ ଯେ ମାଲକାନଗିରି ଅଞ୍ଚଳର ଆଦିବାସୀମାନଙ୍କ ମଧ୍ୟରେ ସେ ଜଣେ ଲୋକନାୟକ ଭାବରେ ଜଣାଶୁଣା । ସମାଜରେ ସମାନ ଅଧିକାର ଓ ନ୍ୟାୟ ପାଇଁ ତାଙ୍କ ଲଢ଼ାଇ ସଦା ଶ୍ରଦ୍ଧାର ସହ ଉଚ୍ଚାରିତ ହୁଏ। ତାଙ୍କ ବଳିଦାନ ଆଜି ମଧ୍ୟ ଯୁବପିଢିକୁ ଦେଶପ୍ରେମର ପଥରେ ପ୍ରେରିତ କରି ଆସୁଛି।

ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ତଥା ସହିଦ ଲକ୍ଷ୍ମଣ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣ ପରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରା ଯାଇଥିଲା। ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ବରର ଉପ ସଭାପତି ଇଂ ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଲୋକ ସମ୍ପର୍କ ଅଧିକାରୀ. ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ଜୟଦେବ ଭବନର ଉପ ନିର୍ଦ୍ଦେଶକ ଦିପ୍ତିମୟୀ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।