ଗଣତନ୍ତ୍ର ପ୍ରତି ଥିବା ଆସ୍ଥା ଓ ବିଶ୍ୱାସ ପ୍ରଦର୍ଶିତ, ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି। ଏଥିରେ ଐତିହାସିକ ୮୩.୪୫% ମତଦାନ ହୋଇଛି। ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ। ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନୂଆପଡ଼ାର ମତଦାତାଙ୍କୁ ଐତିହାସିକ ଅଂଶଗ୍ରହଣ ଦ୍ଵାରା ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର।
୭୧–ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ ହୋଇଛି। ମତଦାନରେ ଏହି ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ନୂଆପଡାବାସୀଙ୍କ ଗଣତନ୍ତ୍ର ପ୍ରତି ଥିବା ଆସ୍ଥା ଓ ବିଶ୍ୱାସକୁ ପ୍ରଦର୍ଶିତ କରୁଛି ।
ବିପୁଳ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ପର୍ବକୁ ସଫଳ କରିଥିବା ସମସ୍ତ ମତଦାତାଙ୍କୁ ଆମର ଅଶେଷ ଅଶେଷ ଧନ୍ୟବାଦ ।
ମତଦାତାଙ୍କ ମଧ୍ୟରେ ସଚେତନତା… pic.twitter.com/FzYqj8tHIH
— Chief Electoral Officer, Odisha (@OdishaCeo) November 12, 2025
ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନର ମତଦାନ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି। ଏଥିରେ ୮୩.୪୫% ମତଦାନ ହୋଇଛି। ଯାହା ପୂର୍ବ ନିର୍ବାଚନ ତୁଳନାରେ ପାଖାପାଖି ୧୦% ଅଧିକ ରହିଛି। ମହିଳା ମତଦାତାଙ୍କ ଅଂଶଗ୍ରହଣ ପୁରୁଷଙ୍କୁ ଅତିକ୍ରମ କରିଛି । ନୂଆପଡାରେ ମୋଟ ୨,୫୪,୪୯୭ ଜଣ ଭୋଟର। ସେଥିରେ ୧,୨୪,୫୪୪ ଜଣ ପୁରୁଷ ଓ ୧,୨୯,୯୩୨ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨,୧୨,୩୮୫ ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧,୦୩,୮୧୭ ଜଣ ପୁରୁଷ ଓ ୧,୦୮,୫୬୩ ଜଣ ମହିଳା ଭୋଟ ଦେଇଛନ୍ତି । ଯାହା ଏକ ସୁସ୍ଥ ସମାଜ ଏବଂଉତ୍ତମ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି ଯେ ମତଦାନ ଶେଷ ହେବା ପରେ ସମସ୍ତ ଇଭିଏମ ଏବଂ ଭିଭିପ୍ୟାଟକୁ ନିର୍ଦ୍ଧିଷ୍ଟ ଷ୍ଟ୍ରଙ୍ଗରୁମରେ ତିନି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ରଖାଯାଇଛି । ଷ୍ଟ୍ରଙ୍ଗରୁମ ଟି ୨୪ ଘଣ୍ଟା ସିସିଟିଭି ନିରୀକ୍ଷଣରେ ରହିଛି। ମେସିନଗୁଡିକର ମୁଦ ଓ ସଂରକ୍ଷଣ ପ୍ରକ୍ରିୟା ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଭିଡିଓଗ୍ରାଫ ସହ ସମ୍ପନ୍ନ ହୋଇଛି । ଭୋଟ ଗଣନା ସଂପୂର୍ଣ୍ଣ ସ୍ବଚ୍ଛ ଓ ସୁରକ୍ଷିତ ଭାବରେ କରାଯିବ। ମତଗଣନା ଟେବୁଲ, ପର୍ଯ୍ୟବେକ୍ଷକ ନିଯୁକ୍ତି, ସିସିଟିଭି ନିରୀକ୍ଷଣର ବ୍ୟବସ୍ଥା ଓ ଷ୍ଟ୍ରଙ୍ଗରୁମର ପର୍ଯ୍ୟବେକ୍ଷଣ କରାଯାଇଛି। ସମ୍ପୂର୍ଣ୍ଣ ପାରଦର୍ଶିତା ଓ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣନା ଅନୁଷ୍ଠିତ ହେବ। ଭୋଟ ଗଣନା ପାଇଁ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ଇଭିଏମ ଓ ପୋଷ୍ଟଲ ବାଲାଟ ଗଣତି ହେବ। ଏହା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଇଭିଏମ୍ ଗଣନା ପାଇଁ ୧୪ ଟେବୁଲ ବ୍ୟବସ୍ଥା ହୋଇଛି। ଭିଭିପାଟ ଓ ପୋଷ୍ଟାଲ ବାଲାଟ ଗଣତି ପାଇଁ ଗୋଟେ ଗୋଟେ ଟେବୁଲ ବ୍ୟବସ୍ଥା ହୋଇଛି। ଯେଉଁଠି ଇଭିଏମ୍ ଖରାପ ହୋଇଛି ସେଠାରେ ଭିଭିପାଟ ଗଣତି ପାଇଁ ବ୍ୟବସ୍ଥା ରହିଛି।
ଦେଶର ଅନ୍ୟ ୮ ବିଧାନସଭା ମଣ୍ଡଳୀରେ ହୋଇଥିବା ଉପନିର୍ବାଚନରେ ନୂଆପଡ଼ାରେ ସର୍ବାଧିକ ମତଦାନ ରେକର୍ଡ କରାଯାଇଛି। ଉତ୍ତମ ପ୍ରସ୍ତୁତି, ବ୍ୟାପକ ଜନସଚେତନତା, ସଶକ୍ତ ସୁରକ୍ଷା ବ୍ୟବସ୍ଥା, ନିର୍ବାଚନ ଅଧିକାରୀ ଓ କର୍ମଚାରୀ, ପ୍ରାର୍ଥୀ, ଅନ୍ୟାନ୍ୟ ଅଂଶୀଦାର ସର୍ବୋପରି ମତଦାତାଙ୍କ ସକ୍ରିୟ ସହଯୋଗ ଯୋଗୁଁ ସମ୍ଭବ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୁନାବେଡ଼ା ଅଞ୍ଚଳରେ ଥିବା ସମସ୍ତ ୮ଟି ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ପୋଲିଂ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ସମ୍ପନ୍ନ ହୋଇଛି। ଆକାଶରୁ ନିରୀକ୍ଷଣ ପାଇଁ ନିଯୋଜିତ ହେଲିକପ୍ଟର ଓ ସୁରକ୍ଷା କର୍ମୀଙ୍କ ସହଯୋଗରେ ଏହି ଅଞ୍ଚଳରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ଜୟନ୍ତୀ ଛତ୍ରିଆଙ୍କ ଭୋଟ ଅନ୍ୟ ଜଣେ କେହି ଦେଇଦେବାର ଅଭିଯୋଗ ଆସିଥିଲା । ଅଭିଯୋଗକୁ ଗୁରୁତର ସହିତ ନେଇ ଏ ସମ୍ପର୍କରେ କ୍ଷେତ୍ର ଅଧିକାରୀ ଓ ପୁଲିଙ୍ଗ ଅଫିସର ତତକ୍ଷଣାତ ଯାଞ୍ଚ କରିଥିଲେ । ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ଯାଞ୍ଚ ସମୟରେ ଜଣାପଡିଛି।
ଭୋଟର ଗୁପ୍ତତାକୁ ଉଲଂଘନ ଅଭିଯୋଗରେ ଦୁଇଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଉଛନ୍ତି ପୋଲିଂ ଷ୍ଟେସନ ନଂ ୩୬ର ଧନଞ୍ଜୟ ମଲ୍ଲିକ, ପୋଲିଂ ଷ୍ଟେସନ ନଂ ୪୬ର ସନ୍ଦୀପ ସ୍ଵାଇଁ। ମତଦାନ ସମୟରେ ଯାନ୍ତ୍ରିକ ତ୍ରୁଟି ଉତ୍ପନ୍ନ ହେତୁ ପୋଲିଂ ଷ୍ଟେସନ ୮୦ ଓ ୨୪୬ ରେ ସମ୍ପୂର୍ଣ୍ଣ ଇଭିଏମ ସେଟ ଓ ପୋଲିଂ ଷ୍ଟେସନ ୨୯୮ ରେ କେବଳ ଭିଭିପ୍ୟାଟ ପରିବର୍ତ୍ତନ କରାଯାଇଛି। ବୁଥ ନଂ୧୧ ରେ ରଙ୍ଗୀନ ଭୋଟର ତାଲିକା ବ୍ୟବହାର ହେଉଥିବା ଅଭିଯୋଗ ଆସିଥିଲା। ସେହି ସ୍ଥାନରେ ନିଯୋଜିତ ଅଧିକାରୀ ତତକ୍ଷଣାତ ଯାଞ୍ଚ କରି ପୋଲିଂ କେନ୍ଦ୍ର ବାହାରେ ଦୁଇଜଣ ବ୍ୟକ୍ତିଙ୍କୁ ଏହିପରି ତାଲିକା ସହ ପାଇଥିଲେ। ସେହି ତାଲିକାଗୁଡ଼ିକୁ ତୁରନ୍ତ ଜବତ କରାଯାଇ ଆଗକୁ ଯେପରି ଏଭଳି ରଙ୍ଗୀନ ଭୋଟର ତାଲିକା ବ୍ୟବହାର କରା ନ ଯିବ ତାହା ସୁନିଶ୍ଚିତ କରାଯାଇଥିଲା। ପୋଲିଂ ଷ୍ଟେସନ ନଂ ୨୫୦ ରେ ଭୋଟିଂ ତଥ୍ୟ ମେଳ ନ ଖାଇବାର ଅଭିଯୋଗ ଆସିଥିଲା। ଯାଞ୍ଚ ପରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣାପଡିଥିଲା କହିଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର।
୭୧-ନୂଆପଡ଼ା ଉପନିର୍ବାଚନ-୨୦୨୫ରେ ଆପଣଙ୍କ ଉତ୍ସାହୀ ଅଂଶଗ୍ରହଣ ପାଇଁ ଧନ୍ୟବାଦ ✨#CEOOdisha #ECI #Nuapadabyelection #Nuapada #Odisha pic.twitter.com/mQoRHd3NET
— Chief Electoral Officer, Odisha (@OdishaCeo) November 12, 2025