ଭୁବନେଶ୍ୱର: ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ମୁଖ୍ୟାଂଶ:-
- ଚାଷୀ ପରିବାରଙ୍କ ରୋଜଗାର ବର୍ଷକୁ ଅତିକମ୍ରେ ୩୦ ହଜାର ଟଙ୍କା ବୃଦ୍ଧି ପାଇଛି
- ଅଗ୍ନିବୀର ପ୍ରଶିକ୍ଷଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି
- ରାଜ୍ୟ ସରକାର ଖୁବଶୀଘ୍ର ରାଜ୍ୟରେ ଏକ ଫାର୍ମା କନକ୍ଳେଭ୍ କରିବାକୁ ଯାଉଛନ୍ତି
- ଆମ ପାଇଁ ନାରୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ କିମ୍ବା ଭୋଟବ୍ୟାଙ୍କ ନୁହେଁ (ବିରୋଧୀଙ୍କୁ କଟାକ୍ଷ)
- ଅପରାଧ ବୃଦ୍ଧିର ଗୋଟିଏ ବଡ କାରଣ ହେଉଛି ନିଶା କାରବାର। ତେଣୁ, ଓଡିଶାରେ ନିଶା ନିବାରଣକୁ ଆହୁରି ଜୋରଦାର କରାଯିବ ଏବଂ ଏଥିରେ ସମ୍ପୃକ୍ତ ନିଶା ମାଫିଆଙ୍କୁ ସଂପୂର୍ଣ୍ଣ ଭାବେ ଦମନ କରାଯିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି
- ସଂଗଠିତ ଅପରାଧକୁ ନିର୍ମୂଳ କରିବା ପାଇଁ ଆବଶ୍ୟକ ହେଲେ, ସ୍ଵତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ସରକାର ତିଳେମାତ୍ର ସଙ୍କୋଚ କରିବେ ନାହିଁ। ଦାଦାବଟି, ଜବରଦସ୍ତ ଚାନ୍ଦା ଆଦାୟ ବା ହପ୍ତା ଅସୁଲି ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ଏହାକୁ ସଂଘଟିତ ଅପରାଧ ଶ୍ରେଣୀ ଭାବେ ବିଚାର କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ
- ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବିଶେଷ ଭାବେ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ “ସୁରକ୍ଷିତ ଅଞ୍ଚଳ” ଭାବେ ଘୋଷଣା କରାଯିବ ଏବଂ କ୍ୟାମ୍ପସ ଗୁଡିକରେ ମଦ୍ୟପାନ ଓ ନିଶା ସେବନକୁ ସଂପୂର୍ଣ୍ଣ ରୂପେ ବାରଣ କରାଯିବା ସହିତ, ଅଣଛାତ୍ରଙ୍କ ଅସାମାଜିକ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ଭାବେ ଦମନ କରାଯିବ
- ଓଡିଶାରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ଥିବାବେଳେ ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରଠାରେ ସରକାରୀ ମେଡିକାଲ କଲେଜ ଖୋଲାଯିବ
- ବ୍ରହ୍ମପୁର ମେଡିକାଲ କଲେଜର ଉନ୍ନତି କରାଯାଇ ତାକୁ ଏମ୍ସ ପ୍ଲସ କରିବାପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ
- ରାଜ୍ୟର ତିନିଗୋଟି ବୃହତ୍ତମ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ସହିତ ଆସୁଥିବା ଆତ୍ମୀୟସ୍ଵଜନଙ୍କ ପାଇଁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ରହଣି ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରାୟ ୨ ହଜାର ୨୫୦ ଶଯ୍ୟାର ସୁବିଧା କରାଯାଉଛି
- ଆମ ରାଜ୍ୟର ପଛୁଆ ଅଞ୍ଚଳର ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ପାଦେ ଆଗକୁ ନେଇ, ଅଧିକ ଚାଉଳ ଯୋଗାଇ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି
- ନିଷ୍ପତ୍ତି ଅନୁଯାୟୀ, ୮ଟି କେବିକେ ଜିଲ୍ଲା ସହିତ ବୌଦ୍ଧ, ଗଜପତି ଓ କନ୍ଧମାଳ- ସମୁଦାୟ ୧୧ ଟି ଜିଲ୍ଲାର ପ୍ରାୟ ୨୭ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପରିବାରଙ୍କୁ, ତିନି ମାସ ପାଇଁ, ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ, ମାଗଣାରେ ଯୋଗାଇ ଦେବା ପାଇଁ ନିର୍ଣ୍ଣୟ କରାଯାଇଛି । ଏଥିରେ ସମୁଦାୟ ୪୧,୦୮୨ ମେଟ୍ରିକ ଟନ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ଏହା ବାବଦରେ ରାଜ୍ୟ ସରକାର ନିଜସ୍ଵ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ବହନ କରିବେ
- ରାଜ୍ୟରେ ତିନୋଟି ପ୍ରମୁଖ ବନ୍ଦର ଥିବାବେଳେ ଆମେ ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ଠାରେ ଆଉ ୪ଟି ନୂତନ ବନ୍ଦର ନିର୍ମାଣ କରିବାର ଲକ୍ଷ୍ୟ ରଖିଛୁ
- ସରକାର ଭୁବନେଶ୍ଵରରେ ‘ଜନ ଆଶ୍ରୟ ଭବନ’ ନିର୍ମାଣ କରିବାକୁ ଯାଉଛନ୍ତି। ଏଠାରେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ରହି ନିଜ ନିଜ କାର୍ଯ୍ୟ ସୁବିଧାରେ କରି ପାରିବେ। ଏହାର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ
- ରାଜ୍ୟର ଦ୍ରୁତ ବିକାଶ ଓ ଅଭିବୃଦ୍ଧି ସହିତ ଜନ ସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର ଆଉ ୨୧ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି
- ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ସବୁ ଦୁର୍ନୀତିଖୋର ଅଧିକାରୀ ସରକାରଙ୍କ ସ୍କାନରରେ ଅଛନ୍ତି। ‘ଆଖି ନାହିଁ, କାନ ନାହିଁ, ବାଜି ଗଲେ ଦୋଷ ନାହିଁ’ ନ୍ୟାୟରେ ଭିଜିଲାନ୍ସ ବିଭାଗର ଖଣ୍ଡା ବୁଲୁଛି। ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯିବ, ପରେ ପଦପଦବୀ ଦେଖାଯିବ। ଦୁର୍ନୀତିଖୋରଙ୍କ ପ୍ରତ୍ୟେକଟି ରାତ୍ରି, ଭୟ ଏବଂ ବିଷାଦରେ କଟିବ, ଏହାର ଗ୍ୟାରେଣ୍ଟି ମୁଁ ଦେଉଛି ।