ଭୁବନେଶ୍ୱର: ଜାତୀୟ ତମାଖୁ ନିଷେଧ କାର୍ଯ୍ୟକ୍ରମ (ଏନଟିସିପି) ଅଧୀନରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ବିଶ୍ୱ ତମାଖୁ ନିଷେଧ ଦିବସ-୨୦୨୫ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସ ଅଧ୍ୟକ୍ଷତା କରି ତମାଖୁ ବ୍ୟବହାରକୁ ରୋକିବା ପାଇଁ ଅନ୍ତଃବିଭାଗୀୟ ସମନ୍ୱୟ ଏବଂ ଜନସଚେତନତାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ।
ଏହି ଅବସରରେ ଏକ ସ୍ବାକ୍ଷର ଅଭିଯାନ ଆରମ୍ଭ କରାଯାଇଥିଲା। ଏହା ସଚେତନ ନାଗରିକମାନଙ୍କ ସମର୍ଥନକୁ ଏକତ୍ରିତ କରାଇ ଏକ ତମାଖୁ ମୁକ୍ତ ଓଡ଼ିଶା ଗଠନ ପାଇଁ ଜନସାଧାରଣଙ୍କ ସଂକଳ୍ପକୁ ମଜବୁତ କରିବ। ଏହା ସହ ଯୁବପିଢ଼ି ଏବଂ ଦୁର୍ବଳ ମାନସିକତାର ଲୋକଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି କରିବା ପାଇଁ ନୂତନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ସାମଗ୍ରୀ ଉନ୍ମୋଚିତ କରାଯାଇଥିଲା । ଜାତୀୟ ତମାଖୁ ନିଷେଧ କାର୍ଯ୍ୟକ୍ରମ ଅଧୀନରେ ବାର୍ଷିକ କାର୍ଯ୍ୟକଳାପ ରିପୋର୍ଟ ୨୦୨୪-୨୫ ପ୍ରକାଶିତ ହୋଇଥିଲା। ବିଗତ ବର୍ଷରେ ହାସଲ ହୋଇଥିବା ପ୍ରବର୍ତ୍ତନ ମାଇଲଖୁଣ୍ଟର ଅଗ୍ରଗତି, ଜିଲ୍ଲା ଗୁଡିକର ସାମ୍ପ୍ରତିକ ସ୍ଥିତି ଏହି ରିପୋର୍ଟରେ ସ୍ଥାନିତ ହୋଇଛି।
ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ ପରିଚାଳନା ନିମନ୍ତେ ଆପ୍ଲିକେସନ – ToFEI ଆପ୍: ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ (ToFEI) ପାଇଁ ଏକ ୱେବ-ଆଧାରିତ ଆପ୍ଲିକେସନର ଉନ୍ମୋଚନ କରାଯାଇଥିଲା, ଯାହା ସ୍କୁଲ ଏବଂ କଲେଜଗୁଡ଼ିକୁ ସ୍ଵକୀୟ-ମୂଲ୍ୟାୟନ, ରିପୋର୍ଟିଂ ଏବଂ ଜାତୀୟ ToFEI ନିର୍ଦ୍ଦେଶାବଳୀ ଅନୁପାଳନକୁ ଅଧିକ କ୍ରିୟାଶୀଳ କରିବାକୁ ସକ୍ଷମ ହେବ ।
ଜାତୀୟ ତମାଖୁ ନିଷେଧ କାର୍ଯ୍ୟକ୍ରମ ଅଧୀନରେ ଉତ୍କୃଷ୍ଟ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ, ନିମ୍ନଲିଖିତ ଜିଲ୍ଲାଗୁଡ଼ିକୁ ସମ୍ମାନିତ କରାଯାଇଛି:
- ଗଞ୍ଜାମ – ଏନଟିସିପିର ସାମଗ୍ରିକ କାର୍ଯ୍ୟାନ୍ୱୟନ
- ସୁନ୍ଦରଗଡ଼ – ତମାଖୁ ନିୟନ୍ତ୍ରଣ ଆଇନ ପ୍ରବର୍ତ୍ତନରେ ଉତ୍କର୍ଷତା
- କଟକ – ଏନଟିସିପି ଅଧୀନରେ ଦକ୍ଷ ଆର୍ଥିକ ପରିଚାଳନା
ଏହା ବ୍ୟତୀତ, ପାଞ୍ଚଟି ପ୍ରମୁଖ ବିଭାଗକୁ ସେମାନଙ୍କର ଉଦାହରଣାତ୍ମକ ସହଯୋଗ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଅବକାରୀ ବିଭାଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଓ ଗୃହ ବିଭାଗ ।
ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା, ସ୍ବତନ୍ତ୍ର ସଚିବ (ଜନସ୍ୱାସ୍ଥ୍ୟ), ରାଜ୍ୟ ଶିକ୍ଷା ଓ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ଡା. ଅମରେନ୍ଦ୍ରନାଥ ମହାନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ତମାଖୁ ଖାଇବାର କାରଣ ଓ ତାହାର ନିରାକରଣ ଏବଂ କିପରି ତମାଖୁ ମୁକ୍ତ ପିଢ଼ି ସୃଷ୍ଟି କରାଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ। ଡା. ସୁଶାନ୍ତ କୁମାର ସ୍ୱାଇଁ, ଅତିରିକ୍ତ ନିର୍ଦ୍ଦେଶକ (ଅଣ ସଂକ୍ରାମକ ରୋଗ ) ତଥା ରାଜ୍ୟ ଭାରପ୍ରାପ୍ତ ଅଧିକାରୀ (ଏନଟିସିପି) ଏହି ବୈଠକର ପରିଚାଳନା କରିଥିଲେ।