କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼-ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବନମାଳୀପୁର ନିକଟରେ ରବିବାର ସକାଳେ ଜଣେ ଅଜଣା ଯୁବକଙ୍କ ଅର୍ଧଦଗ୍ଧ ମୃତଦେହ ବାଇକ ସହ ଉଦ୍ଧାର ହୋଇଛି।
ସ୍ଥାନୀୟ ଲୋକେ ରାସ୍ତାରେ ଯୁବକଙ୍କ ଅର୍ଧଦଗ୍ଧ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଜୁନାଗଡ଼ ପୁଲିସ ଦଳ ପହଞ୍ଚି ମୃତଦେହ ଓ ବାଇକ ଜବତ ପରେ ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରେ ଏହି ଘଟଣାକୁ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଅଜଣା ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟା କରି ବାଇକ ସହ ଜଳାଇ ଦେଇଥିବା ସମ୍ଭାବନା ଥିବା ଥାନା ପକ୍ଷରୁ କୁହାଯାଇଛି।
ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଶବକୁ ପୋଷ୍ଟମର୍ଟେମ ପାଇଁ ପଠାଯାଇଛି ଓ ତଦନ୍ତ ଜାରି ଅଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସର ପ୍ରାଥମିକ ତଦନ୍ତ ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ ବୋଲି ଅଧିକାରିକ ଉତ୍ସ ଜଣାଇଛନ୍ତି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ