BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ହକି ଇଣ୍ଡିଆ ଲିଗ୍‌ର ଭୁବନେଶ୍ୱର ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ, ବିଜୟରୁ ଘ‌ରୋଇ ଅଭିଯାନ ଆରମ୍ଭ କଲା କଳିଙ୍ଗ ଲାନସର୍ସ

ହକି ଓଡ଼ିଶାରେ ବିଶେଷ ସ୍ଥାନ ଅଧିକାର କରିଛି, ରାଜ୍ୟର ନିରନ୍ତର ସମର୍ଥନ ଏହି ଖେଳକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି

ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି ଆଜି କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌) ୨୦୨୬ର ଭୁବନେଶ୍ୱର ପର୍ଯ୍ୟାୟର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଷ୍ଟାଡିୟମରେ ପହଞ୍ଚିବା ପରେ ମାନ୍ୟବର ରାଜ୍ୟପାଳଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳ ଖେଳ ପଡ଼ିଆକୁ ଯାଇ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ଦଳର ଖେଳାଳିମାନଙ୍କ ସହ ପରିଚୟ ହେବା ସହିତ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଖେଳ ପ୍ରତି ସେମାନଙ୍କର ନିଷ୍ଠାକୁ ପ୍ରଶଂସା କରିଥିଲେ।

ମାନ୍ୟବର ରାଜ୍ୟପାଳ ମ୍ୟାଚକୁ ଉତ୍ସାହର ସହିତ ଦେଖିଥିଲେ ଏବଂ ଉଭୟ ଦଳର ଖେଳାଳିମାନଙ୍କ ଦ୍ୱାରା ପ୍ରଦର୍ଶିତ ଉଚ୍ଚସ୍ତରୀୟ କ୍ରୀଡା ଓ ଖେଳୱାଡ଼ ମନୋଭାବକୁ ପ୍ରଶଂସା କରିଥିଲେ । ଏହି ମ୍ୟାଚ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ବିଜୟୀ ହୋଇଥିବା ବେଳେ ମାନ୍ୟବର ରାଜ୍ୟପାଳ ‘ପ୍ଲେୟାର ଅଫ ଦ ମ୍ୟାଚ’ ପୁରସ୍କାର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ହକି ଇଣ୍ଡିଆ ଲିଗ୍‌ର ଭୁବନେଶ୍ୱର ପର୍ଯ୍ୟାୟର ଏକ ଉଜ୍ଜ୍ୱଳ ଆରମ୍ଭକୁ ପ୍ରଦର୍ଶିତ କରିବା ସହିତ ଦେଶରେ ହକିର ପ୍ରଚାର ଓ ବିକାଶରେ ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ମର୍ଯ୍ୟାଦାକୁ ସୂଚିତ କରୁଛି ।

ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ହକି ଓଡ଼ିଶାରେ ଏକ ବିଶେଷ ସ୍ଥାନ ଅଧିକାର କରିଛି ଏବଂ ରାଜ୍ୟର ନିରନ୍ତର ସମର୍ଥନ ଏହି ଖେଳକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ହକି ଇଣ୍ଡିଆ ଲିଗ୍‌ ଭଳି ଆୟୋଜନ ବିଶ୍ୱସ୍ତରୀୟ ପ୍ରତିଭାକୁ ପ୍ରଦର୍ଶନ କରିବା ସହିତ ରାଜ୍ୟର ଯୁବ ଖେଳାଳିମାନଙ୍କୁ ଶ୍ରେଷ୍ଠତ୍ୱ ହାସଲ କରିବା ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ମଧ୍ୟ ରାଜ୍ୟପାଳ ମତ ପ୍ରକାଶ କରିଥିଲେ I

ଏହି ଅବସରରେ ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲୀପ କୁମାର ତିର୍କୀ, ହକି ଇଣ୍ଡିଆର କୋଷାଧ୍ୟକ୍ଷ ତଥା ହକି ୟୁନିଟ୍ ଅଫ୍ ତାମିଳନାଡୁର ସଭାପତି ଶ୍ରୀ ଶେକର ଜେ. ମନୋହରନ, ହକି ଇଣ୍ଡିଆର ଡ଼ାଇରେକ୍ଟର ଜେନେରାଲ କମାଣ୍ଡର ଆର୍‌ କେ ଶ୍ରୀବାସ୍ତବ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧୱ ମଧ୍ୟ ଉପସ୍ଥିତ ଥିଲେ I

କଳିଙ୍ଗ ଲାନସର୍ସର ବିଜୟ ଅଭିଯାନ: ଘରୋଇ ମାଟିରେ ଏସ୍‌ଜି ପାଇପର୍ସକୁ ମାତ୍

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ‘ହକି ଇଣ୍ଡିଆ ଲିଗ୍‌-୨୦୨୬’ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଘରୋଇ ଦଳ କଳିଙ୍ଗ ଲାନସର୍ସ ଏକ ଚିତ୍ତାକର୍ଷକ ବିଜୟ ହାସଲ କରିଛି। ଶନିବାର ଅନୁଷ୍ଠିତ ଏହି ମୁକାବିଲାରେ ଲାନସର୍ସ ଦଳ ନିଜର ଶାଣିତ ଆକ୍ରମଣ ଜରିଆରେ ଏସ୍‌ଜି ପାଇପର୍ସକୁ ୬-୧ ଗୋଲ୍‌ରେ ପରାସ୍ତ କରି ନିଜର ଘରୋଇ ଅଭିଯାନ ଆରମ୍ଭ କରିଛି। ଖେଳ ଆରମ୍ଭରୁ ହିଁ ଲାନସର୍ସର ଖେଳାଳିମାନେ ପାଇପର୍ସର ରକ୍ଷଣଭାଗ ଉପରେ ଚାପ ପ୍ରୟୋଗ କରିଥିଲେ, ଯାହାର ସୁଫଳ ମାତ୍ର ୮ ମିନିଟ୍ ମଧ୍ୟରେ ମିଳିଥିଲା। ବର୍ନସ କୁପର ଏବଂ କ୍ରେଗ୍‌ ମାରିଆସ୍‌ କ୍ରମାଗତ ଭାବେ ଦୁଇଟି ଗୋଲ୍ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଯଦିଓ ୱିଲଟ୍‌ କି’ଙ୍କ ଗୋଲ୍ ବଳରେ ପାଇପର୍ସ ବ୍ୟବଧାନ କମାଇବାକୁ ଚେଷ୍ଟା କରିଥିଲା, ତଥାପି ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଲାନସର୍ସ ୨-୧ରେ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ କୁପର ପୁଣି ଥରେ ନିଜର ଦକ୍ଷତା ପ୍ରଦର୍ଶନ କରି ୨୩ତମ ମିନିଟ୍‌ରେ ଦଳ ପାଇଁ ତୃତୀୟ ଗୋଲ୍ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ୩-୧ରେ ଆଗୁଆ ଥିବା କଳିଙ୍ଗ ଲାନସର୍ସ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ନିଜର ଆଧିପତ୍ୟ ବଜାୟ ରଖିଥିଲା। ଆଲେକ୍‌ଜାଣ୍ଡର୍‌ ହେଣ୍ଡ୍ରିକ୍ସଙ୍କ ଦୁଇଟି ଚମତ୍କାର ଗୋଲ୍ ଏବଂ ଅଙ୍ଗଦ ବୀର ସିଂହଙ୍କ ଗୋଟିଏ ଗୋଲ୍ ସହାୟତାରେ ଦଳର ସ୍କୋର ୬-୧ରେ ପହଞ୍ଚିଥିଲା। ସମଗ୍ର ମ୍ୟାଚ୍‌ରେ ଲାନସର୍ସର ଖେଳାଳିମାନେ ସଠିକ୍ ସମୟ ବ୍ୟବଧାନରେ (୮, ୧୦, ୨୩, ୩୯, ୫୪ ଓ ୫୬ ମିନିଟ୍‌) ଗୋଲ୍ ଦେଇ ବିଜୟକୁ ସୁନିଶ୍ଚିତ କରିଥିଲେ।

ଏହି ସ୍ମରଣୀୟ ମ୍ୟାଚ୍‌ର ଶୁଭାରମ୍ଭ ପୂର୍ବରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପଟି, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ହକି କିମ୍ବଦନ୍ତୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ପଡ଼ିଆକୁ ଯାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଖେଳର ମଧ୍ୟାନ୍ତରରେ ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସଙ୍କ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା। ମ୍ୟାଚ୍ ଶେଷରେ ରାଜ୍ୟପାଳ ଓ କ୍ରୀଡ଼ାମନ୍ତ୍ରୀ ବିଜୟୀ ଦଳର ପ୍ରଭାବଶାଳୀ ଖେଳାଳି ବବି ସିଂହ ଧାମିଙ୍କୁ ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାରରେ ସମ୍ମାନିତ କରିଥିଲେ।