ନୂଆ ଓ ସଶକ୍ତ ଓଡ଼ିଶା ଗଠନର କର୍ଣ୍ଣଧାର ଗଞ୍ଜାମ
-
ଦ୍ବିତୀୟ ସନ୍ଧ୍ୟାର ମଞ୍ଚ କବିସୂର୍ଯ୍ୟ ବଳଦେବ ରଥଙ୍କ ନାମରେ ସମର୍ପିତ
-
ମୈଥିଲୀ ଠାକୁର, ସୋହିନୀ ମିଶ୍ର, ରାହୁଲ ସିପ୍ଲିଗଞ୍ଜ ଏବଂ ଶଶାଙ୍କ ଶେଖରଙ୍କ ସଂଗୀତ ସହିତ ସ୍ଥାନୀୟ ଓ ଜାତୀୟସ୍ତରର ଲୋକନୃତ୍ୟର ଅପୂର୍ବ ସଙ୍ଗମ
-
ମହୋତ୍ସବ ମଞ୍ଚରେ କ୍ରୀଡାର ବିଜେତା ଓ ବିଶିଷ୍ଟ ବ୍ୟକ୍ତି ସମ୍ବର୍ଦ୍ଧିତ
ଛତ୍ରପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗୋପାଳପୁର ବେଳାଭୂମି ଓ ଗଞ୍ଜାମ ଜିଲ୍ଲା ସହିତ ମୋର ଅନେକ ସ୍ମୃତି ଜଡିତ। ଅନେକ ବର୍ଷ ତଳେ ଖଲ୍ଲିକୋଟ ମହାବିଦ୍ୟାଳୟ ସାମ୍ନାରେ ହୋଇଥିବା ବିଶାଳ ପ୍ରତିବାଦ ସଭା ଆଜିବି ମୋ ସ୍ମୃତି ପଟରେ ଜୀବନ୍ତ ରହିଛି। ଦୁଇ ବର୍ଷ ଧରି ଆୟୋଜିତ ହୋଇ ନଥିବା ମହୋତ୍ସବ ଆଜି ଆପଣମାନଙ୍କ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ଫଳରେ ପୁଣି ଥରେ ଆରମ୍ଭ ହୋଇଛି। ଓଡ଼ିଶା ତଥା ଓଡ଼ିଶା ବାହାରେ ଅନେକ ମହୋତ୍ସବ ଦେଖିଛି, କିନ୍ତୁ ମୁଁ ଆଜିର ସମୁଦ୍ର ଆଳତି ଓ ଅନ୍ୟାନ୍ୟ ଆୟୋଜନ ଦେଖିକି ସ୍ପଷ୍ଟ କହିପାରେ ଗୋପାଳପୁର ମହୋତ୍ସବ ଦେଶରେ ଅନ୍ୟତମ ଶ୍ରେଷ୍ଠ ମହୋତ୍ସବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
— Bibhuti Bhusan Jena (@BibhutiJena93) January 28, 2026
ନୂଆ ଓ ସଶକ୍ତ ଓଡ଼ିଶା ଗଠନର କର୍ଣ୍ଣଧାର ଗଞ୍ଜାମ। ସାମୁଦ୍ରିକ ସୌନ୍ଦର୍ଯ୍ୟ କଡ଼ରେ ସାଂସ୍କୃତିକ ସୌନ୍ଦର୍ଯ୍ୟ ମୋତେ ଅଭିଭୂତ କରିଛି। ଗଞ୍ଜାମ ଜିଲ୍ଲା କେବଳ କଳା ସାହିତ୍ୟ ସଂସ୍କୃତିରେ ପରିପୂର୍ଣ୍ଣ ନୁହେଁ, ଏହା ଶୌର୍ଯ୍ୟ, ସାହସ ଓ ସଂଗ୍ରାମୀଙ୍କ ମାଟି। ଆଧୁନିକ ଓଡ଼ିଶା ଗଠନ କରିବାରେ ଯେଉଁ ଧର୍ମପଦମାନଙ୍କର ଆବଶ୍ୟକତା ରହିଛି, ସେହି ବୀର ପୁରୁଷମାନଙ୍କୁ ଗଞ୍ଜାମ ମାଟି ପୁଣି ଥରେ ସୃଷ୍ଟି କରୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିବା ସହିତ ଭାରତୀୟ ନୌବାହିନୀ ଏବଂ ତଟରକ୍ଷା ବାହିନୀର ପ୍ରଦର୍ଶନୀକୁ ସେ ପ୍ରଶଂସା କରିଥିଲେ।
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ କହିଛନ୍ତି ଯେ କଳା ଓ ସଂସ୍କୃତିର ପବିତ୍ର ମାଟି ହେଉଛି ଗଞ୍ଜାମ। ଗଞ୍ଜାମ ମାଟି ହିଁ ଏଭଳି ଅନନ୍ୟ ଓ ଅନବଦ୍ୟ ମହୋତ୍ସବର ଆୟୋଜନ କରିପାରେ। ଚଳିତ ବର୍ଷ ଭଳି ମହୋତ୍ସବ ଦ୍ୱାରା ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିର ପୁନଃ ଅଭ୍ୟୁଦୟ ଘଟିବ ଏକଥାରେ ଦ୍ବିମତ ନାହିଁ। ବିଭିନ୍ନ ଉଦାହରଣ ମାଧ୍ୟମରେ ଆତ୍ମନିର୍ଭର ଭାରତ, ଅପରେସନ ସିନ୍ଦୂର ଓ ଡିଆରଡିଓ (DRDO) ବୈଜ୍ଞାନିକମାନଙ୍କ ସଫଳତା ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ। ଆଗାମୀ ଭବିଷ୍ୟତରେ ଭାରତକୁ ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାରେ କେହି ରୋକି ପାରିବେ ନାହିଁ ବୋଲି ସେ କହିଥିଲେ।
ମହୋତ୍ସବର ମୁଖ୍ୟ ମାର୍ଗଦର୍ଶକ ତଥା ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ ବନାରସରୁ ଆସିଥିବା ପଣ୍ଡିତଙ୍କ ଭକ୍ତିପୂର୍ଣ୍ଣ ସମୁଦ୍ର ଆଳତି ଆଗନ୍ତୁକ ମାନଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରୁଛି। ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ସହିତ ସାମାଜିକ ଗଣମାଧ୍ୟମ ଏହି ମହୋତ୍ସବକୁ ଆଜି ବିଶ୍ୱର କୋଣ-ଅନୁକୋଣକୁ ନେଇଯାଇଛନ୍ତି ତେଣୁ ସେମାନେ ସାଧୁବାଦର ପାତ୍ର ବୋଲି ସେ କହିଛନ୍ତି।
ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଏ. ଜାନକୀ ରାମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତି ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ବିଏମସି କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିବା ସହିତ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ସ୍ବାଗତ ଭାଷଣ ଦେଇଥିଲେ। ମହୋତ୍ସବ ମଞ୍ଚରେ କ୍ରୀଡାର ବିଜେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
ଦ୍ବିତୀୟ ସନ୍ଧ୍ୟାର ମଞ୍ଚ କବିସୂର୍ଯ୍ୟ ବଳଦେବ ରଥଙ୍କ ନାମରେ ସମର୍ପିତ ଥିଲା। ସମୁଦ୍ରର ମନଲୋଭା ପବନ ଓ ଢେଉ ସନ୍ନିକଟରେ ଜାତୀୟସ୍ତରର ସୁନାମଧନ୍ୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର, ସୋହିନୀ ମିଶ୍ର, ରାହୁଲ ସିପ୍ଲିଗଞ୍ଜ ଏବଂ ଶଶାଙ୍କ ଶେଖରଙ୍କ ପରିଚିତ ସ୍ୱର, ଲୟ, ତାଳର ସଂଗୀତରେ ଦର୍ଶକ ମାନେ ବିଭୋର ହୋଇଥିଲେ। ଓଡିଶୀ, କାଲବେଲିଆ ରାଜସ୍ଥାନୀ, ମଡର୍ଣ୍ଣ ଡ୍ୟାନ୍ସ, ଆଦିବାସୀ ନୃତ୍ୟ, କାଠପଦାର ନବଦୂର୍ଗା, ମହାରାଷ୍ଟ୍ରର ଲବଣୀ, ବଲିଉଡ୍ ଫ୍ରି ଷ୍ଟାଇଲ୍, ପଶୁମୁଖା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମାଲଖମ୍ବ, ଆସାମର ବିହୁ, ଘୁମର ଚକ୍ରି କାଲବେଲିଆ ଓ ଅନ୍ୟାନ୍ୟ ଲୋକନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
— Bibhuti Bhusan Jena (@BibhutiJena93) January 28, 2026