ଧୋକା ଦେଲା ଗୁଗଲ ମ୍ୟାପ ! ବାଟ ଜାଣି ନ ପାରି ଗାଁକୁ ମାଡ଼ିଗଲା ଟ୍ରକ୍, ଭାଙ୍ଗିଗଲା ଘର
ଭଦ୍ରକ: ଧୋକା ଦେଲା ଗୁଗଲ ମ୍ୟାପ । ବାଟ ଜାଣି ନ ପାରି ଗାଁକୁ ମାଡ଼ିଗଲା ଟ୍ରକ୍ ଆଉ ଭାଙ୍ଗିଗଲା ଘର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଦିଗଛିଆରେ । ଆଜି ଭୋରରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା । ନୂଆକରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉଥିଲେ । ମାତ୍ର ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତରକୁ ଟ୍ରକକୁ ପୁରାଇଦେଇଥିଲେ।
ଅଣଓସରିଆ ଗାଁ ଭିତରେ ବଡ଼ ଟ୍ରକଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡି ଯାଇଥିଲା। ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।