ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନରେ ଏକ ଲଜ୍ଜାଜନକ ଘଟିଛି।ଯୁବତୀଙ୍କୁ ଅଟୋରେ ଘରକୁ ଛାଡ଼ି ଦେବାକୁ କହି ୩ଜଣ ସାଙ୍ଗ ୭ ଦିନ ଏକ ଭଡ଼ାଘରେ ରଖି ଗଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗତ ୧୧ ମଇ ତାରିଖରେ ଏକ ଯୁବତୀ ବାଲିଗୁଡ଼ା ବଜାରକୁ ଔଷଧ କିଣିବା ପାଇଁ ଆସିଥିଲେ। ସେଠାରେ ୩ଜଣ ଯୁବକ ତାଙ୍କୁ ଅଟୋ ଯୋଗେ ଘରକୁ ଛାଡି ଦେବେ କହି ଏକ ବନ୍ଦ ଘରକୁ ନେଇ ଯାଇଥିଲେ ଓ ସେଠାରେ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତ ୧୧ ମଇ ତାରିଖରେ ଏକ ଯୁବତୀ ବାଲିଗୁଡ଼ା ବଜାରକୁ ଔଷଧ କିଣିବା ପାଇଁ ଆସିଥିଲେ। ବାଲିଗୁଡ଼ା ବଜାରରୁ ଯୁବତୀ ଜଣଙ୍କ ଔଷଧ କିଣି ଘରକୁ ଫେରିବା ବେଳେ ସ୍ଥାନୀୟ ତ୍ରିବେଦୀ ପାର୍କ ସମ୍ମୁଖରୁ ଅଟୋ ଡ୍ରାଇଭର ତାଙ୍କୁ ଘରେ ଛାଡିଦେବା ପାଇଁ କହିଥିଲେ। ଯୁବତୀ ଜଣକ ଅଟୋରେ ବସିବା ପରେ ଡ୍ରାଇଭର ତାଙ୍କୁ ଘରେ ଛାଡିବା ପରିବର୍ତ୍ତେ ସେ ରହୁଥିବା ଏକ ଭଡାଘରକୁ ନେଇଥିଲେ। ଅଟୋରୁ ଯୁବତୀଙ୍କୁ ଜୋରଜବରଦସ୍ତ ଟାଣି ନେଇ ଉକ୍ତ ଭଡା ଘରେ ବନ୍ଦ କରିଦେଇଥିଲେ। ଏହାପରେ ଅଟୋଚାଳକ ସହ ୨ ସାଙ୍ଗ ମିଶି ତାଙ୍କୁ ବଳାତ୍କାର କରିଥିଲେ। ସେମାନେ ଯୁବତୀଙ୍କୁ ୭ ଦିନ ଭଡ଼ାଘରେ ରଖି ବଳାତ୍କାର କରିଥିଲେ।
ଭଡା ଘରର ପଛପଟ ଦ୍ୱାରା ଦେଇ କୌଶଳକ୍ରମେ ଯୁବତୀ ଜଣଙ୍କ ଖସି ଆସି ଘଟଣା ବିଷୟରେ ପଡ଼ୋଶୀଙ୍କୁ କାନ୍ଦି କାନ୍ଦି କହିଥିଲେ ଏବଂ ସବୁ ଶୁଣିଲା ପରେ ସେମାନେ ବାଲିଗୁଡା ଥାନାକୁ ଖବର ଦେଇଥିଲେ। ଖବର ପାଇ ବାଲିଗୁଡ଼ା ଥାନା ପୋଲିସ ୧୭ ତାରିଖରେ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲେ। ପୀଡିତାଙ୍କ ପରିବାର ଦ୍ୱାରା ଦାଖଲ ହୋଇଥିବା ଲିଖିତ ଅଭିଯୋଗ ଆଧାରରେ ପୋଲିସ ନଂ.୧୫୮/୨୫ରେ ଏକ ଗଣଦୁଷ୍କର୍ମ ମାମଲା ରୁଜୁ ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବାଲିଗୁଡା ଥାନା ପୋଲିସ ମାମଲା ରୁଜୁ ପରେ ଏତଲାର ୨୪ ଘଣ୍ଟା ନ ପୁରୁଣୁ ୩ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ଯୁବତୀଙ୍କୁ ନେବା ପାଇଁ ବ୍ୟବହାର କରିଥିବା ଅଟୋ ଜବତ ହୋଇଛି। ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ଡାକ୍ତରୀ ମାଇନା ସଂପନ୍ନ ହୋଇଛି। ଅଭିଯୁକ୍ତମାନଙ୍କ ଟିଆଇ ପରେଡ ହେବ। ରିପୋର୍ଟ ଆସିଲା ପରେ ଅଧିକ ତଦନ୍ତ କରାଯିବ। ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରହିଛି ବୋଲି ବାଲିଗୁଡା ଏସ୍ଡିପିଓ ରମେନ୍ଦ୍ର ପ୍ରସାଦ ଓ ତଦନ୍ତ ଅଧିକାରୀ ଆଇଆଇସି ସମ୍ବିତ କୁମାର ସ୍ବାଇଁ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମହିଳାଙ୍କ ଉପରେ କୌଣସି ଅତ୍ୟାଚାର ଖବର ଆସିଲେ କାହାରିକୁ ଛଡାଯିବ ନାହିଁ ବୋଲି ଏସଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ