ଢେଙ୍କାନାଳ: ବରିଷ୍ଠ ରାଜନେତା ଓ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଆଜି ଭୋରରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ମଲ୍ଟି ଅର୍ଗାନ ଫେଲ ସମସ୍ୟାରେ ଭୋଗୁଥିଲେ। ସ୍ବର୍ଗତ ପଟ୍ଟନାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଲିଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶା ରାଜନୀତିର ଜଣେ କର୍ମଯୋଗୀ ନେତା ଏବଂ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ଶିକ୍ଷା, ସାମାଜିକ ସେବା ଏବଂ ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ, ଏବଂ ଆମ ଦଳର ସଂଗଠନକୁ ଦୃଢ଼ କରିବାରେ ତାଙ୍କର ଅସାମାନ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ହୋଇରହିବ। ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି।
ଦିବଙ୍ଗତ ଆତ୍ମାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶା ରାଜନୀତିର ଜଣେ କର୍ମଯୋଗୀ ନେତା ଏବଂ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ଶିକ୍ଷା, ସାମାଜିକ ସେବା ଏବଂ ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ, ଏବଂ ଆମ ଦଳର ସଂଗଠନକୁ ଦୃଢ଼ କରିବାରେ ତାଙ୍କର ଅସାମାନ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ହୋଇରହିବ। ତାଙ୍କ ବିୟୋଗ… pic.twitter.com/CB5VLFh8pl
— Mohan Charan Majhi (@MohanMOdisha) May 30, 2025
ପ୍ରସନ୍ନ ପଟ୍ଟନାୟକ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ମୋଟ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଥର ବିଜେପି ଓ ଥରେ ବିଜେଡ଼ିର ପ୍ରତିନିଧିତ୍ୱ କରିଥିଲେ। ୧୯୭୭ ମସିହାରେ ଭାରତୀୟ ଜନତା ପାର୍ଟିର ପ୍ରଥମ ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ପ୍ରବେଶ କରିଥିଲେ ।
ସେ ଏକ ଛାତ୍ରନେତା ଭାବରେ ୧୯୬୪ ମସିହାରେ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ପରେ ସ୍ୱତନ୍ତ୍ର ପାର୍ଟି ଓ ବିଜୁ ଜନତା ଦଳ ସହ ଯୁକ୍ତ ହୋଇ ରାଜନୈତିକ ଯାତ୍ରା ଜାରି ରଖିଥିଲେ। ୨୦୧୪ ମସିହାରେ ବିଜେପି ଟିକେଟ୍ ରୁ ନିର୍ବାଚନ ଲଡ଼ିଥିଲେ, କିନ୍ତୁ ବିଜୟୀ ହୋଇନଥିଲେ।
ଭୁବନ ଗ୍ରାମରେ ୧୯୪୮ ଜୁନ୍ ୧ ତାରିଖରେ ଜନ୍ମ ନେଇଥିବା ପ୍ରସନ୍ନ ପଟ୍ଟନାୟକ ଏକ ସାମାଜିକ କର୍ମୀ ଭାବରେ ବେଶ ଜଣାଶୁଣା । ରାଜ୍ୟରେ ବିଜେପିର ମୂଳଦୁଆ ପକାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହନ କରିଥିଲେ । ତାଙ୍କ ଦେହାନ୍ତ ଖବର ମିଳିବା ସହିତ ରାଜ୍ୟରେ ଶୋକର ଛାୟା ବ୍ୟାପିଯାଇଛି । ଅନେକ ରାଜନେତା ଓ ଲୋକପ୍ରତିନିଧିମାନେ ତାଙ୍କ ପରଲୋକ ପ୍ରତି ଶୋକ ପ୍ରକାଶ କରିଛନ୍ତି। ଜନ୍ମଦିନ ପୂର୍ବରୁ ଦୁଇ ଦିନ ଆଗରେ ତାଙ୍କ ବିୟୋଗ ଘଟିଥିବା ଦୁଃଖଦ ଘଟଣା ଅନେକଙ୍କୁ ମର୍ମାହତ କରିଛି ।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ