‘ମହାନଦୀ ଅବବାହିକାରେ ପ୍ରାଚୀନ ସଭ୍ୟତାର ପଦଚିହ୍ନ’
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗରେ ‘ମହାନଦୀ ଅବବାହିକାରେ ପ୍ରାଚୀନ ସଭ୍ୟତାର ପଦଚିହ୍ନ’ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡ.ଅତୁଲ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଉପର ମହାନଦୀ ଅବବାହିକା’ ବିଶେଷ କରି ଛତିଶଗଡ଼ ଏବଂ ତତ୍ସଂଲଗ୍ନ ପଶ୍ଚିମ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକସ୍ଥଳି ସମୂହରୁ ପ୍ରତ୍ନତାତ୍ତ୍ୱିକ ଖନନ ମାଧ୍ୟମରେ ମିଳିଥିବା କୀର୍ତ୍ତୀରାଜି ଓ ବସ୍ତୁ ସମୂହ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ଅନେକ ନୂତନ ତଥ୍ୟ ଉପସ୍ଥାପନ କରିଥଇଲା।
ଏହି ଅବସରରେ ଡ.ପ୍ରଧାନ ଉଦାହରଣ ଦେଇ ଉଲ୍ଲେଖ କରିଥିଲେ ଯେ ସୋମବଂଶୀ ରାଜବଂଶ ଯେଉଁମାନଙ୍କ ଦ୍ୱାରା ଲିଙ୍ଗରାଜ ମନ୍ଦିରର ନିର୍ମାଣ କରାଯାଇଥିଲା, ସେହି ରାଜବଂଶର ଶହ ଶହ ସଂଖ୍ୟାର ତାମ୍ର ଫକ ଛତିଶଗଡ଼ସ୍ଥିତ ସିରିପୁରରୁ ମିଳିଛି ବୋଲି ଉଲ୍ଲେଖ କରିଥିଲେ। ସେହିଭଳି ଭାବରେ ତରିଘାଟରୁ ମଧ୍ୟ ଅନେକ ସୋମବଂଶୀ କପର ପ୍ଲେଟ ଇନସ୍କ୍ରିପସନ୍ ମଧ୍ୟ ମିଳିଥିଲା। ଏଥିସହି ନଳରାଜ ବଂଶ, ସର୍ବପୁରିଆ ରାଜବଂଶର ସ୍ୱର୍ଣ୍ଣମୁଦ୍ରଗୁଡ଼ିକ ମିଳିଥିବାର ଉଲ୍ଲେଖ କରିଥିଲେ।
ସେହିଭଳି ଭାବରେ ଛତିଶଗଡ଼ର ପତରାହୀ ପ୍ରତ୍ନତାତ୍ତ୍ୱିକ ଖନନରୁ ଗଙ୍ଗରାଜ ବଂଶ ସୁବର୍ଣ୍ଣ ମୁଦ୍ରା ମଧ୍ୟ ମିଳିଥିଲା। ଉକ୍ତ ପ୍ରତ୍ନତାତ୍ତ୍ୱିକ ବସ୍ତୁ ସମୁହକୁ ଐତିହାସିକ ଘଟଣାବଳି ସହିତ ସମ୍ମାହିତ କରି ବ୍ୟାଖ୍ୟା କରାଯାଇଛି। ଛତିଶଗଡ଼ର କଳାଚୁରୀ ରାଜବଂଶୀ ସହିତ ଉତ୍କଳର ସୋମବଂଶୀ ଏବଂ ଗଙ୍ଗରାଜ ବଂଶ ଧାରାବାହିକ ଭାବରେ ଦ୍ୱନ୍ଦ୍ୱ ଏବଂ କଳହ ଐତିହାସିକ ବର୍ଣ୍ଣନା ରହିଅଛି। ଛତିଶଗଡ଼ର ଶିରିପୁର, ପଚରାହି, ତରିଘାଟରୁ ମିଳିଥିବା ତାମ୍ର ଶାସନ ଫଳକ ଏବଂ ଗଙ୍ଗ ସ୍ୱର୍ଣ୍ଣମୁଦ୍ରା ଏହି ଐତିହାସିକ ଘଟଣା ସମୂହର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ସ୍ୱରୂପ ଦେଖାଯାଇପାରେ। ଛତିଶଗଡ଼ ଏବଂ ଓଡ଼ିଶାରୁ ମିଳିଥିବା ପ୍ରାଚୀନ ଦୁର୍ଗଗୁଡ଼ିକ ମଧ୍ୟରେ ଅନେକ ସାମାଞ୍ଜସ୍ୟ ଥିବାର ଡ.ପ୍ରଧାନ ଉଲ୍ଲେଖ କରିଥିଲେ।
ଏହି ଆଲୋଚନାଚକ୍ରରେ ବିଭାଗର ସଂଯୋଜକ ଡ.ଅନାମ ବେହେରା, ସବ୍ୟସାଚ୍ଚୀ ନାୟକ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।