ଭୁବନେଶ୍ୱର :ଫକୀର ମୋହନ କଲେଜର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ବିରାଧୀ ଦଳ ବିଜେଡି ପକ୍ଷରୁ ଭୁବନେଶ୍ୱରର ଲୋକସେବା ଭବନ ଘେରାଉ ଉଦ୍ୟମ କରାଯାଉଥିବା ବେଳେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଲୋକସେବା ଭବନ ଘେରାଉ ସମୟରେ ପୁଲିସ ବିଜେଡି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୁଲିସ ପାଣିମାଡ଼ ସହ ଲୁହାବୁହା ଗ୍ୟାସ ବ୍ୟବହାର କରିଥିଲେ । ଏହି ଘଟଣାରେ ବିଜେଡି କର୍ମୀ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡେଇ ଓ ସୁଲତା ଦେଓ ଆହତ ହୋଇଥିବା ଖବର ମିଳିଛି । ସେମାନଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରୁ ପୁଲିସ ଶତାଧିକ ବିଜେଡି କର୍ମୀଙ୍କୁ ଅଟକ ରଖିଛି। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସମେତ ବହୁ ନେତାଙ୍କୁ ଜବରଦସ୍ତ ପୁଲିସ ଉଠାଇ ନେଇଥିବା ଅଭିଯୋଗ ମିଳିଛି । ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ବିଜେଡି ନ୍ୟାୟ ପ୍ରଦାନ ଦାବି ଉପରେ ଜୋର ଦେଇଛି ।
ବିଜେଡି କହିଛି ଯେ, ମୃତ ଛାତ୍ରୀଙ୍କ ପରିବାରକୁ ଦୁଇ କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଉ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦିଅନ୍ତୁ ଓ ଘଟଣାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ କରାଯାଉ ।
ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ବିଜେଡି ବାଲେଶ୍ୱର ବନ୍ଦ ଡାକରା ଦେଇଥିଲା। ସେଠାରେ ବନ୍ଦର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିଲା। ଏହା ସହ ଭୁବନେଶ୍ୱରରେ ଥିବା ଲୋକସେବା ଭବନ ଆଗରେ ହଜାର ହଜାର ବିଜେଡି କର୍ମୀ ଏକ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନରେ କରିଥିଲେ। ଲୋକସେବା ଭବନକୁ ଘେରାଉ କରିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ, ପୁଲିସ ସେମାନଙ୍କୁ ଅଟକାଇଥିବା ସମୟରେ ବିଜେଡି କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲା ।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ