ଐତିହ୍ୟର ସ୍ୱାଦ: ଆଦିବାସୀ ଖାଦ୍ୟ ଓ ଦିର୍ଘସ୍ଥାୟୀ ଜୀବିକାର ପ୍ରୋତ୍ସାହନ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ
ଟାଟା ଷ୍ଟିଲ୍ ବିସ୍ତାପିତ କଲୋନୀ ମହିଳାଙ୍କ ଉଲ୍ଲେଖନୀୟ ସଫଳତା
କଳିଙ୍ଗନଗର : କଳିଙ୍ଗନଗର ଆଖପାଖ ଅଞ୍ଚଳରେ ଥିବା ଲୋକମାନଙ୍କ ସାମଗ୍ରିକ ବିକାଶ ତଥା ସ୍ଥାନୀୟ ଜନଜାତିଙ୍କ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍) ନିଜର ପ୍ରୟାସ ଜାରି ରଖିଛି।
ଏହି ପଦକ୍ଷେପର ଅଂଶସ୍ୱରୂପ, ଫାଉଣ୍ଡେସନ ପକ୍ଷରୁ ଗୋବରଘାଟି-୧, ଗୋବରଘାଟି-୨ ଏବଂ ରାମଠେଙ୍ଗ ଗ୍ରାମର ଚାରିଜଣ ପ୍ରତିଭାବାନ ଆଦିବାସୀ ମହିଳା ସେଫ୍ ଙ୍କ ପାଇଁ ପୁରୀ ଜିଲ୍ଲାସ୍ଥିତ କୋଣାର୍କ ଇକୋ ରିଟ୍ରିଟ୍ଠାରେ ଏକ ତିନି ମାସିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଡିସେମ୍ବର ୧୧, ୨୦୨୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୧୧, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାରଙ୍କ ଇକୋ-ଟୁରିଜିମ ପଦକ୍ଷେପ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରଶିକ୍ଷଣର ମୁଖ୍ୟ ଲକ୍ଷ୍ୟ ହେଉଛି ଆଦିବାସୀ ଖାଦ୍ୟ ପ୍ରଣାଳୀକୁ ସୁଦୃଢ଼ କରିବା ସହ ଏହା ମାଧ୍ୟମରେ ଦୀର୍ଘସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବ।
ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ସଂବାଦ’ କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ ଏହି ତାଲିମ ଶିବିରରେ ପ୍ରସିଦ୍ଧ ଆଦିବାସୀ ଖାଦ୍ୟ ପରାମର୍ଶଦାତା ତଥା ଫୁଡ୍ ବ୍ଲଗର୍ ମାଷ୍ଟର ସେଫ୍ ମଧୁସ୍ମିତା ସୋରେନ ମୁର୍ମୁ ମୁଖ୍ୟ ପ୍ରଶିକ୍ଷିକା ଭାବେ ଯୋଗଦେଇଛନ୍ତି। ମଧୁସ୍ମିତା ପୂର୍ବରୁ କଳିଙ୍ଗନଗର ଅଞ୍ଚଳର ୩୫ ଜଣ ଆଦିବାସୀ ରୋଷେୟାଙ୍କୁ ତାଲିମ ପ୍ରଦାନ କରି ସ୍ଥାନୀୟ ଖାଦ୍ୟ ଶୈଳୀର ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିବା ଗୋବରଘାଟିର ଗୀତା ଜାମୁଦା ଏବଂ ପ୍ରିୟଦର୍ଶିନୀ ସୋଏ ନିଜର ଅନୁଭୂତି ବାଣ୍ଟିବା ସହ ଏକ ବୃତ୍ତିଗତ କର୍ମଶାଳାରେ ଶିଖିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ପ୍ରକାଶ କରିଛନ୍ତି।
ବିଶେଷ କରି ପ୍ରିୟଦର୍ଶିନୀ ଆଗାମୀ ଦିନରେ ନିଜର ଏକ ‘କ୍ଲାଉଡ୍ କିଚେନ୍’ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ତାଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବ।
ଏହି କାର୍ଯ୍ୟକ୍ରମର ସମାପ୍ତି ପରେ ଏକ ସାଧାରଣ ଖାଦ୍ୟ ମହୋତ୍ସବ ଆୟୋଜନ କରାଯିବାର ଯୋଜନା ରହିଛି, ଯେଉଁଠାରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ରୋଷେଇ କୌଶଳ ପ୍ରଦର୍ଶନ କରିବେ। ଏହା କେବଳ ସେମାନଙ୍କୁ ବଜାର ସୁଯୋଗ ପ୍ରଦାନ କରିବ ନାହିଁ, ବରଂ ପାରମ୍ପରିକ ଆଦିବାସୀ ଖାଦ୍ୟର ପୁଷ୍ଟିକର ମୂଲ୍ୟ ଓ ସାଂସ୍କୃତିକ ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବ।
ପରିଶେଷରେ, ଗ୍ରାମୀଣ ସ୍ତରରେ ଖାଦ୍ୟ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା କରି ପାରମ୍ପରିକ ଜ୍ଞାନ କୌଶଳକୁ ଏକ ଦୀର୍ଘସ୍ଥାୟୀ ଜୀବିକାରେ ପରିଣତ କରିବା ଏହି ଅଭିନବ ପ୍ରୟାସର ମୂଳ ଲକ୍ଷ୍ୟ।