ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ସରମରା ଗ୍ରାମରେ ଗତ ବିଳମ୍ବିତ ରାତିରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି। ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମର ସାହୁସାହିରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ସାହୁସାହିରେ ବିଳମ୍ବିତ ରାତିରେ ହଠାତ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇଥିଲା। ଘରେ ଲୋକମାନେ ଥିବା ବେଳେ ଘର ହୁତୁ ହୁତୁ ହୋଇ ନିଆଁ ଜଳି ଉଠିଥିଲା।
ଫଳରେ ୬ ବଖରା ଘରେ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ ଘରେ ଥିବା ସମସ୍ତ ଆସବାବପତ୍ର, ଘରକରଣା ଜିନିଷ, ଗୋଟିଏ ମୋଟର ସାଇକେଲ ଓ ପୋଷାକପତ୍ର ପୋଡି ନଷ୍ଟ ହୋଇଯାଇଥିଲା। ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେକୁ ସବୁ ପୋଡି ପାଉଁଶ ହୋଇସାରିଥିଲା।
ସୋଭାଗ୍ୟବଶତଃ କୌଣସି ପ୍ରାଣହାନି ଘଟିନଥିଲେ ମଧ୍ୟ, ସେହି ପରିବାରର ସଦସ୍ୟ ମାନେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଛନ୍ତି। ପିଡୀତ ପରିବାରମାନେ ସରକାରଙ୍କ ନିକଟରେ ଆବଶ୍ୟକ ସହଯୋଗ ଓ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି।
ଏବେ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ ଅଧିକାରିକ ତଦନ୍ତ ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ମୁଲ୍ୟାୟନ କାର୍ଯ୍ୟ ଚାଲିଛି ବୋଲି ସୂଚନା ମିଳିଛି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ