ପ୍ରାକୃତିକ ଚାଷରୁ ବଦଳିଲା ଭାଗ୍ୟ: ଖର୍ଚ୍ଚରେ ୬୦% ପର୍ଯ୍ୟନ୍ତ ହ୍ରାସ, ଆୟରେ ହେଲା ୪୦% ପର୍ଯ୍ୟନ୍ତ ବୃଦ୍ଧି
-
ପ୍ରାକୃତିକ ଚାଷ ଆପଣାଇଲେ କୃଷକ ସଞ୍ଜୀବ କୁମାର ଶର୍ମା, ମିଳିଲା ଅଦ୍ଭୂତପୂର୍ବ ସଫଳତା
-
୫୦ହଜାର ଚାଷୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ସଞ୍ଜୀବ, ୫୦୦ରୁ ଅଧିକ କୃଷକ ପରିବାର
ଆପଣାଇଛନ୍ତି ପ୍ରାକୃତିକ ଚାଷ
-
ଗୋଟିଏ କ୍ଷେତରେ ଏକାସାଙ୍ଗରେ ଆଖୁ, ହଳଦୀ, ବାଇଗଣ ଓ ଲଙ୍କା ଚାଷ କରି ଆୟ ବୃଦ୍ଧି
-
ଦେଶୀ ଗାଈର ଗୋବର ଓ ଗୋମୂତ୍ରରୁ ପ୍ରସ୍ତୁତ ଜୀବାମୃତ, ଘନଜୀବାମୃତ ଏବଂ ବିଜାମୃତ ବ୍ୟବହାର କରି ମାଟିର ଉର୍ବରତା ବୃଦ୍ଧି
-
ପ୍ରାକୃତିକ ଚାଷ କେବଳ ପରିବେଶ ପାଇଁ ନୁହେଁ, ବରଂ କୃଷକଙ୍କୁ ଆତ୍ମନିର୍ଭର କରିବାର ଏକ ସଶକ୍ତ ମାଧ୍ୟମ
ଲକ୍ଷ୍ମୌ: ଆଜିର ସମୟରେ ଯେତେବେଳେ ଚାଷକୁ ଏକ କ୍ଷତିର ବ୍ୟବସାୟ କୁହାଯାଉଛି, ସେତେବେଳେ ଉତ୍ତର ପ୍ରଦେଶ ବୁଲନ୍ଦସହରର କୃଷକ ସଞ୍ଜୀବ କୁମାର ଶର୍ମା ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ପାରମ୍ପରିକ ରାସାୟନିକ ପଦ୍ଧତିକୁ ତ୍ୟାଗ କରି ସେ ପ୍ରାକୃତିକ ଚାଷକୁ ଆପଣାଇ ନିଜ ଜୀବନରେ ସମୃଦ୍ଧି ଆଣିଛନ୍ତି।
ସଞ୍ଜୀବ କୌଣସି ମୂଲ୍ୟବାନ ସାର କିମ୍ବା କୀଟନାଶକ ବଜାରରୁ କିଣନ୍ତି ନାହିଁ। ବରଂ ଦେଶୀ ଗାଈର ଗୋବର ଓ ଗୋମୂତ୍ରରୁ ପ୍ରସ୍ତୁତ ଜୀବାମୃତ, ଘନଜୀବାମୃତ ଏବଂ ବିଜାମୃତ ବ୍ୟବହାର କରି ମାଟିର ଉର୍ବରତା ବୃଦ୍ଧି କରୁଛନ୍ତି। ଫଳସ୍ୱରୂପ ମାଟିର ଗୁଣବତ୍ତାରେ ଜୈବିକ ଅଙ୍ଗାରକ ଓ ଜିଆ ସଂଖ୍ୟାରେ ଅଭୂତପୂର୍ବ ବୃଦ୍ଧି ଘଟିଛି ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିଛି। କେବଳ ଚାଷୀ ଭାବରେ ନୁହେଁ, ଜଣେ ଉଦ୍ୟୋଗୀ ହିସାବରେ ସଞ୍ଜୀବ କେବଳ ଫସଲ ଅମଳ କରନ୍ତି ନାହିଁ, ବରଂ ତାହାର ପ୍ରକ୍ରିୟାକରଣ (Value Addition) କରି ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରନ୍ତି। ସେ ଆଖୁରେ ବିଭିନ୍ନ ପ୍ରକାରର ପ୍ରାକୃତିକ ଗୁଡ଼ ଓ ଉପ-ଉତ୍ପାଦ କରୁଥିବାବେଳେ ହଳଦିକୁ ନିଜେ ଶୁଖାଇ ଶୁଦ୍ଧ ହଳଦୀ ଗୁଣ୍ଡ ପ୍ରସ୍ତୁତ କରନ୍ତି। ସେହିପରି ସଘନ ଫସଲକୁ ଆପଣାଇ ଗୋଟିଏ କ୍ଷେତରେ ଏକାସାଙ୍ଗରେ ଆଖୁ, ହଳଦୀ, ବାଇଗଣ ଓ ଲଙ୍କା ଚାଷ କରି ଆୟ ବୃଦ୍ଧି କରୁଛନ୍ତି।
ପ୍ରାକୃତିକ ଚାଷ ପଦ୍ଧତି ବଦଳାଇ ଦେଲା କୃଷକଙ୍କ ଭାଗ୍ୟ
ଉତ୍ତର ପ୍ରଦେଶର ବୁଲନ୍ଦ ସହର ନିବାସୀ କୃଷକ ସଞ୍ଜୀବ କୁମାର ଶର୍ମା ପ୍ରାକୃତିକ ଚାଷ ଆପଣାଇ ନିଜର ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ରାସାୟନିକ ଚାଷ ଛାଡ଼ି ଦେଶୀ ଗାଈ ଆଧାରିତ ଜୈବିକ ପଦ୍ଧତିକୁ ଆପଣାଇବା ଦ୍ୱାରା ତାଙ୍କର ଲାଗତ ଖର୍ଚ୍ଚରେ ୬୦% ପର୍ଯ୍ୟନ୍ତ ହ୍ରାସ ଆସିଛି ଏବଂ ଆୟରେ ପ୍ରାୟ ୪୦% ବୃଦ୍ଧି ହୋଇଛି। ସଘନ ଫସଲ ଚାଷ, ଭାଲ୍ୟୁ ଆଡିସନ୍ ଏବଂ ସିଧାସଳଖ ମାର୍କେଟିଂ ମାଧ୍ୟମରେ ସେ ଆତ୍ମନିର୍ଭରଶୀଳ ହୋଇଛନ୍ତି ଏବଂ ହଜାର ହଜାର କୃଷକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲା ବି.ବି. ନଗର ବ୍ଲକ ଅନ୍ତର୍ଗତ ନିସୁର୍ଖା ଗ୍ରାମର ନିବାସୀ ସଞ୍ଜୀବ କୁମାର ଶର୍ମା ଏକ ସାଧାରଣ କୃଷକ ପରିବାରରୁ ଆସିଛନ୍ତି। ଇଣ୍ଟରମିଡିଏଟ୍ ସହିତ ଆଇ.ଟି.ଆଇ. ପର୍ଯ୍ୟନ୍ତ ଶିକ୍ଷିତ ସଞ୍ଜୀବ କୁମାର ଶର୍ମା ନିଜ ଜୀବନରେ ଚାଷକୁ କେବଳ ପରମ୍ପରା ଭାବେ ନୁହେଁ, ବରଂ ଏକ ଦାୟିତ୍ୱ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନା ଭାବେ ଆପଣାଇଛନ୍ତି। ଆଜିର ସମୟରେ, ଯେତେବେଳେ ରାସାୟନିକ ଚାଷ ଯୋଗୁଁ ମାଟିର ଉର୍ବରତା କ୍ରମାଗତ ଭାବେ ହ୍ରାସ ପାଉଛି, ଉତ୍ପାଦନ ଖର୍ଚ୍ଚରେ ଅତ୍ୟଧିକ ବୃଦ୍ଧି ଏବଂ କୃଷକଙ୍କ ଆର୍ଥିକ ଅସ୍ଥିରତା ଏକ ଗମ୍ଭୀର ସମସ୍ୟା ଭାବେ ଦେଖାଦେଇଛି, ସେହି ସମୟରେ ସେ ପ୍ରାକୃତିକ ଚାଷକୁ ଆପଣାଇ ଏକ ନୂତନ ଏବଂ ପ୍ରେରଣାଦାୟୀ ମାର୍ଗ ପ୍ରଦର୍ଶନ କରିଛନ୍ତି।
ରସାୟନ-ମୁକ୍ତ ଚାଷ ମାଧ୍ୟମରେ ସେ ପ୍ରମାଣ କରିଛନ୍ତି ଯେ ଚାଷ କେବଳ ପରିବେଶ ଅନୁକୂଳ ହୋଇପାରିବ ତାହା ନୁହେଁ, ବରଂ କୃଷକଙ୍କୁ ଆର୍ଥିକ ରୂପେ ଆତ୍ମନିର୍ଭରଶୀଳ ମଧ୍ୟ କରିପାରିବ। ତାଙ୍କର ଜୀବନ-ଯାତ୍ରା ସଂଘର୍ଷ, ସଂକଳ୍ପ ଏବଂ ନିରନ୍ତର ପ୍ରୟାସର ଉଦାହରଣ, ଯେଉଁଥିରେ ସେ କଠିନ ପରିସ୍ଥିତି ସତ୍ତ୍ୱେ ଧୈର୍ଯ୍ୟ ହରାଇ ନାହାନ୍ତି ଏବଂ ପ୍ରକୃତି ସହ ସାମଞ୍ଜସ୍ୟ ରଖି ଚାଷକୁ ଲାଭଜନକ କରିଛନ୍ତି। ଆଜି ସଞ୍ଜୀବ କୁମାର ଶର୍ମାଙ୍କ ସଫଳତା-କାହାଣୀ ଦେଶର କୃଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
ପ୍ରାରମ୍ଭିକ ଜୀବନ ଏବଂ ସଂଘର୍ଷ
ସଞ୍ଜୀବଙ୍କ ଜୀବନ ଆରମ୍ଭରୁ କେବଳ କୃଷି ମଧ୍ୟରେ ସୀମିତ ନଥିଲା। ଏକ ସମୟରେ ସେ ଅଣ-କୃଷି ବ୍ୟବସାୟ ସହ ଜଡ଼ିତ ଥିଲେ, କିନ୍ତୁ ସମୟ ସହିତ ସେହି ବ୍ୟବସାୟରେ ଆର୍ଥିକ କ୍ଷତି ହେବାକୁ ଲାଗିଲା। କ୍ରମାଗତ କ୍ଷତି ଏବଂ ବଢୁଥିବା ପାରିବାରିକ ଦାୟିତ୍ୱ ତାଙ୍କୁ ଆତ୍ମମନ୍ଥନ ପାଇଁ ବାଧ୍ୟ କଲା। ଏହି କଠିନ ସମୟରେ ସେ ଚାଷକୁ ହିଁ ନିଜ ଭବିଷ୍ୟତର ଆଧାର କରିବାକୁ ନିଷ୍ପତ୍ତି ନେଲେ। ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସେ ପାରମ୍ପରିକ ରାସାୟନିକ ଚାଷ ଆପଣାଇଲେ, ଯେଉଁଥିରେ ରାସାୟନିକ ସାର, କୀଟନାଶକ ଏବଂ ବଜାର-ଆଧାରିତ ବିହନ ଉପରେ ନିର୍ଭରଶୀଳତା ଯୋଗୁଁ ଖର୍ଚ୍ଚ ବଢି ଚାଲିଲା, ଯଦିଓ ଲାଭ ଅପେକ୍ଷାକୃତ କମ୍ ରହିଲା। ଏଥିସହ ମାଟିର ଗୁଣବତ୍ତାରେ ଅବନତି ଏବଂ ଫସଲର ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ତାଙ୍କୁ ଗମ୍ଭୀର ଚିନ୍ତାରେ ପକାଇ ଦେଲା।
ଦେଶୀ ବିହନର ସଂରକ୍ଷଣ, ସଘନ ଫସଲ ପ୍ରଣାଳୀ ଉପରେ ବିଶେଷ ଧ୍ୟାନ
ସମାଧାନର ସନ୍ଧାନରେ ସଞ୍ଜୀବ ପ୍ରାକୃତିକ ଚାଷର ଧାରଣା ସହ ପରିଚିତ ହେଲେ। ବିଭିନ୍ନ କୃଷକଙ୍କ ଅନୁଭବ, ଅନଲାଇନ୍ ଭିଡିଓ, ଲେଖା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଅନୁପ୍ରାଣିତ ହୋଇ ସେ ପ୍ରାକୃତିକ ଚାଷକୁ ଏକ ବୈକଳ୍ପିକ ପଦ୍ଧତି ନୁହେଁ, ବରଂ ଏକ ସ୍ଥାୟୀ କୃଷି-ଦର୍ଶନ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ। ସେ ପର୍ଯ୍ୟାୟକ୍ରମେ ରସାୟନର ବ୍ୟବହାର ବନ୍ଦ କଲେ ଏବଂ ଦେଶୀ ଗାଈ ଆଧାରିତ ପ୍ରାକୃତିକ ଚାଷର ଶୁଭାରମ୍ଭ କଲେ। ଜୀବାମୃତ, ଘନଜୀବାମୃତ ଏବଂ ବିଜାମୃତ ଭଳି ଗୋବର-ଗୋମୂତ୍ର ଆଧାରିତ ଜୈବିକ ଇନପୁଟ୍ସ ତାଙ୍କ ଚାଷର ଆଧାରଶିଳା ପାଲଟିଲା। ଏଥିସହ ସେ ଦେଶୀ ବିହନର ସଂରକ୍ଷଣ ଏବଂ ସଘନ ଫସଲ ପ୍ରଣାଳୀକୁ ଆପଣାଇ ଫସଲ ବିବିଧକରଣ ଉପରେ ବିଶେଷ ଧ୍ୟାନ ଦେଲେ।
ବିପଦ କମିଛି ଏବଂ ଆୟର ଉତ୍ସ ବିକଶିତ ହୋଇଛି
ପ୍ରାକୃତିକ ଚାଷର ଆରମ୍ଭରେ କିଛି ସମୟ ପାଇଁ ଉତ୍ପାଦନରେ ହ୍ରାସ ଘଟିଲା ଏବଂ ଆଖପାଖର କୃଷକମାନେ ଏହି ପଦ୍ଧତିକୁ ନେଇ ସନ୍ଦେହରେ ଥିଲେ। ବଜାରରେ ମଧ୍ୟ ପ୍ରାକୃତିକ ଉତ୍ପାଦର ପରିଚୟ ସୀମିତ ଥିଲା। ଏହା ସତ୍ତ୍ୱେ ସଞ୍ଜୀବ କୁମାର ଶର୍ମା ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସର ସହିତ ନିଜର ପ୍ରୟୋଗ ଜାରି ରଖିଲେ। ନିରନ୍ତର ପ୍ରାକୃତିକ ଉପାୟ ଆପଣାଇବା ଦ୍ୱାରା ତାଙ୍କ କ୍ଷେତର ମାଟିରେ ସ୍ପଷ୍ଟ ସୁଧାର ଦେଖାଗଲା। ଜୈବିକ ଅଙ୍ଗାରକର ମାତ୍ରା ବଢିଲା, ଜିଆ ସଂଖ୍ୟାରେ ବୃଦ୍ଧି ହେଲା ଏବଂ ମାଟିର ଜଳଧାରଣ କ୍ଷମତା ଉନ୍ନତ ହେଲା। ପରିଣାମସ୍ୱରୂପ ଫସଲର ଚେର ଶକ୍ତ ହେଲା ଏବଂ ରୋଗ-ପୋକ ଆକ୍ରମଣରେ ହ୍ରାସ ଆସିଲା। ବର୍ତ୍ତମାନ ସେ ଆଖୁ, ହଳଦୀ, ବାଇଗଣ, ଲଙ୍କା ଭଳି ଫସଲର ସଘନ ଫସଲ ଚାଷ ପ୍ରାକୃତିକ ବିଧିରେ କରୁଛନ୍ତି, ଯାହାଦ୍ୱାରା ବିପଦ କମିଛି ଏବଂ ଆୟର ଅନେକ ଉତ୍ସ ବିକଶିତ ହୋଇଛି।
ଫସଲ ବିବିଧତା, ଭାଲ୍ୟୁ ଆଡିସନ୍ ଏବଂ ସାମାଜିକ ପ୍ରଭାବ
ପ୍ରାକୃତିକ ଚାଷ ଆପଣାଇବା ଦ୍ୱାରା ସଞ୍ଜୀବଙ୍କ ଚାଷ ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ତାଙ୍କର ବିଶେଷ ସଫଳତା ହେଉଛି ସେ କେବଳ କ୍ଷେତର କଞ୍ଚା ଉତ୍ପାଦ ବିକ୍ରି କରିବା ମଧ୍ୟରେ ସୀମିତ ନ ରହି, ଫସଲର ନିଜେ ପ୍ରକ୍ରିୟାକରଣ କରି ସିଧାସଳଖ ଗ୍ରାହକଙ୍କ ପାଖରେ ପହଞ୍ଚୁଛନ୍ତି। ଆଖୁରୁ ସେ ବିଭିନ୍ନ ପ୍ରକାରର ପ୍ରାକୃତିକ ଉତ୍ପାଦ ପ୍ରସ୍ତୁତ କରନ୍ତି, ଯେତେବେଳେ କି ହଳଦୀକୁ ଚିପ୍ସ ଆକାରରେ କାଟି, ପ୍ରାକୃତିକ ପଦ୍ଧତିରେ ଶୁଖାଇ ଏବଂ କୁଟି-ଗୁଣ୍ଡ କରି ଶୁଦ୍ଧ ହଳଦୀ ଗୁଣ୍ଡ ନିର୍ମାଣ କରନ୍ତି।
ସେହିପରି ପନିପରିବା ଏବଂ ମସଲାକୁ ମଧ୍ୟ ସ୍ୱଦେଶୀ ଓ ରସାୟନ-ମୁକ୍ତ ଉତ୍ପାଦ ରୂପେ ପ୍ରସ୍ତୁତ କରି ସେ ଘରୁ ହିଁ ସେଗୁଡ଼ିକର ମାର୍କେଟିଂ କରନ୍ତି। ପ୍ରାକୃତିକ ଚାଷ ଆପଣାଇବା ଦ୍ୱାରା ତାଙ୍କର ମୋଟ ଚାଷ ଖର୍ଚ୍ଚରେ ପ୍ରାୟ ୪୦-୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଆସିଛି, କାରଣ ରାସାୟନିକ ସାର, କୀଟନାଶକ ଏବଂ ବାହ୍ୟ ଇନପୁଟ୍ସ ଉପରେ ହେଉଥିବା ଖର୍ଚ୍ଚ ପ୍ରାୟ ସମାପ୍ତ ହୋଇଯାଇଛି।
ପାରମ୍ପରିକ ରାସାୟନିକ ଚାଷ ତୁଳନାରେ, ଯେଉଁଠାରେ ଏକର ପିଛା ଲାଗତ ଅଧିକ ହୋଇଥାଏ ଏବଂ ଲାଭ ସୀମିତ ରହେ, ସେଠାରେ ପ୍ରାକୃତିକ ଚାଷରେ ଶୁଦ୍ଧ ଲାଭ (Net Return) ରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରାକୃତିକ ପଦ୍ଧତିରେ ଉତ୍ପାଦିତ ଫସଲର ଗୁଣବତ୍ତା ଉନ୍ନତ ହେଉଥିବାରୁ ସେଗୁଡ଼ିକୁ ବଜାରରେ ସାଧାରଣ ଉତ୍ପାଦ ତୁଳନାରେ ୩୦-୪୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ମୂଲ୍ୟ ମିଳୁଛି, ଯାହାଦ୍ୱାରା ତାଙ୍କ ଆୟରେ ସ୍ଥିରତା ଆସିଛି ଏବଂ ବିପଦ ମଧ୍ୟ ହ୍ରାସ ପାଇଛି।
୫୦ ହଜାରରୁ ଅଧିକ କୃଷକଙ୍କ ପ୍ରଶିକ୍ଷଣ ଗ୍ରହଣ
ସଞ୍ଜୀବ କୁମାର ଶର୍ମା କେବଳ ନିଜ କ୍ଷେତ ମଧ୍ୟରେ ସୀମିତ ନାହାନ୍ତି, ବରଂ ସେ ପ୍ରାକୃତିକ ଚାଷର ପ୍ରେରକ ଏବଂ ମାର୍ଗଦର୍ଶକ ଭାବେ ମଧ୍ୟ ସକ୍ରିୟ ଭୂମିକା ନିର୍ଭାହ କରୁଛନ୍ତି। ତାଙ୍କର ପ୍ରୟାସ ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୫୦ ହଜାରରୁ ଅଧିକ କୃଷକ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି, ଏବଂ ତାଙ୍କ ପ୍ରେରଣାରେ ୫୦୦ରୁ ଅଧିକ କୃଷକ ପରିବାର ପ୍ରାକୃତିକ ଚାଷ ଆପଣାଇବା ଦିଗରେ ଅଗ୍ରସର ହୋଇଛନ୍ତି।
ସେ କୃଷକମାନଙ୍କୁ ପ୍ରାକୃତିକ ଚାଷ, ସଘନ ଫସଲ ପ୍ରଣାଳୀ ଏବଂ କମ୍-ଲାଗତ କୃଷି ମଡେଲର ବ୍ୟାବହାରିକ ଦିଗ ବିଷୟରେ ନିରନ୍ତର ଅବଗତ କରାଉଛନ୍ତି। ପ୍ରାକୃତିକ ଚାଷରେ ତାଙ୍କର ଅବଦାନକୁ ଦେଖି ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ସମୟ ସମୟରେ ତାଙ୍କୁ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ, ବର୍ଷ ୨୦୧୯ରେ ୱାର୍ଲ୍ଡ ଏନର୍ଜି ଫାଉଣ୍ଡେସନ ଦ୍ୱାରା ତାଙ୍କୁ “ଉର୍ଜା ରତ୍ନ ପୁରସ୍କାର” ରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ସେ ଉତ୍ତର ଭାରତର ଇଣ୍ଡୋ-ଗ୍ୟାଙ୍ଗେଟିକ ପ୍ଲେନ ଜୋନରେ ପ୍ରାକୃତିକ ଚାଷର ଏକ ପ୍ରମୁଖ ସମ୍ବଳ ବ୍ୟକ୍ତି (Resource Person) ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଯାତ୍ରା ଏହା ପ୍ରମାଣିତ କରେ ଯେ ପ୍ରାକୃତିକ ଚାଷ କେବଳ ପରିବେଶ ସଂରକ୍ଷଣର ମାଧ୍ୟମ ନୁହେଁ, ବରଂ କୃଷକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ ମଡେଲ ମଧ୍ୟ ଅଟେ।
ଏଥିସହ, ତାଙ୍କ ଦ୍ୱାରା ଅନେକ ମାନବ-ଚାଳିତ କୃଷି ଯନ୍ତ୍ରପାତି ମଧ୍ୟ ନିର୍ମାଣ କରାଯାଇଛି, ଯାହା କୃଷି କାର୍ଯ୍ୟକୁ ଅଧିକ ସହଜ, ସମୟ ସଞ୍ଚୟକାରୀ ଏବଂ ଶ୍ରମ-ସକ୍ଷମ କରିଥାଏ। ସମୟ ସମୟରେ ତାଙ୍କ କ୍ଷେତରେ ପ୍ରାକୃତିକ ଚାଷ ଏବଂ ତାଙ୍କ ଦ୍ୱାରା ବିକଶିତ କୃଷି ଯନ୍ତ୍ରପାତି ଦେଖିବା ପାଇଁ ପ୍ରଦେଶ ଏବଂ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ହୋଇଛି। ବର୍ଷ ୨୦୨୧ରେ କଣେରୀ ମଠର ମହାରାଜ ପୂଜ୍ୟ କାଣ୍ଡ ସିଦ୍ଧେଶ୍ୱର ଜୀ ମହାରାଜ, ଭାରତ ସରକାରଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ପଦ୍ମଶ୍ରୀ ଡା. ସୁଭାଷ ପାଲେକର ତଥା ୨୧ ଡିସେମ୍ବର ୨୦୨୪ରେ ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ର ତାଙ୍କ କ୍ଷେତକୁ ଆସି ତାଙ୍କର ପ୍ରୟାସ ଏବଂ ନବସୃଜନର ପ୍ରଶଂସା କରିସାରିଛନ୍ତି।
ଗୁରୁଙ୍କଠାରୁ ମିଳିଥିଲା ପ୍ରେରଣା, ପ୍ରାକୃତିକ ଚାଷ ସାଜିଲା ଆତ୍ମନିର୍ଭରଶୀଳତାର ନୂଆ ମଡେଲ
ଗୁରୁ ପଦ୍ମଶ୍ରୀ ଡା. ସୁଭାଷ ପାଲେକରଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ସଞ୍ଜୀବ କୁମାର ଶର୍ମା ପ୍ରାକୃତିକ ଚାଷ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି। ପ୍ରାକୃତିକ ଚାଷର ସୂକ୍ଷ୍ମ କୌଶଳ ସେ ତାଙ୍କ ଗୁରୁଙ୍କଠାରୁ ଶିଖିବା ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ, ଯାହା ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ତାଙ୍କର ଏହି ଅଭିନବ ପ୍ରୟାସକୁ ଦେଖି ଉତ୍ତର ପ୍ରଦେଶର ଉପ-କୃଷି ନିର୍ଦ୍ଦେଶକ (ପ୍ରସାର) ଆର. କେ. ସିଂ ଏବଂ ଲକ୍ଷ୍ନୌ ନାବାର୍ଡର ମହାପ୍ରବନ୍ଧକଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ତାଙ୍କ କ୍ଷେତ ପରିଦର୍ଶନ କରି କାର୍ଯ୍ୟର ଅନୁଧ୍ୟାନ କରିସାରିଛନ୍ତି। କେବଳ ଅଧିକାରୀ ନୁହନ୍ତି, ଦେଶର ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରାକୃତିକ ଚାଷର ବ୍ୟାବହାରିକ ଜ୍ଞାନ ଆହରଣ ପାଇଁ ନିରନ୍ତର ତାଙ୍କ କ୍ଷେତକୁ ଆସୁଛନ୍ତି।
ସଞ୍ଜୀବ କୁମାର ଶର୍ମା କେବଳ ଚାଷରେ ସୀମିତ ନ ରହି, ଫସଲର ନିଜେ ପ୍ରକ୍ରିୟାକରଣ (Value Addition) ଏବଂ ସିଧାସଳଖ ବିପଣନ (Direct Marketing) କରି ଉତ୍ପାଦର ଉଚିତ୍ ମୂଲ୍ୟ ପାଇପାରୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି କୃଷି ମଡେଲ ଆଜି ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଲାଭ ଦେବା ସହ କୃଷକମାନଙ୍କ ପାଇଁ ଏକ ଶ୍ରେଷ୍ଠ ଆତ୍ମନିର୍ଭରଶୀଳ ବିକଳ୍ପ ଭାବେ ଉଭା ହୋଇଛି।