BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚାଷୀ ମୁଣ୍ଡରେ ଚଡକ

ଜଗତ୍‌ସିଂହପୁର , ୨।୧୨: ଜଗତ୍‌ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଗୁରୁବାର ମାଣବସା ଥିବାରୁ ବିଲରୁ ଧାନ ଉଠିବା ସମ୍ଭବ ନୁହେଁ। ଶୁକ୍ରବାରଠାରୁ ବର୍ଷା ଆରମ୍ଭ ହେବ। ଏ ପରିସ୍ଥିତିରେ ଚାଷୀ କେବଳ ଭାଗ୍ୟକୁ ଆଦରି ରହିଛନ୍ତି। ବାତ୍ୟା ହେଲେ ଜିଲାର ପାଖାପାଖି ୧,୩୦,୦୦୦ ଚାଷୀଙ୍କ ୮୪ ହଜାର ହେକ୍ଟର ଧାନ, ୭୭ ହେକ୍ଟର ଡାଲି ଜାତୀୟ ଓ ପନିପରିବା ଫସଲ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ଜଗତ୍‌ସିଂହପୁର ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲା ଭାବେ ଜଣାଶୁଣା। ଅକ୍ଟୋବର ଓ ନଭେମ୍ବରରେ ବର୍ଷା ଯୋଗୁ ଜିଲାର ଅଧିକାଂଶ ଅଞ୍ଚଳର କ୍ଷେତରେ ପାଣି ଜମି ରହିଥିଲା। ଏଥିଯୋଗୁ ପାଖାପାଖି ୩୧ ହଜାର ହେକ୍ଟର ଧାନ ଫସଲ ପ୍ରଭାବିତ ହୋଇଥିଲା। ବର୍ଷା ପରେ ଚାଷୀମାନଙ୍କ ଉଦ୍ୟମ ଯୋଗୁ ଧାନ ଫସଲକୁ ସୁରକ୍ଷା ଦିଆଯାଇ ପାରିଥିଲା। ଏବେ ବି ଜିଲାର ଏରସମା, କୁଜଙ୍ଗ, ବାଲିକୁଦା, ତିର୍ତ୍ତୋଲ, ନାଉଗାଁ, ବିରିଡି, ରଘୁନାଥପୁର ଓ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ କେତେକ ଅଞ୍ଚଳର ବିଲରେ ପାଣି ଅଛି। ଅଧିକାଂଶ ସ୍ଥାନରେ ପାଣି ନ ଥିଲେ ବି ମାଟି ଓଦାଳିଆ ରହିଛି। ଯେଉଁମାନଙ୍କ ଧାନ କ୍ଷତିଗ୍ରସ୍ତ ହୋଇନାହିଁ ତାହା ଭଲ ହୋଇଛି। ଏସ୍‌ଆର୍‌ସି ଓ ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମରେ ଯେଉଁ ସୂଚନା ଦିଆଯାଉଛି ତାହା ଚାଷୀଙ୍କୁ ଆଶ୍ୱସ୍ତ କରିପାରୁନାହିଁ। କାରଣ ଯେଉଁ ଧାନ ୮୫ ପ୍ରତିଶତ ପାଚି ଯାଇଥିବ ତାହା କଟାଯିବା ଯୋଗ୍ୟ ବୋଲି କୁହାଯାଉଛି। ଏତେ କମ ସମୟ ଭିତରେ ଧାନ କାଟିବା ପରେ କେଉଁଠି ସୁରକ୍ଷିତ ଭାବେ ରଖିହେବ ସେ ସମ୍ପର୍କରେ ଚାଷୀ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଖଳା, ଭାଡି ପ୍ରସ୍ତୁତ କରିବା, ତମ୍ବୁ, ଜରି ଆଦି ଯୋଗାଡ କରିବା ପ୍ରତ୍ୟେକଙ୍କ ପକ୍ଷରେ ସମ୍ଭବ ହେଉନି। ଧାନ କାଟିବା ପାଇଁ ମଧ୍ୟ ମେଶିନ କି ମୂଲିଆ ମିଳୁନାହାନ୍ତି। ଅନେକ ଚାଷୀ ମଧ୍ୟ କିଛି ନ ବୁଝି ଅଧା ପାଚିଲା ଧାନ କାଟି ପକାଉଛନ୍ତି, ଯାହାକି ପରବର୍ତ୍ତି ସମୟରେ ନଷ୍ଟ ହେବା ନିଶ୍ଚିତ। ଏ ପରିସ୍ଥିତିରେ ପ୍ରଶାସନ କେବଳ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉପରଠାଉରିଆ ସଚେତନତା ବାର୍ତ୍ତା ଦେଇ ଦାୟିତ୍ୱ ଶେଷ କରି ଦେବାକୁ ବସିଛି। ଜିଲା କୃଷି ବିଭାଗ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାରେ ବିଫଳ ହେଉଥିବା କେତେଜଣ ଚାଷୀ କହିଛନ୍ତି। ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଜଟିଳ। କୃଷି ବିଭାଗ ଓ ଡ୍ରେନେଜ୍‌ ବିଭାଗ ମଧ୍ୟରେ ସମନ୍ବୟ ରହିପାରିଲେ ସମ୍ଭାବ୍ୟ ପରିସ୍ଥିତିକୁ କେତେକାଂଶରେ ଏଡାଇ ଦିଆଯାଇ ପାରିବ ବୋଲି ମତପ୍ରକାଶ ପାଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସ କହିଛନ୍ତି, ଖରିଫରେ ହରଡ ୨ ହେକ୍ଟର, ବିରି ୪୨ ହେକ୍ଟର ସହ ଅନ୍ୟାନ୍ୟ ମିଶି ମୋଟ ୭୭ ହେକ୍ଟର ଡାଲି ଜାତୀୟ ଫସଲ ଚାଷ ହୋଇଛି। ଆସନ୍ତା ୨ରୁ ୫ ତାରିଖ ପର୍ଯ୍ୟନ୍ତ ଜିଲାରେ ବର୍ଷା, ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ହେଲେ ଜିଲାରେ ହୋଇଥିବା ସମସ୍ତ ଧାନ, ଡାଲି ଜାତୀୟ ଫସଲ ଉଜୁଡିଯିବା ଆଶଙ୍କା କରାଯାଉଛି।