BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଶିଷ୍ଟ ଚିକିତ୍ସିକା ତଥା ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଜଣେ ଲୋକପ୍ରିୟ ଚିକିତ୍ସିକା, ଜଣାଶୁଣା ସମାଜସେବୀ ତଥା ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ପରଲୋକ ହୋଇଯାଇଛି। ସମ୍ବଲପୁର ଶାନ୍ତିନଗରସ୍ଥିତ ସ୍ୱଭବନରେ ୭୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାତି ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଡାକ୍ତର ପାଣିଗ୍ରାହୀ କେବଳ ଜଣେ ରାଜନେତ୍ରୀ ନଥିଲେ, ବରଂ ସେ ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଜଣେ ଦୟାଳୁ ଡାକ୍ତର ଭାବେ ଘରେ ଘରେ ସୁପରିଚିତ ଥିଲେ।

ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜୀବନ ସେବା ଓ ସମର୍ପଣର ଏକ ପ୍ରତିଛବି ଥିଲା। ବୃତ୍ତିରେ ସେ ଜଣେ ସୁନାମଧନ୍ୟ ଡାକ୍ତର ଥିଲେ ହେଁ, ସମାଜସେବା ଥିଲା ତାଙ୍କ ଜୀବନର ଅନ୍ୟତମ ମୁଖ୍ୟ ବ୍ରତ। ଏକ ସ୍ୱତନ୍ତ୍ର ଟ୍ରଷ୍ଟ ମାଧ୍ୟମରେ ସେ ବହୁବର୍ଷ ଧରି ଗରିବ ଓ ଅସହାୟ ଲୋକଙ୍କୁ ମାଗଣା ଚିକିତ୍ସା ଏବଂ ସାହାଯ୍ୟ ଯୋଗାଇ ଦେଉଥିଲେ। ତାଙ୍କର ଏହି ନିସ୍ୱାର୍ଥପର ସେବା ମନୋବୃତ୍ତିକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୨୦୧୪ ସାଧାରଣ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନ ପାଇଁ ତାଙ୍କୁ ଟିକେଟ୍ ପ୍ରଦାନ କରାଯାଇଥିଲା। ଏହି ନିର୍ବାଚନରେ ସେ ବିପୁଳ ଜନସମର୍ଥନ ପାଇ ବିଜୟୀ ହୋଇଥିଲେ। ସୂଚନାଯୋଗ୍ୟ ଯେ, ସେ ଥିଲେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରଥମ ବିଧାୟିକା। ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଅଞ୍ଚଳର ବିକାଶ, ନାରୀ ସଶକ୍ତିକରଣ ଏବଂ ଶିକ୍ଷାର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି।

ତାଙ୍କର ଏହି ଦୁଃଖଦ ବିୟୋଗରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ବିଷୟରେ ଜାଣି ସେ ଅତ୍ୟନ୍ତ ମର୍ମାହତ। ଜଣେ ବରିଷ୍ଠ ନେତ୍ରୀ ଓ ଚିକିତ୍ସିକା ଭାବେ ସମାଜ ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ଦିବଙ୍ଗତ ଆତ୍ମାର ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ଡାକ୍ତର ପାଣିଗ୍ରାହୀ ସମ୍ବଲପୁରର ଏକ ସ୍ୱତନ୍ତ୍ର ପରିଚୟ ଥିଲେ। ଜଣେ ଜନପ୍ରତିନିଧି ହେବା ପୂର୍ବରୁ ସେ ଜଣେ ସେବାଭିମୁଖୀ ବ୍ୟକ୍ତିତ୍ୱ ଭାବେ ଲୋକଙ୍କ ହୃଦୟ ଜିତିଥିଲେ। ତାଙ୍କ ବିୟୋଗ ଓଡ଼ିଶାର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ବରିଷ୍ଠ ନେତ୍ରୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ସ୍ୱାସ୍ଥ୍ୟସେବା ସହ ଜନପ୍ରତିନିଧି ଭାବେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଡାକ୍ତର ପାଣିଗ୍ରାହୀଙ୍କ ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ସରଳ ସ୍ୱଭାବ ଏବଂ କର୍ତ୍ତବ୍ୟନିଷ୍ଠା ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ। ପଶ୍ଚିମ ଓଡ଼ିଶାର ଜଣେ ବଡ଼ ମୁରବୀଙ୍କୁ ହରାଇ ସ୍ଥାନୀୟ ଅଞ୍ଚଳରେ ଏବେ ଗଭୀର ନୀରବତା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ସମ୍ବଲପୁର ସ୍ଥିତ ବାସଭବନରେ ଶହ ଶହ ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ଼ ଜମିଛି। ଜଣେ ଦକ୍ଷ ଚିକିତ୍ସିକା ଓ ସ୍ନେହୀ ନେତ୍ରୀ ଭାବେ ସେ ସର୍ବଦା ଓଡ଼ିଶାବାସୀଙ୍କ ମନରେ ଜୀବିତ ରହିବେ।