ବାରିପଦା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଧନାପାଳ ଗ୍ରାମରେ ମଙ୍ଗଳବାର ରାତିରେ ଜଣେ ନିଶାସକ୍ତ ପୁଅ ତାଙ୍କ ବୃଦ୍ଧ ବାପା-ମା’ଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହିଭଳି ଭୟାନକ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ମୃତ ଦମ୍ପତି ହେଲେ ୮୦ ବର୍ଷ ବୟସ୍କ ହାଡ଼ିବନ୍ଧୁ ସାହୁ ଓ ୭୨ ବର୍ଷ ବୟସ୍କ ଶାନ୍ତି ସାହୁ। ଅଭିଯୁକ୍ତ ପୁଅ ହିମାଂଶୁ ସାହୁ ମାଣତ୍ରୀ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ସହ ଘର ବାହାରେ ରହୁଥିଲେ ବୋଲି ଏକାଧିକ ସ୍ଥାନୀୟ ଉତ୍ସରୁ ସୂଚନା ମିଳିଛି।
ପଡୋଶୀଙ୍କ କହିବା ଅନୁସାରେ, ହିମାଂଶୁ ସାହୁ ପ୍ରାୟ ସମୟରେ ଘରକୁ ଆସି ବାପାମା’ଙ୍କ ଝଗଡ଼ା କରୁଥିଲା। ମଙ୍ଗଳବାର ରାତିରେ ସେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପ୍ରଥମେ ରୋଗଶଯ୍ୟାରେ ଥିବା ବାପାଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା। ବୃଦ୍ଧା ମା’ ଶାନ୍ତି ସାହୁ ଏହାକୁ ବିରୋଧ କରିବାରୁ, ସେ ମା’ଙ୍କୁ ବାରଣ୍ଡାର ପାହାଚ ତଳକୁ ଠେଲି ଦେଇ ମାଙ୍କଡା ପଥରରେ ମାରି ହତ୍ୟା କରିଥିଲା।
ଘଟଣା ସନ୍ଧ୍ୟାରେ ଘଟିଥିବା ବେଳେ ପଡୋଶୀମାନେ ସକାଳ ସମୟରେ ବୈଶିଙ୍ଗା ଥାନାକୁ ଖବର ଦେଇଥିଲେ। ପରେ ପୋଲିସ, ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହତ୍ୟା ପରେ ଅଭିଯୁକ୍ତ ପୁଅ ବାରଣ୍ଡାରେ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।
ମାନବପଣିଆ ହରାଇଥିବା ଏହି ଅଭିଯୁକ୍ତ ପୁଅର ଏହିଭଳି କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବିଷୟ ପାଲଟିଛି।ଅଭିଯୁକ୍ତଙ୍କ ପତ୍ନୀ ଓ ଦୁଇ ଝିଅ ବର୍ଷକାଳ ଧରି ନଡପୁର ଗ୍ରାମରେ ରହୁଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ ପ୍ରକାଶ କରିଛି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ