ସଶକ୍ତ ଚାଷୀ, ସମୃଦ୍ଧ ଓଡ଼ିଶା: ଜଳ ଶାସନ ଓ ସମାନତା ରକ୍ଷାରେ ପାଣି ପଞ୍ଚାୟତର ବଡ଼ ପଦକ୍ଷେପ
ରାଜ୍ୟବ୍ୟାପୀ 'ପାଣି ପଞ୍ଚାୟତ ପକ୍ଷ-୨୦୨୬' ପାଳିତ: ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଲା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ଜଳ ସମ୍ପଦର ସୁପରିଚାଳନା ଓ ଚାଷୀଙ୍କ ସଶକ୍ତିକରଣ ପାଇଁ ଆୟୋଜିତ ‘ପାଣି ପଞ୍ଚାୟତ ପକ୍ଷ-୨୦୨୬’ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଗତ ୬ ଜାନୁଆରୀ ୨୦୨୬ରେ ରାଜ୍ୟର ୧୩୬ଟି ଡିଭିଜନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ପାଳିତ ହେବା ପରେ, ୧୩ ଜାନୁଆରୀଠାରୁ ଏହା ରାଜ୍ୟର ୩୦ଟି ଜିଲ୍ଲାରେ ବ୍ୟାପକ ଭାବେ ଅନୁଷ୍ଠିତ ହେଉଛି। ଜଳ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପ୍ରଗତିଶୀଳ ପଦକ୍ଷେପ ବିଷୟରେ ପାଣି ପଞ୍ଚାୟତ ସଦସ୍ୟ, ଚାଷୀ ଏବଂ ହିତାଧିକାରୀମାନଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରସାରିତ କରାଯାଇ ଜଳ ଶାସନ, ଭାଗିଦାରୀ ମୂଳକ ଜଳସେଚନ ପରିଚାଳନା ଏବଂ ତୃଣମୂଳ ସ୍ତରରେ ସମାନତା ସୁନିଶ୍ଚିତ କରିବାରେ ପାଣି ପଞ୍ଚାୟତଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରାଯାଇଛି।
ଏହି ପକ୍ଷ ପାଳନକୁ ଅଧିକ ଜନମୁଖୀ ଓ ଆକର୍ଷଣୀୟ କରିବା ପାଇଁ ବ୍ୟାନର, ପ୍ରଚାରପତ୍ର, ଲୋଗୋ, ସ୍ଲୋଗାନ ଏବଂ ସ୍ୱତନ୍ତ୍ର ଆନ୍ଥମ୍ ସହ ଶପଥ ପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୂର୍ବରୁ ୩ ଜାନୁଆରୀରେ ଆୟୋଜିତ ବିତର୍କ, ପ୍ରବନ୍ଧ, ଚିତ୍ରକଳା, କୁଇଜ୍ ଓ ମଡେଲ୍ ପ୍ରଦର୍ଶନୀ ପ୍ରତିଯୋଗିତାର କୃତି ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ, ୧୦ ଜାନୁଆରୀରେ ଅନୁଷ୍ଠିତ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବାର ବ୍ୟବସ୍ଥା ହୋଇଛି। ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ସାମଗ୍ରୀ ଏବଂ ଅଡିଓ-ଭିଜୁଆଲ୍ ଉପକରଣରେ ସଜ୍ଜିତ ‘ପାଣି ପଞ୍ଚାୟତ ରଥ’ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ୧୩ ଜାନୁଆରୀ ସୁଦ୍ଧା ଜିଲ୍ଲା ମୁଖ୍ୟାଳୟକୁ ଫେରିବ।
ଜିଲ୍ଲାସ୍ତରରେ ଆୟୋଜିତ ହେଉଥିବା ଏହି ପାଣି ପଞ୍ଚାୟତ ସମାବେଶଗୁଡ଼ିକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘କୃଷି ଯାନ୍ତ୍ରିକୀକରଣ ମେଳା’ ସହ ସମନ୍ୱୟ ରକ୍ଷା କରି ପ୍ରଦର୍ଶନୀ ମାଧ୍ୟମରେ ଚାଷୀମାନଙ୍କୁ ଆଧୁନିକ ଜଳସେଚନ କୌଶଳ ବିଷୟରେ ଅବଗତ କରାଉଛି।