ବିଶିଷ୍ଟ ଶିକ୍ଷାବିତ ପ୍ରଫେସର କ୍ଷିତି ଭୂଷଣ ଦାସଙ୍କୁ ଲାଇଫଟାଇମ ଏଚିଭମେଣ୍ଟ ଅୱାର୍ଡ
କଟକ : ବିଶିଷ୍ଟ ଶିକ୍ଷାବିତ ପ୍ରଫେସର କ୍ଷିତି ଭୂଷଣ ଦାସଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଓ ରାଜ୍ୟରେ ବାଣିଜ୍ୟ ଶିକ୍ଷାର ସମୃଦ୍ଧ ପରମ୍ପରାକୁ ଅଗ୍ରସର କରିବା ପାଇଁ ଅଲ୍ ଓଡିଶା କମର୍ସ ଆସୋସିଏସନ୍ ପକ୍ଷରୁ ଲାଇଫଟାଇମ ଏଚିଭମେଣ୍ଟ ଅୱାର୍ଡ ପ୍ରଦାନ କରି ସମ୍ମାନିତ କରାଯାଇଛି। ଏହି ସମ୍ମାନ ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକରେ ଆୟୋଜିତ ଆସୋସିଏସନର ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଦାନ କରାଯାଇଥିଲା।
ଓଡିଶାର ଏକ ପ୍ରତିଷ୍ଠିତ ଶିକ୍ଷାବିଦ୍ ଭାବେ ପ୍ରଫେସର ଡ଼ଃ କ୍ଷିତି ଭୂଷଣ ଦାସ ବର୍ତ୍ତମାନ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟରତ। ଏହି ପଦବୀ ଧାରଣ କରିଥିବା ଓଡିଶା କ୍ୟାଡରର ପ୍ରଥମ ବ୍ୟକ୍ତି ସେ। ବିଶ୍ବବିଦ୍ୟାଳୟକୁ ତାହାର ପ୍ରାରମ୍ଭିକ ପର୍ଯ୍ୟାୟରୁ ଏକ ପ୍ରତିଷ୍ଠିତ ଶିକ୍ଷନିଷ୍ଠାନ ଭାବେ ଗଢ଼ି ତୋଳିବାରେ ତାଙ୍କ ନେତୃତ୍ୱ, ଦୃଷ୍ଟିଭଙ୍ଗୀ, ସମର୍ପଣ ଓ ପ୍ରଶାସନିକ କୌଶଳ ସ୍ପଷ୍ଟ ପ୍ରମାଣ ଅଟେ।
ତାଙ୍କ ଗୌରବମୟ ଶିକ୍ଷାଜୀବନରେ ପ୍ରଫେସର ଦାସ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଧାରଣ କରିଛନ୍ତି — ଯଥା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର, ଏନସିଟିଇ (ପୂର୍ବ ଅଞ୍ଚଳ) ର ଅଧ୍ୟକ୍ଷ, ସୋସିଆଲ ସାଇଣ୍ଟିଷ୍ଟସ୍ ଅଫ ଇଣ୍ଡିଆର କଲେଜିଅମ୍ ସଦସ୍ୟ, ଏବଂ ୟୁଜିସି ଓ ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରର ବିଭିନ୍ନ କମିଟିର ସଦସ୍ୟ। ଭାରତର ରାଷ୍ଟ୍ରପତି ତଥା ବିଶ୍ବବିଦ୍ୟାଳୟ ସମୂହର ଅଧିଷ୍ଠାତ୍ରୀଙ୍କ ପ୍ରତିନିଧି ଭାବେ ସେ ଅକାଦେମିକ ଶାସନ ଓ ନୀତି ନିର୍ମାଣରେ ଉତ୍କୃଷ୍ଟ ମାନଦଣ୍ଡ ସ୍ଥାପନ କରିଛନ୍ତି।
ଜ୍ଞାନ ଓ ସମାଜ ଉନ୍ନତି ପ୍ରତି ତାଙ୍କ ଆଗ୍ରହ ତାଙ୍କ ବିସ୍ତୃତ ଗବେଷଣାକାର୍ଯ୍ୟ ପିଏଚ୍.ଡି. ଓ ଡି.ଲିଟ୍. ଉପାଧିରେ ପ୍ରତିଫଳିତ ହୋଇଛି । ସେ ଅନେକ ସ୍ପନସର୍ଡ ଗବେଷଣା ପ୍ରକଳ୍ପର ନେତୃତ୍ୱ କରିଛନ୍ତି ଏବଂ ବହୁ ସଂଖ୍ୟକ ପ୍ରକାଶନ କରିଛନ୍ତି। ଶିକ୍ଷା ଓ ଅର୍ଥନୀତି କ୍ଷେତ୍ରରେ ସରକାରୀ ନୀତି ଗଠନରେ ତାଙ୍କ ଅଂଶଗ୍ରହଣ, ଶିକ୍ଷାପ୍ରତି ସମର୍ପଣ ଓ ସେବାଭାବକୁ ପ୍ରକାଶ କରେ।
ପ୍ରଫେସର ଦାସଙ୍କ ଶୈକ୍ଷିକ ଯାତ୍ରା ଆମେରିକା, ଆଫ୍ରିକା, ୟୁରୋପ ଓ ପୂର୍ବ ଏସିଆ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି, ଯାହା ତାଙ୍କ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଷ୍ଠାର ପ୍ରମାଣ ଅଟେ। ତାଙ୍କ ଶିକ୍ଷା ପ୍ରଶାସନ ଜୀବନ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆରମ୍ଭ ହୋଇଥିଲା, ଯେଉଁଠି ସେ ବାଣିଜ୍ୟ ଓ ପରିଚାଳନ ବିଭାଗର ମୁଖ୍ୟ ଓ ଡିନ୍, ରେଜିଷ୍ଟ୍ରାର ଓ ନିଦେଶକ (ସିଡିସି) ଭାବେ କାର୍ଯ୍ୟ କରି ନୂତନତ୍ୱ ଓ ନେତୃତ୍ୱର ଉଦାହରଣ ସୃଷ୍ଟି କରିଥିଲେ।
ତାଙ୍କ ନମ୍ରତା, ଦୃଷ୍ଟିଭଙ୍ଗୀ ଓ ଉତ୍କୃଷ୍ଟତା ପ୍ରତି ଅଦମ୍ୟ ସମର୍ପଣ ପାଇଁ ପ୍ରଫେସର ଦାସ ଆଜି ପର୍ଯ୍ୟନ୍ତ ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସ୍ତ୍ରୋତ ହୋଇ ରହିଛନ୍ତି।