ପୁରୀ: ଶ୍ରୀମନ୍ଦିରର ପବିତ୍ର ମହାପ୍ରସାଦକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ପୁରୀ ଥିବା ଏକ ତାରକା ହୋଟେଲ ଡାଇନିଂରେ ଜଣେ ପର୍ଯ୍ୟଟକ ଚପଲ ପିନ୍ଧି ବସି ମହାପ୍ରସାଦ ସେବନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ଉପରେ ଭାରତୀୟ ହିନ୍ଦୁ ଭାକ୍ତମାନେ ବ୍ୟଥିତ ହୋଇ ସ୍ପଷ୍ଟ ଅସନ୍ତୋଷ ଜଣାଇଛନ୍ତି।
ଏହି ମହାପ୍ରସାଦ ପରସୁଥିବା ବ୍ରାହ୍ମଣ ମଧ୍ୟ ଏହି କାର୍ଯ୍ୟକୁ ଅନୁଚିତ ବୋଲି ବ୍ୟାଖ୍ୟା କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ସମାନ ମହତ୍ତ୍ୱ ଥିବା ମହାପ୍ରସାଦ ଏକ ଆଧ୍ୟାତ୍ମିକ ପବିତ୍ରତାର ପ୍ରତୀକ। ଏପରି ପବିତ୍ର ପଦାର୍ଥକୁ ଅନାଚାର ଭାବରେ ସେବନ କରିବା ଏବଂ ଚପଲ ପିନ୍ଧି ବସି ଖାଇବା ସଂସ୍କୃତି ବିରୋଧୀ ଓ ଅପମାନଜନକ।
ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପ୍ରଶ୍ନ କରୁଛନ୍ତି: ଜଣେ ଓଡ଼ିଆ ହୋଇ କିପରି ମହାପ୍ରସାଦ ପ୍ରତି ଏପରି ଅସମ୍ମାନ ଦେଖାଇଲେ? ସାଧାରଣ ଲୋକମାନେ ଏହି କାର୍ଯ୍ୟକୁ ନିନ୍ଦନୀୟ ବୋଲି ବ୍ୟାଖ୍ୟା କରିଛନ୍ତି।
ସମ୍ପୃକ୍ତ ହୋଟେଲ କିମ୍ବା ପର୍ଯ୍ୟଟକ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ, ସୋସିଆଲ ମିଡିଆରେ ଉଠିଥିବା ରାଗ ଓ ଆକ୍ରୋଶ ଦୃଷ୍ଟିଗୋଚର ହେଉଛି। ଏଥିପାଇଁ ପୁରୀ ପ୍ରଶାସନ କିଛି ନିଷ୍ପତ୍ତି ନେବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।
ପୂର୍ବତନ ଘଟଣାଗୁଡ଼ିକୁ ମନେ ପକାଇ ଦେଉଛି ଏହି ବିବାଦ, ଯେଉଁଠି ମହାପ୍ରସାଦ ସମ୍ମାନ ଓ ଶୁଦ୍ଧତା ନେଇ ଉଠିଥିବା ପ୍ରଶ୍ନ ସେହିପରି ସାଧାରଣ ଜନମନରେ ଭାବାବେଗ ତିବ୍ର କରିଥିଲା।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ପୁରୀ ଶ୍ରୀକ୍ଷେତ୍ରର ଏକ ହୋଟେଲରେ କିଛି ବ୍ୟକ୍ତି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରୁଥିବା ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଅଛି । ଏହି ଚିତ୍ରକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ସନ୍ଦର୍ଭରେ ଶ୍ରୀମନ୍ଦିର ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ମହାପ୍ରଭୁଙ୍କ ଦିବ୍ୟ ହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ । ଭୂମିରେ ବସି ମହାପ୍ରସାଦ ସେବନର ବିଧି ପରମ୍ପରା ଅନାଦି କାଳରୁ ରହିଆସିଛି।
ତେଣୁ ଏଭଳି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ସମସ୍ତ ଭକ୍ତ ସମାଜକୁ ବିନମ୍ର ନିବେଦନ କରାଯାଉଛି । ହୋଟେଲ ଗୁଡିକ ମଧ୍ୟ ଏଥିପାଇଁ ଦୃଷ୍ଟି ଦେବା ସହ ନିଜ ଅତିଥିଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବାକୁ ଅନୁରୋଧ ।
ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।
ଶ୍ରୀମନ୍ଦିର ଭିତରେ ଥିବା ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅର ଜଳରେ ଅବଢ଼ା ରନ୍ଧାଯାଏ । ଐତିହାସିକ ମତାନୁସାରେ ଯଯାତି କେଶରୀ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ଆରମ୍ଭ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଏହା କ୍ଷେତ୍ରାଧିଶ୍ୱରୀ ମା ବିମଳାଙ୍କୁ ଲାଗି ହେବାପରେ ମହାପ୍ରସାଦ ହୁଏ ଓ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ ।
ଜଗନ୍ନାଥଙ୍କ ଭୋଗ ଦୁଇ ଭାଗରେ ବିଭକ୍ତ ଶଙ୍ଖୁଡ଼ି ଭୋଗ ଓ ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ) । ଶଙ୍ଖୁଡ଼ି ଭୋଗ ମନ୍ଦିର ମଧ୍ୟରେ ପ୍ରସ୍ତୁତ କରାଯାଉଥିବା ବେଳେ ନିଶଙ୍ଖୁଡ଼ି ଭୋଗ ମନ୍ଦିର ବାହାରେ ପ୍ରସ୍ତୁତ ହୋଇଥାଏ । ଶୁଖିଲା ଭୋଗ ବା ଶୀତଳ ଭୋଗ ବଡ଼ ଦେଉଳରେ, ରଥ ଉପରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହୁଏ । ହେଲେ ଶଙ୍ଖୁଡିଭୋଗ କେବଳ ରଥ ଉପରକୁ ଛାଡି ବଡ଼ ଦେଉଳ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହଉଛି । ପୂର୍ବରୁ ରଥ ଉପରେ ମଧ୍ୟ ଶଙ୍ଖୁଡିଭୋଗ ହେଉଥିଲା । ୪ରୁ ଅଧିକ ମଠ ବା ଜାଗାଘର ଏହି ଶଙ୍ଖୁଡି ଭୋଗ କରୁଥିଲେ । ମାତ୍ର ୮୦ ବର୍ଷ ଧରି ଏହି ପରମ୍ପରା ବନ୍ଦ ହୋଇଯାଇଛି ।
ମହାପ୍ରସାଦ କହିଲେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ବୁଝାଇଥାଏ । ଏହାର ସେବନ ମନୁଷ୍ୟକୁ ମୁକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି । ଏହା ମାନବ ଶରୀରର କୌଣସି କ୍ଷତି କରିନଥାଏ। ମହାପ୍ରସାଦର ରନ୍ଧନଶୈଳୀକୁ ଦୃଷ୍ଟିଦେଲେ ଜାଣି ହୁଏ ଯେ, ଏହା ସମ୍ପୂର୍ଣ୍ଣ ବାମ୍ଫଦ୍ୱାରା ପ୍ରସ୍ତୁତ ହୋଇଥାଏ । ରନ୍ଧନ କାର୍ଯ୍ୟରେ ବ୍ୟବହୃତ ପରିବାରୁ ଚୋପା ଛଡ଼ା ଯାଇନଥାଏ । ମହାପ୍ରସାଦ ପ୍ରସ୍ତୁତରେ ଘିଅ ବ୍ୟତୀତ ଅନ୍ୟ କୌଣସି ତେଲ, ଗରମ ମସଲା, ପୋସ୍ତକ ଓ ଉତ୍ତେଜକ ଦ୍ରବ୍ୟ ବ୍ୟବହାର ନିଷିଦ୍ଧ । ଏଥିରେ ଆୟୁର୍ବେଦର ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ଏହାର ଅଲୌକିକତା ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଜଣେ ବ୍ୟକ୍ତି କିଭଳି ମହାପ୍ରସାଦ ସେବନ କରି ତାଙ୍କ ପେଟରେ ହୋଇଥିବା ଅନ୍ତନାଳୀ ଘା’କୁ ଭଲ କରିଥିଲେ ।
ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ କେବଳ ମାଟିପାତ୍ରରେ ରନ୍ଧନ ହୋଇଥାଏ । ଏ ଦୃଷ୍ଟିରେ ପାକ ବା ପ୍ରସାଦ ସେବନ ନିମିତ୍ତ ମାଟିପାତ୍ର ହିଁ ସର୍ବୋତ୍ତମ। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ କୁମ୍ଭକାର ନିଯୋଗ ମାଟିପାତ୍ର ତିଆରି କରି ମହାପ୍ରସାଦ ପ୍ରସ୍ତୁତି ନିମିତ୍ତ ଶ୍ରୀମନ୍ଦିରକୁ ଯୋଗାଇଥାନ୍ତି । ଶ୍ରୀମନ୍ଦିରରେ ବ୍ୟବହୃତ ମାଟିପାତ୍ରକୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି । ୧- ପାହାନ୍ତି ତାଡ଼ ୨- ମଝଲା ତାଡ଼, ୩-ଚାଟି ତାଡ଼ ,୪ ପ୍ରକାର ସରା- ବଡ଼, ପୁଳି, ପାଳି ଓ ପଟା ବ୍ୟବହୃତ ହୁଏ ।
ସମସ୍ତ ମହାପ୍ରସାଦ ପ୍ରସ୍ତୁତି ଯୋଗ୍ୟ ମାଟିପାତ୍ରର ରଙ୍ଗ ନାଲି ହିଁ ହେବା ବିଧିସମ୍ମତ । ପାକ ଯୋଗ୍ୟ ମାଟିପାତ୍ର ସମ୍ବନ୍ଧରେ “ବାମଦେବ ସଂହିତା’ ଦଶମ ଅଧ୍ୟାୟ ନବମ ଶ୍ଳୋକରୁ ତ୍ରୟୋଦଶ ଶ୍ଳୋକ ମଧ୍ୟରେ ବିଶେଷ ବର୍ଣ୍ଣିତ ହୋଇଛି । ମହାପ୍ରସାଦ ପ୍ରସ୍ତୁତିରେ କେବଳ ବୈଷ୍ଣବାଗ୍ନୀ ବ୍ୟବହୃତ ହୋଇଥାଏ ଓ ଦେବୀ ପଦ୍ମାଳୟା- ମହାଲକ୍ଷ୍ମୀ ରନ୍ଧନ କାର୍ଯ୍ୟ ସମାପନ କରିଥାନ୍ତି । ହାଣ୍ଡିଗୁଡ଼ିକ ଚକ୍ରମୁଦ୍ରା ଆକାରରେ ସଜ୍ଜିତ ହୋଇ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଏହାଛଡ଼ା ମାଟିପାତ୍ରରେ ନିମ୍ନରେ ଚକ୍ରମୁଦ୍ରା ମଧ୍ୟ ଅଙ୍କିତ ହୋଇଥାଏ ।
ମହାପ୍ରସାଦ ପ୍ରସ୍ତୁତିରେ କେବଳ ମାଟିପାତ୍ର ଉତ୍ତମ ଓ ଗ୍ରହଣୀୟ ବୋଲି କୁହାଯାଇଛି । ମାଟିପାତ୍ରରେ ଯେଉଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ ସେଥିରେ ମାଟିପାତ୍ରର କ୍ଷୟଅଂଶ ପ୍ରସାଦରେ ମିଶିବାର ସୁଯୋଗ ନ ଥାଏ । ଏତଦ୍ ବ୍ୟତୀତ ମାଟିକୁଡ଼ଆରେ କୌଣସି ସମସ୍ୟା ନଥାଏ । ଆୟୁର୍ବେଦୀୟ ମତରେ ମାଟିପାତ୍ରରେ ରନ୍ଧନ ଅନ୍ନ, ବ୍ୟଞ୍ଜନ ସର୍ବଦା ରୁଚିକର ଓ ସ୍ୱାସ୍ଥ୍ୟ ପାଇଁ ହିତକର । ମାଟିପାତ୍ରର ମହନୀୟତା ସମ୍ପର୍କରେ ସ୍କନ୍ଧ ପୁରାଣରେ ବିଶେଷ ବର୍ଣ୍ଣିତ। ଦାରୁ ବା ବୃକ୍ଷରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବା ବିଗ୍ରହ ନିର୍ମିତ ହୋଇଥାଏ ।
ମହାପ୍ରସାଦ ପ୍ରସ୍ତୁତିରେ ବୃକ୍ଷ ବା କାଷ୍ଠକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ କାଠକୁ ଜାଳେଣି ରୂପେ ବ୍ୟବହାର କରାଯାଇଥାଏ, ତାହା ସାଧାରଣତଃ କଣ୍ଟା, କ୍ଷୀରଯୁକ୍ତ ଓ ବଜ୍ର ସଦୃଶ ଓ କୀଟଦ୍ରଷ୍ଟ ହୋଇନଥିବା ଆବଶ୍ୟକ । ରୋଷଶାଳ ନିମିତ୍ତ କେଉଁ କେଉଁ କାଠ ଅଧିକ ଉପଯୁକ୍ତ ଓ ଗ୍ରହଣୀୟ । ତାହା “ବାମଦେବ ସଂହିତା’-(୯/୧୦)ରେ ଉଲ୍ଲେଖ କରାଯାଇଅଛି । ମହାପ୍ରସାଦ ପ୍ରସ୍ତୁତିରେ ପବିତ୍ର ତଥା ବିଶୁଦ୍ଧ ଜଳର ଆବଶ୍ୟକତା ଅତୀବ ଗୁରୁତ୍ୱପୂର୍ଣ୍ଣ। ତେଣୁ ଶ୍ରୀମନ୍ଦିର ରୋଷଶାଳା ନିମିତ୍ତ ଉତ୍ତର ଦିଗରେ ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅ ରହିଛି ।
ଏହି ଜଳ କେବଳ ମହାପ୍ରସାଦ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ରନ୍ଧନ କାର୍ଯ୍ୟରେ କାଠକୋଇଲା (ଅଂଗାର) ବିଞ୍ଚଣା , ରନ୍ଧା ଦଉଡ଼ି , ଡଙ୍କା , ଗାମୁଛା ,ହାତୁଆଣି , ଶିକା , ପାଣିହାଣ୍ଡି, ବାଲଟି , ଦଉଡ଼ି , କୂଅପାଣି,ଆସନ , କରେଇ , ପିଙ୍ଗଳ , ମଳା , ଭୋଗେଇ , ବାହୁଡ଼ା ଇତ୍ୟାଦି ବ୍ୟବହୃତ ହୋଇଥାଏ । ମହାପ୍ରଭୁଙ୍କ ମହାପ୍ରସାଦ ରନ୍ଧନରେ ତାଳପତ୍ରରେ ପ୍ରସ୍ତୁତ ଭୋଗେଇ ଓ ପବିତ୍ର ନଡ଼ିଆ ବୃକ୍ଷର କତାକୁ ଦଉଡ଼ିମାନ ତିଆରି କରାଯାଇ ରନ୍ଧନବେଳେ ବଡ଼ବଡ଼ ହାଣ୍ଡିକୁ ଟେକା ଯାଇଥାଏ ।
ଏହାଛଡ଼ା କୂଅରୁ ଜଳ ଉତ୍ତୋଳନ ବେଳେ ମଧ୍ୟ କତା ଦଉଡି ବ୍ୟବହାର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ମହିମା ସମ୍ପର୍କରେ ୨୬ଗୋଟି ମହାପୁରାଣ, ଉପପୁରାଣ ଓ ତନ୍ତ୍ରଶାସ୍ତ୍ରମାନଙ୍କରେ ସୁବିସ୍ତୃତ ବର୍ଣ୍ଣିତ ହୋଇଛି। ମହାପ୍ରସାଦ ପ୍ରସ୍ତୁତିରେ ତନ୍ତୁଜାତୀୟ ପରିବାକୁ ଗ୍ରହଣ କରାଯାଇଛି, ଯେଉଁଥିରେ ମାନବର ଶରୀର ସୁରକ୍ଷାକୁ ବିଶେଷ ଦୃଷ୍ଟି ଦିଆଯାଇଥାଏ । ମହାପ୍ରସାଦର ମହିମା ଦୃଷ୍ଟିଗୋଚର ହୁଏ ।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ