ବାଙ୍କୀରେ ଡାଇରିଆ: ଘୋଳପୁର ଗାଁରେ ୨୬ ଜଣ ଆକ୍ରାନ୍ତ, ନଳକୂପ ଓ ଜଳାଶୟର ପାଣି ନମୂନା ପରୀକ୍ଷା ପାଇଁ ସଂଗ୍ରହ
ବାଙ୍କୀ:କଟକ ଜିଲ୍ଲା ବାଙ୍କୀ ବ୍ଲକର କନ୍ତପହଁରା ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗାଁରେ ଡାଇରିଆ ଆତଙ୍କ ବଢ଼ିଛି। ଗତ ଦୁଇ ଦିନ ଧରି ଏଠାରେ ୨୬ ଜଣ ଲୋକ ଡାଇରିଆରେ ଆକ୍ରାନ୍ତ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଆଠଗଡ଼ ଉପଜିଲ୍ଲା ଚିକିତ୍ସାଳୟରେ ପ୍ରଥମେ ୫ ଜଣ ଭର୍ତ୍ତି ହୋଇଥିଲେ, ସେମାନଙ୍କ ମଧ୍ୟରୁ ଏବେ ଜଣେ ମାତ୍ର ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଚାରି ଜଣ ନିଜସ୍ୱ ଉଦ୍ୟମରେ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗମ୍ଭୀରତାରେ ନେଇଛି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଦଳ ଘଟଣାସ୍ଥଳକୁ ଯାଇ ଘଟଣାସ୍ଥଳକୁ ଯାଇ ରୋଗୀମାନଙ୍କର ଚିକିତ୍ସା କରିବା ସହ ଝାଡ଼ାବାନ୍ତି ପାଇଁ ଔଷଧ, ହେଲୋଜିନ ବଟିକା, ବଣ୍ଟନ କରିଥିଲେ ।
ଏହାସହ ଖୋଲା କୂଅ, ନଳକୂଅ ଗୁଡିକରେ ବ୍ଲିଚିଂ ପକାଇ ଜଳ ବିଶୋଧନ କରାଯିବ ସହ, ପାଣି ନମୂନା ପରୀକ୍ଷାଗାରକୁ ପଠାଯାଇଥିବା ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଅମରେଶ ସାହୁ । ଲୋକଙ୍କୁ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି ।
ସହରରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ସନ୍ଦେହ ଜଣାପଡ଼ିଥିବାରୁ, ପାନୀୟ ଜଳ ବିଭାଗ ପକ୍ଷରୁ ଗାଁର ସମସ୍ତ ନଳକୂପ ଓ ଜଳାଶୟର ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ପାଇବା ପରେ ଆଗାମୀ କାର୍ଯ୍ୟଯୋଜନା ନିର୍ଣ୍ଣୟ ହେବ। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ରୋଗ ପ୍ରଭାବ ଓ ପ୍ରସାର ଉପରେ ନଜର ରଖିଛନ୍ତି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ