ଓଡ଼ିଶୀ, ଭାରତନାଟ୍ୟମ ଓ ମୟୂରଭଞ୍ଜ ଛଉ ନୃତ୍ୟରେ ଦର୍ଶକ ବିଭୋର: ଧଉଳୀ-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ୨୨ତମ ଧଉଳୀ-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଅତ୍ୟନ୍ତ ମନୋଜ୍ଞ ରହିଥିଲା । ଐତିହାସିକ ଧଉଳୀ ପାହାଡ଼ର ପାଦଦେଶ ଆଜି ଓଡ଼ିଶୀ, ଭାରତନାଟ୍ୟମ ଏବଂ ମୟୂରଭଞ୍ଜ ଛଉ ନୃତ୍ୟର ତାଳେ ତାଳେ ପ୍ରକମ୍ପିତ ହୋଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଡିଡି-ଭାରତୀ ଏବଂ ଦୂରଦର୍ଶନର ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କରାଯାଇ ବିଶ୍ୱବ୍ୟାପୀ ଦର୍ଶକଙ୍କ ନିକଟରେ ପହଞ୍ଚାଯାଇଛି ।
ସନ୍ଧ୍ୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ‘ଶ୍ରୀ ଜଗନ୍ନାଥ ଅଷ୍ଟକମ୍’ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କ ଗୁଣଗାନ କରାଯାଇଥିଲା । ଏହାପରେ ଦେବୀଙ୍କ ସୃଜନଶୀଳ ଓ ବିନାଶକାରୀ ରୂପକୁ ନେଇ ‘ଶକ୍ତି’ ନୃତ୍ୟ ପରିବେଷିତ ହୋଇଥିଲା । ଏହି ନୃତ୍ୟଗୁଡ଼ିକୁ ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ ସଂରଚନା କରିଥିବା ବେଳେ ଗୁରୁ ବିଜୟ କୁମାର ଜେନା ସଙ୍ଗୀତ ସଂଯୋଜନା ଏବଂ ଗୁରୁ ବିଜୟ କୁମାର ବାରିକ ବାଦ୍ୟ ସଂଯୋଜନା କରିଥିଲେ ।
ସନ୍ଧ୍ୟାର ଦ୍ୱିତୀୟ ପ୍ରସ୍ତୁତିରେ ଗୁଜରାଟରୁ ଆସିଥିବା ଅରୂପା ଲାହିରୀ ଏବଂ ସାଥୀ କଳାକାରମାନେ ଚିତ୍ତାକର୍ଷକ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ । ଅରୂପା ଲାହିରୀଙ୍କ ନିଜସ୍ୱ ନୃତ୍ୟ ସଂରଚନାରେ ‘ପ୍ରବାହ’ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜର ନିଚୁଆପଡ଼ା ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ହରିପଦ ମହାନ୍ତଙ୍କ ନେତୃତ୍ୱରେ ‘ମନମନ୍ଥନ’ ଉପସ୍ଥାପନ କରିଥିଲେ । ହିନ୍ଦୁ ଦର୍ଶନର ଷଡ଼ରିପୁ (କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ) ଉପରେ ବିଜୟ ପ୍ରାପ୍ତ କରି କିପରି ଆଧ୍ୟାତ୍ମିକ ଶାନ୍ତି ଓ ମୋକ୍ଷ ଲାଭ କରାଯାଇପାରେ, ତାହା ଛଉ ନୃତ୍ୟ ମାଧ୍ୟମରେ ଅତି ନିଖୁଣ ଭାବେ ଚିତ୍ରିତ ହୋଇଥିଲା ।
ଏହି ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଭାରତର ପୂର୍ବତନ ମୁଖ୍ୟ ସୂଚନା ଆୟୁକ୍ତ ଶ୍ରୀ ସତ୍ୟାନନ୍ଦ ମିଶ୍ର, ସେଲ୍ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଶ୍ରୀ ରାମଜୀ ନଟରାଜନ୍, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ସମ୍ପାଦିକା ଗୁରୁ (ଡକ୍ଟର) ଅରୁଣା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଡକ୍ଟର ଶ୍ରୀନିବାସ ଘଟୁଆରୀ ଏବଂ ଡକ୍ଟର ନାଜିଆ ଆଲାମ୍ ସଫଳତାର ସହ ସଂଚାଳନ କରିଥିଲେ ।