BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଫୁସକି ଗଲା ନୂଆ ଜିଲ୍ଲା ଗଠନ ଦାବି, ମିଳିଲା ବିଜ୍ଞାପିତ ଅଞ୍ଚଳ ଏବଂ ପୌର ପରିଷଦ ଥୋପ

ଆଗକୁ ପଞ୍ଚାୟତ, ଜିଲ୍ଲା ଓ ସବ୍‌ଡିଭିଜନ ବିଭାଜନ ହେବ

ଭୁବନେଶ୍ବର: ଯାଜପୁରର ଚଣ୍ଡିଖୋଲରୁ ଆରମ୍ଭ କରି ଗଞ୍ଜାମର ଭଞ୍ଜନଗର, ଆସିକା, ମୟୂରଭଞ୍ଜର କରଞ୍ଜିଆ ପର୍ଯ୍ୟନ୍ତ ରାଜ୍ୟର ୧୬ଟି ଜିଲ୍ଲାର ୨୮ଟି ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହେଉଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ବନ୍ଦ ଡାକରା ଦିଆଯାଇଥିଲା। ସ୍ଥିତି ଏତେ ଉଗ୍ର ରୂପ ନେଲା ଯେ ତତ୍କାଳୀନ ବିଜେଡି ସରକାର ୫୭ଟି ନୂଆ ବିଜ୍ଞାପିତ ଅଞ୍ଚ(ଳ ଏନ୍‌ଏସି) ଏବଂ ୬ଟି ବିଜ୍ଞାପିତ ଅଞ୍ଚଳକୁ ପୌର ପରିଷଦ ଘୋଷଣା କରିଦେଲେ।

ଏହା ପରେ ଜିଲ୍ଲା ଦାବି କିଛି ମାତ୍ରାରେ ଥମିଲା। ହେଲେ ନିର୍ବାଚନ ପ୍ରଚାର ବେଳେ ବିରୋଧୀ ଏହି ପ୍ରସଙ୍ଗକୁ ଅସ୍ତ୍ର ଭାବେ ବ୍ୟବହାର କରି ସରକାରକୁ ଆକ୍ତାମାକ୍ତା କଲେ। ସ୍ଥିତି ସମ୍ଭାଳିବା ଲାଗି ମୟୂରଭଞ୍ଜ, ଗଞ୍ଜାମ, ସୁନ୍ଦରଗଡ଼, ବଲାଙ୍ଗୀର, କଟକ, ବାଲେଶ୍ବର ଆଦି ଜିଲ୍ଲାରେ ପ୍ରାର୍ଥୀ ହୋଇଥିବା ନେତାମାନେ ପାଦେ ଆଗକୁ ଯାଇ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଜିତିଲେ ଏହି ପ୍ରସଙ୍ଗକୁ ଜୋର୍‌ଦାର କରିବେ। ହେଲେ ଏବେ ବିଜେପି ସରକାର ଜିଲ୍ଲା ସଂଖ୍ୟା ବୃଦ୍ଧି ଲାଗି ପଦକ୍ଷେପ ନେବା ପରିବର୍ତ୍ତେ ଗତ ଦୁଇ ସପ୍ତାହରେ ୨୮ଟି ନୂଆ ଏନ୍‌ଏସି, ୭ଟି ନୂଆ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। ଏହା ସେ ଅଞ୍ଚଳର ଅସନ୍ତୋଷକୁ ପ୍ରଶମିତ କରିବ କି ରାଜନୈତିକ ପ୍ରସଙ୍ଗରେ ରୂପାନ୍ତର ହେବ, ତାହା ଉପରେ ନଜର ରହିଛି।

ଉଦାହରଣ ସ୍ବରୂପ, କଟକ ଜିଲ୍ଲାକୁ ଭାଙ୍ଗି ଆଉ ଏକ ଜିଲ୍ଲା ‘ଆଠଗଡ଼’ ଦାବି ହେଉଥିଲା। ଆଠଗଡ଼,ବଡ଼ମ୍ବା, ନରସିଂହପୁରକୁ ନେଇ ନୂଆ ଜିଲ୍ଲା ପରିକଳ୍ପନା କରାଯାଇଥିଲା। ଏ ଅଞ୍ଚଳର ଲୋକ ଏକାଠି ହୋଇ ଆନ୍ଦୋଳନ କରୁଥିଲେ। ଏବେ ବଡ଼ମ୍ବା ଓ ନରସିଂହପୁରକୁ ଏନ୍‌ଏସି ମାନ୍ୟତା ନେଇ ଚିଠା ବିଜ୍ଞପ୍ତି ଜାରି ହୋଇଛି। ଯାଜପୁର ଜିଲ୍ଲାକୁ ଭାଙ୍ଗି ଚଣ୍ଡିଖୋଲ ଜିଲ୍ଲା ଗଠନ ଦାବି ହେଉଥିଲା। ସରକାର ଚଣ୍ଡିଖୋଲକୁ ଏନ୍‌ଏସି ମାନ୍ୟତା ଦେଇଛନ୍ତି। ଜିଲ୍ଲା ଗଠନ ପାଇଁ ସବୁଠୁ ଅଧିକ ଦାବି ମୟୂରଭଞ୍ଜରୁ ହେଉଥିଲା। ଏଠାରେ ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ, ପାଞ୍ଚପିଢ଼କୁ ନୂଆ ଜିଲ୍ଲା ମାନ୍ୟତା ଦାବି କରାଯାଉଥିଲା।

ଅର୍ଥାତ୍ ମୟୂରଭଞ୍ଜକୁ ଭାଙ୍ଗି ମୋଟ୍ ୫ଟି ଜିଲ୍ଲା ଗଠନ କରିବାକୁ କୁହାଯାଉଥିଲା। ସରକାର ଅତି ସନ୍ତର୍ପଣର ସହ କରଞ୍ଜିଆକୁ ମ୍ୟୁନିସିପାଲିଟି ଏବଂ ବେତନଟି, ବାଙ୍ଗିରିପୋଷୀ, ଚିତ୍ରଦା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁରକୁ ଏନ୍‌ଏସି ଘୋଷଣା କଲେ।  କରଞ୍ଜିଆ, ଖିଚିଂ, ଯଶୀପୁରକୁ ନେଇ କରଞ୍ଜିଆ ଜିଲ୍ଲା ଦାବି ହେଉଥିବାବେଳେ ଏବେ କରଞ୍ଜିଆକୁ ମ୍ୟୁନିସିପାଲିଟି, ଖିଚିଂ, ଯଶୀପୁରକୁ ଏନ୍‌ଏସି କରାଯାଇଛି। ରାଇରଙ୍ଗପୁର ଓ ବାଙ୍ଗିରିପୋଷୀ ଏବଂ ଏହା ଆଖପାଖ ଅଞ୍ଚଳକୁ ନେଇ ରାଇରଙ୍ଗପୁର ଜିଲ୍ଲା ଦାବି ହେଉଥିବାବେଳେ ବାଙ୍ଗିରିପୋଷୀ ଏବେ ଏନ୍‌ଏସି ହୋଇଛି। କରଞ୍ଜିଆ, ଉଦଳା, ପାଞ୍ଚପିଢ଼, କପ୍ତିପଦା, ଠାକୁରମୁଣ୍ଡା ଆଦି ଅଞ୍ଚଳକୁ ନେଇ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ପାଇଁ ଦାବି ହେଉଥିଲା। ପୂର୍ବ ମୟୂରଭଞ୍ଜରେ ବେତନଟି, ଚିତ୍ରଡ଼ାକୁ ଏନ୍‌ଏସି ମାନତ୍ୟ ଦିଆଯାଇଛି। ଜିଲ୍ଲାବାସୀ ଏଥିରେ ଖୁସି ଅଛନ୍ତି କି ଜିଲ୍ଲା ଗଠନ ଦାବିରେ ଅଟଳ ରହିଛନ୍ତି, ତାହା ଜଣାପଡ଼ିନାହିଁ।

ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ଗୁରୁତ୍ବ ଦେଇଛନ୍ତି। ଆସିକା, ବ୍ରହ୍ମପୁର, ଭଞ୍ଜନଗରକୁ ଜିଲ୍ଲା ମାନ୍ୟତା ଦାବି ହେଉଥିଲା। ଏଥିରୁ ଆସିକା, ଭଞ୍ଜନଗରକୁ ରାଜ୍ୟ ସରକାର ମ୍ୟୁନିସିପାଲିଟି ଘୋଷଣା କରିଦେଲେ। ବ୍ରହ୍ମପୁର ପୂର୍ବରୁ ମହାନଗର ନିଗମ ହୋଇସାରିଛି। ଏଣୁ ଛତ୍ରପୁରରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଥିବା ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର, ପାତ୍ରପୁର ଆଦିକୁ ମିଶାଇ ବ୍ରହ୍ମପୁରକୁ ଜିଲ୍ଲା ମାନ୍ୟତା ଘୋଷଣା ଦାବି ହେଉଥିଲା। ହେଲେ ଏବେ ଛତ୍ରପୁର ଓ କବିସୂର୍ଯ୍ୟନଗର ଏନ୍ଏସିକୁ ବି ମ୍ୟୁନିସିପାଲିଟି, ପାତ୍ରପୁରକୁ ଏନ୍‌ଏସି ମାନ୍ୟତା ଦେଇଦିଆଗଲା। ଭଞ୍ଜନଗର, ଜଗନ୍ନାଥପ୍ରସାଦ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ନେଇ ଭଞ୍ଜନଗର ଜିଲ୍ଲା ଦାବି ଉଠୁଥିଲା।  ଭଞ୍ଜନଗରକୁ ମ୍ୟୁନିସିପାଲିଟି, ଜଗନ୍ନ‌ାଥପ୍ରସାଦକୁ ଏନ୍‌ଏସି ମାନ୍ୟତା ଦିଆଯାଇଛି। ଆସିକା, ପୋଲସରା ଓ ଅନ୍ୟାନ୍ୟ ଅଞ୍ଚଳକୁ ନେଇ ଋଷିକୂଲ୍ୟା (ଆସିକା) ଜିଲ୍ଲା ଦାବି ହେଉଥିଲା। ଏବେ ଆସିକା ଓ ପୋଲସରାକୁ ମ୍ୟୁନିସିପାଲିଟି ଘୋଷଣା କରାଯାଇଛି।

ପୂର୍ବରୁ ବରଗଡ଼ର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ହେଉଥିବାବେଳେ ଏହାକୁ ସବ୍‌ଡିଭିଜନ୍‌ ମାନ୍ୟତା ଦିଆଯାଇଥିଲା। ସୋହେଲାକୁ ଏବେ ଏନ୍‌ଏସି ମାନ୍ୟତା ମିଳିଛି। କଳାହାଣ୍ଡିରେ ଧର୍ମଗଡ଼କୁ ନୂଆ ଜିଲ୍ଲା ମାନ୍ୟତା ଦାବି ହେଉଥିବାବେଳେ ଏଠାରେ ଜୟପାଟଣାକୁ ଏନ୍‌ଏସି କରାଯାଇଛି। ସମ୍ବଲପୁରରେ କୁଚିଣ୍ଡାକୁ ଜିଲ୍ଲା ମାନ୍ୟତା ଦାବି ହେଉଥିବାବେଳେ ଏଠାରେ ବି ବାମରା, ରେଙ୍ଗାଲିକୁ ଏନ୍‌ଏସି ଘୋଷଣା କରାଯାଇଛି। ଯାହା ଜିଲ୍ଲା ଦାବିକୁ କମାଇବାରେ ବଡ଼ ଅସ୍ତ୍ର କୁହାଯାଉଛି।

ବଲାଙ୍ଗୀର ଜିଲ୍ଲାକୁ ଭାଙ୍ଗି ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ ଜିଲ୍ଲା ଗଠନ କରିବାକୁ ଦାବି ହେଉଥିବାବେଳେ ଏବେ ‌ଲୋଇସିଂହାକୁ ଏନ୍‌ଏସି ମାନ୍ୟତା ମିଳିଥିବାରୁ ବଲାଙ୍ଗୀର ଜିଲ୍ଲାରେ ନୂଆ ଜିଲ୍ଲା ଗଠନ ଦାବି ଆଗକୁ ଉଗ୍ର ରୂପ ନେଇପାରେ ବୋଲି ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି। ଏପଟେ ସରକାରଙ୍କ ପଦକ୍ଷେପକୁ ଲକ୍ଷ୍ୟ କରି ବିଜେଡି ସେମାନଙ୍କ ସରକାର ଅମଳରେ ଘୋଷଣା ହୋଇଥିବା ଏନ୍‌ଏସି, ମ୍ୟୁନିସିପାଲିଟିକୁ କାହିଁକି ଏବେ ତାଲିକାରେ ନେଲେନି, ସେ ନେଇ ଅସନ୍ତୋଷ ଝାଡ଼ୁଛନ୍ତି। ହେଲେ ପ୍ରସଙ୍ଗକୁ ଆଗକୁ ନେଇପାରି ନାହାନ୍ତି। ଉଲ୍ଲେଖଥାଉକି, ନୂଆ ଜିଲ୍ଲା ଘୋଷଣା ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ବିଚାରାଧୀନ ରହିଛି। କୋର୍ଟଙ୍କ ଅନୁମତିରେ ନୂଆ ଜିଲ୍ଲା ଘୋଷଣା କରିବାକୁ କୁହାଯାଇଛି। ବିଜେପି ସରକାର ଏହି ପ୍ରସଙ୍ଗରେ ନିରବ ଅଛନ୍ତି।

ନିକଟରେ ୨୮ଟି ନୂଆ ଏନ୍‌ଏସିରେ ମୋହର ମାରିଛନ୍ତି ସରକାର।  ଆହୁରି ଅନେକ ଅଞ୍ଚଳ ଏବେ ବି ଏନ୍‌ଏସି ରେସ୍‌ରେ ରହିଛନ୍ତି। ସରକାରଙ୍କ ଉପରେ ଚାପ ପକାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଛି ଆନ୍ଦୋଳନ। ଏସବୁ ଭିତରେ ଗୋଟିଏ ପାଦ ଆଗକୁ ଯାଇ ବଡ଼ ସଂକେତ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ସୁରେଶ ପୂଜାରୀ କହିଛନ୍ତି, ଏବେ ଏନ୍‌ଏସି କଲୁ । ଆଗକୁ ପଞ୍ଚାୟତ, ଜିଲ୍ଲା ଓ ସବ୍‌ଡିଭିଜନ ବିଭାଜନ ହେବ। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଭଳି ବଡ଼ ଜିଲ୍ଲା ଅଛି । କେଉଁଟା ଆଗ କରିବୁ, କେଉଁଟା ପଛେ କରିବୁ ସେନେଇ ବିଜେଡିର ପରାମର୍ଶ ଲୋଡ଼ା ନାହିଁ ।  ଏଭଳି କହି ନୂଆ ଜିଲ୍ଲା ଗଠନ ଦାବିକୁ ବଳ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

ରାଜ୍ୟରେ ନୂଆ ଜିଲ୍ଲା ଗଠନ ଦାବି ବେଶ୍‌ ପୁରୁଣା । ପୂର୍ବ ସରକାର ସମୟରେ ୨୮ ନୂଆ ଜିଲ୍ଲା ପାଇଁ ଦାବି ହୋଇଥିଲା । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ପରେ ଅନ୍ୟ ଅଞ୍ଚଳରେ ତେଜିଥିଲା ପ୍ରତିବାଦ । ହାଇକୋର୍ଟଙ୍କ ଛାଟ ବାଜିବା ପରେ ଜିଲ୍ଲା ଘୋଷଣାରେ ଲାଗିଥିଲା ବ୍ରେକ୍ । ଏବେ ବିଜେପି ସରକାର ନୂଆ ଜିଲ୍ଲା ପାଇଁ ଅଣ୍ଟା ଭିଡ଼ୁଥିବା ବେଳେ ହାଇକୋର୍ଟଙ୍କ ଅନୁମତି ନେଇଛନ୍ତି କି? ନୂଆ ଏନ୍‌ଏସି ଓ ମ୍ୟୁନିସିପାଲିଟି ମୁଆଁ ଖୁଆଇ ନୂଆ ଜିଲ୍ଲା ଦାବିକୁ କିଛି ମାତ୍ରାରେ ପ୍ରଶମିତ କରିଛନ୍ତି ସରକାର । ହେଲେ ପ୍ରଶ୍ନ ଉଠୁଛି, ନୂଆ ଜିଲ୍ଲା ଗଠନ କେବେ କରିବେ ସରକାର?