ଭୁବନେଶ୍ୱର : ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ, ଓଡିଶା ଆନୁକୂଲ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ପ୍ରଥମ ଥର ପାଇଁ ଏକ ୨୦ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଡିଏଭି ଚନ୍ଦ୍ରଶେଖରପୁର ପରିସରରେ ଉଦ୍ଘାଟିତ ହୋଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପରିବର୍ତ୍ତିତ ଶୈକ୍ଷିକ ଆବଶ୍ୟକତା ଓ ଦକ୍ଷତା ଅଭିବୃଦ୍ଧି ସହ ଜେଇଇ, ନିଟ ପରି ସର୍ବଭାରତୀୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ନିମନ୍ତେ ବିଦ୍ୟାର୍ଥୀଙ୍କୁ ପ୍ରସ୍ତୁତ କରାଇବା ତଥା ପାରସ୍ପରିକ ଜ୍ଞାନ ଆଦାନପ୍ରଦାନ ଲକ୍ଷ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ.କେ.ସି.ଶତପଥୀଙ୍କ ଦିଗ୍ଦର୍ଶନ ଓ ମୁଖ୍ୟ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ସ୍ତରୀୟ ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବବିଜ୍ଞାନ ବିଷୟରେ ସମଗ୍ର ଓଡିଶାର ଡିଏଭି ଶିକ୍ଷାନୁଷ୍ଠାନଗୁଡିକରୁ ୨୧୦ରୁ ଅଧିକ ଶିକ୍ଷକଶିକ୍ଷୟିତ୍ରୀ ଏଥିରେ ସାମିଲ୍ ହୋଇଛନ୍ତି।
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଅବସରପ୍ରାପ୍ତ ପ୍ରଶାସକ ତଥା ଡିଏଭି ଚନ୍ଦ୍ରଶେଖରପୁର ଚେୟାରମ୍ୟାନ ସନ୍ତୋଷ କୁମାର ଶତପଥୀ ନିରନ୍ତର ଜିଜ୍ଞାସାଭାବ ପୋଷଣ କରିବାକୁ ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଦେବା ସହ ଶିକ୍ଷାଦାନରେ ପୂର୍ଣ୍ଣ ସମର୍ପିତ ହେବାକୁ ପରାମର୍ଶ ଦେଇଥିଲେ। ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ.କେ.ସି.ଶତପଥୀ ତା’ଙ୍କ ବକ୍ତବ୍ୟରେ ପ୍ରଶିକ୍ଷଣର ଅଭିଜ୍ଞତା ଶ୍ରେଣୀକକ୍ଷରେ ସଂପୂର୍ଣ୍ଣ ପ୍ରୟୋଗକରି ଧାର୍ଯ୍ୟ ଲକ୍ଷ୍ୟହାସଲ ଦିଗରେ ମନନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷା ତଥା ଆଞ୍ଚଳିକ ଅଧିକାରୀ ଡ.ସୁଜାତା ସାହୁ ଆବାସିକ ପ୍ରଶିକ୍ଷଣର ମୌଳିକ ଉଦ୍ଦେଶ୍ୟ ଅବତାରଣା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ସହକାରୀ ଆଞ୍ଚଳିକ ଅଧିକାରୀ ତଥା ୟୁନିଟ୍-୮ ଡିଏଭି ଅଧ୍ୟକ୍ଷା ଈପ୍ସିତା ଦାସଙ୍କ ସମେତ ଡିଏଭି ଶିକ୍ଷାନୁଷ୍ଠାନସମୂହର ଅଧ୍ୟକ୍ଷଅଧ୍ୟକ୍ଷାଗଣ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ତଥା ଡିଏଭି ଏସ୍ସିବି ମେଡିକାଲ୍ ପବ୍ଲିକ୍ ସ୍କୁଲ, କଟକର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ୨୦ ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୦ଘଣ୍ଟାରୁ ଊର୍ଦ୍ଧ୍ବ୍ୱର୍ ଶିକ୍ଷଣ ସମୟରେ ୪ଟି ବିଷୟରେ ୩.୫ ଘଣ୍ଟା ଲେଖାଏଁ ୧୪୦ଟି ଅଧିବେଶନ, ସାପ୍ତାହିକ ପରୀକ୍ଷା, ସର୍ବଭାରତୀୟ ପ୍ରବେଶିକା ପ୍ରଶ୍ନପତ୍ରକୁ ନେଇ ମଡେଲ୍ ପରୀକ୍ଷଣ ଆଦି ସହ ଖ୍ୟାତିସମ୍ପନ୍ନ ବିଷୟବିଶାରଦଙ୍କ ଦ୍ୱାରା ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥିସହିତ ଅଂଶଗ୍ରହଣକାରୀଗଣ ୫୦ରୁ ଅଧିକ କାର୍ଯ୍ୟଫର୍ଦ୍ଦର ଆଲୋଚନା ଓ ସମାଧାନ କରିବେ। ପ୍ରକାଶଥାଉକି, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ପ୍ରତିବର୍ଷ ସମସ୍ତବର୍ଗର କର୍ମଚାରୀ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ଅଧ୍ୟକ୍ଷଅଧ୍ୟକ୍ଷାଙ୍କ ନିମନ୍ତେ ଉଜ୍ଜୀବନ କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣମାନ ନିୟମିତ ଆୟୋଜିତ ହୋଇଆସୁଛି। ଏହି ୨୦ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେଇଥିବା ସମସ୍ତ କୃତୀ ଅଂଶଗ୍ରହଣକାରୀଙ୍କୁ ଉଦ୍ଯାପନୀ ଉତ୍ସବରେ ପ୍ରମାଣପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।