ସାଂସ୍କୃତିକ ଅନୁଷ୍ଠାନ ’’ସ୍ବରାଭିଷେକ’’ ପକ୍ଷରୁ ଓଡ଼ିଶୀ ସଙ୍ଗୀତକୁ ନେଇ କାର୍ଯ୍ୟକ୍ରମ “ରାଗମଞ୍ଜରୀ”: ଚମ୍ପୁ, ଛାନ୍ଦ ଓ ଜଣାଣ ପରିବେଷିତ
ଭୁବନେଶ୍ୱର: ସ୍ଥାନୀୟ ଗୀତ ଗୋବିନ୍ଦ ସଦନ (ଜୟଦେବ ଭବନ) ଠାରେ ସାଂସ୍କୃତିକ ଅନୁଷ୍ଠାନ ’’ସ୍ବରାଭିଷେକ’’ ପକ୍ଷରୁ ଓଡ଼ିଶୀ ସଙ୍ଗୀତକୁ ନେଇ କାର୍ଯ୍ୟକ୍ରମ “ରାଗମଞ୍ଜରୀ” ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବପ୍ରଥମେ ଅନୁଷ୍ଠାନର ସଭାପତି ସ୍ୱର୍ଗତ କୁଳମଣି ଦେଓଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ତତ୍ପରେ ଅନୁଷ୍ଠାନର ତରଫରୁ ଜୀବନବ୍ୟାପୀ ସଙ୍ଗୀତ ସାଧନା ପାଇଁ ପଦ୍ମଶ୍ରୀ ଗୁରୁ ଶ୍ୟାମାମଣି ଦେବୀଙ୍କୁ “ସଙ୍ଗୀତ ଉତ୍ତୁଙ୍ଗ” ସମ୍ମାନରେ ସମ୍ମାନିତ କରାଯାଇଥିଲା।
ପରେ ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ “ଭାଗମଞ୍ଜରୀ । ଏଥିରେ ଯୁବ ଏବଂ କିଶୋର ସମୁଦାୟ ୨୦ ଜଣ କଣ୍ଠଶିଳ୍ପୀ ଓଡ଼ିଶୀ ରାଗାଙ୍ଗ, ଭାବାଙ୍ଗ, ନାଟ୍ୟାଙ୍ଗ, ଗୀତଗୋବିନ୍ଦ, ଛାନ୍ଦ, ଚମ୍ପୁ, ଇତ୍ୟାଦି ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶ୍ରୀ ଜୟଦେବଙ୍କ ଦ୍ବାରା ରଚିତ ଗୀତଗୋବିନ୍ଦ “ମାମିୟ” ଚଳିତା ବିଲୋକ୍ୟରୁ ଯାହାକୁ ପରିବେଷଣ କରିଥିଲେ ଅଭିଷେକ ପଣ୍ଡା। ପରବର୍ତ୍ତୀ ରାଗାଙ୍ଗ ପର୍ଯ୍ୟାୟରେ ଗୁରୁ ହରପ୍ରିୟା ପତିଙ୍କ ସଂଯୋଜନାରେ ୧୫ ଜଣ ଯୁବ କଣ୍ଠଶିଳ୍ପୀ ସମୂହକଣ୍ଠରେ ପରିବେଷଣ କରିଥିଲେ “ରାଗ ଜିଲ୍ୟାଣ – “ମନା ମୁ କରୁଥିଲି ଏହାଙ୍କୁ ଗୋ…” ଓ ପରେ କିଶୋର କଣ୍ଠଶିଳ୍ପୀଙ୍କ ଦ୍ବାରା ସମୂହ କଣ୍ଠରେ ପରିବେଷିତ ହୋଇଥିଲା ରାଗ ଶଙ୍କରାଭରଣ ଓ ଶିବ ବନ୍ଦନା, “ଆହେ ଶିବ ଗୌରୀ ତୁମେ..”। ରାଗ “ମୁଖାରୀ”ରେ ପଚାର ସହି ଗୋ… ଗୀତ କୁ ହେତ କଶରେ ପରିବେଷଣ କରିଥିଲେ ରଞ୍ଜନା ଓ ସାଇବିନ୍ଧା କବିସୂର୍ଯ୍ୟ ବଳଦେବ ରଥଙ୍କ ରଚନା “ସ” ଚମ୍ପୁ କୁ ପରିବେଷଣ କରିଥିଲେ ଦେବାଂଶୁ ଓ ଅରିନ୍ଦମ।
ପରେ ପରେ “ବିତିଲାତ ଯାମିନି.” ଓଡ଼ିଶୀ ଗୀତକୁ ପରିବେଷଣ କରିଥିଲେ ଶରଣ୍ୟା ମିଶ୍ର। ଭାବଙ୍ଗ ପର୍ଯ୍ୟାୟରେ ଅଶ୍ୱିନୀ ମହାନ୍ତି କଳାବତୀ ରାଗରେ “ସଙ୍ଗିନୀ ରେ ଚାହାଁ ” ପରିବେଷଣ କରିଥିବାବେଳେ ପରବର୍ତ୍ତୀ ଓଡ଼ିଶୀ ଗୀତ ଗୁଡ଼ିକ ଥିଲା ସ୍ବେତାଙ୍କ କଣ୍ଠରେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚନା “ମୋ କଳା ମାଣିକରେ, ସମ୍ଭବୀଙ୍କ କଣ୍ଠରେ ନାଟ୍ୟାଙ୍ଗି “କେତେ ଛନ୍ଦ ଜାଣେ ଲୋ ସହି.. “। ପରବର୍ତ୍ତୀ ଗୀତ ଗୁଡ଼ିକ ଥିଲା “ନ କରରେ ରାମା ମାନ…”, “କୃଷ୍ଣର ଗମନ ଦେଖ୍ ଛନ ଛନ..”, “ସଖିହେ କେଶି ମଥଳ ମୁଦାରଂ’ ଇତ୍ୟାଦି ଓଡ଼ିଶୀ ଗୀତ ଓ ଗୀତଗୋବିନ୍ଦକୁ ସମୂହ, ଏକକ ଓ ଦ୍ବେତ କଣ୍ଠରେ ପରିବେଷଣ କରିଥିଲେ ଅନୁଷ୍ଠାନର ଛାତ୍ରଛାତ୍ରୀ ଯଥା – ଧରିତ୍ରୀ, ହରପ୍ରିୟା, ବିକ୍ରମ, ସତ୍ୟଜିତ, ଅରୋବିତ୍ସା, ଜ୍ୟୋତି, ସୁମୁଳ୍, ଆଦିତ୍ୟ, ଆୟୁଷ ଓ ଶ୍ରୀଚାନ୍ଦ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ପ୍ରତିଷ୍ଠିତ ବାଦ୍ୟଶିଳ୍ପୀ ଗୁରୁ ଶ୍ରୀ ଜବାହାର ମିଶ୍ର, ଗୁରୁ ଶ୍ରୀ ଅମିତ୍ ଦାସ, ଗୁରୁ ଶ୍ରୀ ମୂରଲୀଧର ସ୍ବାଇଁ ଓ ସୌମ୍ୟକାନ୍ତ ମଲିକ।
ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସ ଓ ସମ୍ମାନିତ ଅତିଥିଭାବେ ଡ. ଚନ୍ଦ୍ରଶେଖର ହୋତା, ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ବିଶିଷ୍ଟ ଗବେଷକ କୀର୍ତ୍ତନ ନାରୟଣ ପାଢୀ, ଗୁରୁ ରାମହରି ଦାସ, ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତତ୍ତ୍ବବିତ ଓ କଣ୍ଠଶିଳ୍ପୀ ଓ କଣ୍ଠଶିଳ୍ପୀ ଡ. ସଙ୍ଗୀତା ଗୋସାଇଁ ଯୋଗଦେଇଥିବାବେଳେ ଅନୁଷ୍ଠାନର ସଭାପତି ଅଶ୍ଵିନୀ ମହାନ୍ତି, ସମ୍ପାଦିକା ହରପ୍ରିୟା ପତି, କୋଷାଧକ୍ଷ ଅକ୍ଷୟ କିଶୋର ପଣ୍ଡା ଓ ମୁଖ୍ୟ ଉପଦେଷ୍ଟା ରବୀନ୍ଦ୍ର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଲିଭା ପଣ୍ଡା।