ହଂକଂ: ପୁଣିଥରେ ଏସିଆରେ କୋଭିଡ ବିପଦ ଘନୀଭୂତ ହେବାର ସମ୍ଭାବନା ଦେଖା ଦେଉଛି। ବିଶେଷକରି ହଂକଂ ଓ ସିଙ୍ଗାପୁରରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ହଂକଂରେ ବର୍ତ୍ତମାନ ବହୁ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଓ ସଂକ୍ରମଣର ଗଭୀରତା ବଢ଼ିଛି। ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଡା. ଆଲବର୍ଟ ଆଉ କହିଛନ୍ତି ଯେ, ହଂକଂରେ ପ୍ରତି ସପ୍ତାହରେ ସର୍ବନିମ୍ନ ୩୧ ଜଣ ନୂଆ କେସ ରିପୋର୍ଟ ହେଉଛନ୍ତି ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି।
ସିଙ୍ଗାପୁରରେ ସପ୍ତାହିକ କୋଭିଡ ରୋଗୀ ସଂଖ୍ୟା ୨୮ ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ ସେଠାରେ ୧୪,୨୦୦ ରୁ ଅଧିକ କେସ ରିପୋର୍ଟ ହୋଇଛି। ହସ୍ପିଟାଲ ଭର୍ତ୍ତି ହେବା ସଂଖ୍ୟା ମଧ୍ୟ ୩୦ ପ୍ରତିଶତ ବଢ଼ିଛି। ଏହି ସମୟରେ ଥାଇଲାଣ୍ଡରେ ମଧ୍ୟ କୋଭିଡ ରିସର୍ଜେନ୍ସ ନେଇ ଚିନ୍ତା ବଢ଼ିଛି।
ଓଡ଼ିଶା ସରକାର ଏହି ପରିସ୍ଥିତିକୁ ନଜର ରଖିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସହିତ ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ କେସ ରିପୋର୍ଟ ହୋଇନଥିଲେ ମଧ୍ୟ ଆଲର୍ଟ ରହିବାକୁ କୁହାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଟେଷ୍ଟିଂ ଚାଲିଛି ଓ ବହୁ ଦିନ ହେଲେ ବି କୌଣସି ପଜିଟିଭ କେସ ଆସିନାହିଁ।
WHO ଓଡ଼ିଶାକୁ ସତର୍କ ରହିବା ପରାମର୍ଶ ଦେଇଛି, ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନୂଆ ଭୂତାଣୁ ବିଷୟରେ ନିଶ୍ଚିତ ଭାବେ କିଛି କହିପାରିବା ଯୋଗ୍ୟ ନୁହେଁ। ସିଙ୍ଗାପୁର, ଥାଇଲାଣ୍ଡ ଓ ହଂକଂରେ ମୃତ୍ୟୁ ଘଟଣା ରିପୋର୍ଟ ହେଉଛି, ଯାହା ଏହି ଉତ୍ତେଜନାକୁ ଆଉ ବଢ଼ାଇଛି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ