ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଡାକରା ଦେଇଥିବା ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଛି ଏବଂ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। କଂଗ୍ରେସକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଦେଇ ଏହି ୧୨ ଘଣ୍ଟିଆ ବନ୍ଦ ଆନ୍ଦୋନରେ ସାମିଲ ହୋଇଛନ୍ତି। କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଏହାର ପ୍ରଭାବ ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି।
ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍ସିପି, ଏସ୍ପି ଓ ଆର୍ଜେଡି ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଗୁରୁବାର ଶିକ୍ଷାନୁଷ୍ଠାନ, ପେଟ୍ରୋଲ୍ ପମ୍ପ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
କଂଗ୍ରେସର ୧୨ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ ହୋଇଯାଇଥିବା ବେଳେ ଦଳର କର୍ମୀମାନେ ରାଜ୍ୟର ମୁଖ୍ୟସ୍ଥାନଗୁଡ଼ିକରେ ଦଳୀୟ ପତାକା ଧରି ଠିଆ ହୋଇଛନ୍ତି। ସର୍ବସାଧାରଣ ଯାନବାହନ ଆଗକୁ ବଢ଼ିବାକୁ ଦେଉ ନାହାନ୍ତି। ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେବା ଆରମ୍ଭ କରିଦେଇଛନ୍ତି। ରେଳ ଷ୍ଟେସନରେ ଟ୍ରେନ୍ ଅଟକାଇବା ପାଇଁ ପ୍ରସ୍ତୁତି କରିଦେଇଛନ୍ତି। ଭୁବନେଶ୍ବର ରେଳ ଷ୍ଟେସନ ଅଭିମୁଖେ ଯାଉଥିବା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଓ ତାଙ୍କର ସହଯୋଗୀଙ୍କୁ ପୁଲିସ ଅଟକାଇଛି।
ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ଏବଂ ବିରୋଧୀ ଦଳଗୁଡ଼ିକ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳଗୁଡ଼ିକ ନିଷ୍ପତ୍ତି ନେଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର-ମଙ୍ଗଳବାର ରାତିରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ କର୍ମୀମାନେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।
କଂଗ୍ରେସ ପକ୍ଷରୁ ଜୁଲାଇ ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରିଛି। ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଜରୁରୀକାଳୀନ ସେବା ପ୍ରଭାବିତ ନହେବା ଉପରେ ଗୁରୁତ୍ୱ ଦେଇଛି।
ସୂଚନାଯୋଗ୍ୟ, ବାଲେଶ୍ବରର ଏଫଏମ୍ କଲେଜ ଛାତ୍ରୀ ନ୍ୟାୟ ନ ପାଇ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ହୁତୁହୁତୁ ହୋଇ ଖୁବ ଜୋରରେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା।
ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।
ରିପୋର୍ଟ : ଶୁଭସ୍ମିତା ପ୍ରଧାନ