BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଭିଯୋଗ ଶୁଣାଣିରେ ସମସ୍ୟାର ସମାଧାନ ସହ ମିଳିଲା ସ୍ଥାୟୀ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ପାଳି ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ସାଧାରଣ ଜନତାଙ୍କ ସମସ୍ୟାକୁ ଅତି ନିକଟରୁ ଶୁଣିବା ଏବଂ ତାହାର ତ୍ୱରିତ ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ହୋଇଯାଇଛି ୧୭ତମ ଜନ ଶୁଣାଣି କାର୍ଯ୍ୟକ୍ରମ। ୨୦୨୬ ମସିହାରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ହୋଇଥିବା ବେଳେ, ଏଠାରେ ରାଜ୍ୟର କୋଣଅନୁକୋଣରୁ ଆସିଥିବା ଶତାଧିକ ଲୋକଙ୍କୁ ଭେଟି ସେମାନଙ୍କ ଗୁହାରି ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଅଭିଯୋଗ ଶୁଣିବା ନୁହେଁ, ବରଂ ଜନଶୁଣାଣି ପୋର୍ଟାଲ ଏବଂ ଡାକ ଯୋଗେ ଆସିଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକେ ନିଜ ନିଜର ବ୍ୟକ୍ତିଗତ ତଥା ସାମୂହିକ ସମସ୍ୟା ନେଇ ପହଞ୍ଚିଥିଲେ। କେହି ପ୍ରଥମ ଥର ପାଇଁ ନିଜର ଦୁଃଖ ଜଣାଇବାକୁ ଆସିଥିଲେ ତ କେହି ପୂର୍ବରୁ ଆସିଥିବା ଅଭିଯୋଗର ଅଗ୍ରଗତି ବିଷୟରେ ଜାଣିବାକୁ ଚାହିଁଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଧୈର୍ଯ୍ୟର ସହ ଭେଟିଥିଲେ, ଯାହା ପ୍ରଶାସନ ଉପରେ ଜନସାଧାରଣଙ୍କ ଭରସାକୁ ଦ୍ୱିଗୁଣିତ କରିଛି। ଅନେକ ବକେୟା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଅବଶିଷ୍ଟ ଆବେଦନଗୁଡ଼ିକ ବର୍ତ୍ତମାନ ବିଭିନ୍ନ ସ୍ତରରେ ପ୍ରକ୍ରିୟାଧୀନ ରହିଛି ବୋଲି ସୂଚନା ମିଳିଛି।

ଏହି ଅବସରରେ କେନ୍ଦ୍ରାପଡ଼ାର ବାପା ଛେଉଣ୍ଡ ସତ୍ୟଜ୍ୟୋତି ମିଶ୍ରଙ୍କ କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଥିଲା। କୋଭିଡ ସମୟରେ କର୍ତ୍ତବ୍ୟରତ ଥାଇ ନିଜ ପିତାଙ୍କୁ ହରାଇଥିବା ସତ୍ୟଜ୍ୟୋତି ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ତାଙ୍କ ଭଳି ଅନେକ ଅନାଥ ଯୁବକ ୧୯୯୦ ମସିହାର ଅନୁକମ୍ପାମୂଳକ ନିଯୁକ୍ତି ଯୋଜନା ଅନୁଯାୟୀ ସରକାରୀ ଚାକିରି ପାଇଁ ଦାବି କରିଛନ୍ତି। କଟକ ବାଙ୍କୀର ଯୁବକ ଅମିୟ ବେକାରୀ ସମସ୍ୟା ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରି ପ୍ରାଣ ହରାଇବା ଘଟଣା ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା, ଯାହା ନିଯୁକ୍ତି ପ୍ରକ୍ରିୟାରେ ଥିବା ଜଟିଳତା ଓ ଯୁବପିଢ଼ିଙ୍କ ହତାଶାକୁ ପ୍ରତିଫଳିତ କରିଛି।

ସେହିପରି ସାଧାରଣ ସରକାରୀ ସୁବିଧା ପାଇବାରେ ବିଫଳ ହୋଇଥିବା ଲୋକଙ୍କ ଆଶାର କେନ୍ଦ୍ରବିନ୍ଦୁ ସାଜିଥିଲେ ମୋହନ ମାଝୀ। ଭୁବନେଶ୍ୱର ଭରତପୁର ଅଞ୍ଚଳର ଦିବ୍ୟାଙ୍ଗ ସିମାଞ୍ଚଳ ବିନ୍ଧାଣୀ ଗତ ୪ ବର୍ଷ ଧରି ଉଜ୍ଜ୍ୱଳା ଗ୍ୟାସ ପାଇଁ ଆବେଦନ କରି ବିଫଳ ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ଗ୍ୟାସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜଟଣୀରୁ ଆସିଥିବା ଦିବ୍ୟାଙ୍ଗ ଆଦିକନ୍ଦ ସାହୁ ମଧ୍ୟ ନିଜର ଭତ୍ତା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମାନବିକତା ଦେଖାଇ ଲୋକଙ୍କ ଦୁଃଖକୁ ବୁଝିବା ସହ ଶୀଘ୍ର ସମାଧାନର ଆଶ୍ୱାସନା ଦେଇଛନ୍ତି।

କେବଳ ସାଧାରଣ ଜନତା ନୁହଁନ୍ତି, ବରଂ ସରକାରୀ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ନିଜର ଅସୁବିଧା ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ପକ୍ଷରୁ ଥାନାରେ ହୋମଗାର୍ଡମାନଙ୍କୁ କରାଯାଉଥିବା ଦୁର୍ବ୍ୟବହାର ଓ ଉଚିତ୍ ସମ୍ମାନ ନମିଳିବା ନେଇ ସଂଘ ଗୁହାରି ଜଣାଇଛି। ଗୃହରକ୍ଷୀମାନଙ୍କୁ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ଘରୋଇ କାମରେ ନିୟୋଜିତ କରାଯିବା ଭଳି ସମ୍ବେଦନଶୀଳ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେମାନଙ୍କ ଉପରେ ହେଉଥିବା ମାନସିକ ଓ ଶାରୀରିକ ଜୁଲମ ବନ୍ଦ କରିବାକୁ ମହାସଂଘ ଦାବି କରିଛି। ମୋଟ ଉପରେ ଆଜିର ଏହି ଜନଶୁଣାଣିରେ ଶତାଧିକ ଆବେଦନକାରୀଙ୍କ ମଧ୍ୟରେ ଏକ ନୂଆ ଆଶା ସଞ୍ଚାର ହୋଇଛି। ଯେଉଁମାନଙ୍କର ସମସ୍ୟା ଆଜି ସମାଧାନ ହୋଇପାରି ନାହିଁ, ସେମାନଙ୍କର ପ୍ରତ୍ୟେକଟି ଦାବିକୁ ଗମ୍ଭୀରତାର ସହ ବିଚାର କରାଯାଇ ଉଚିତ୍ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।