ଲିନ ଡାନ୍ଙ୍କ ରେକର୍ଡ ଭାଙ୍ଗିଲେ ପ୍ରମୋଦ ଭଗତ: ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଶିଷ୍ଟ ପାରା ବ୍ୟାଡମିଣ୍ଟନ ତାରକା ପଦ୍ମଶ୍ରୀ ପ୍ରମୋଦ ଭଗତ ପୁଣିଥରେ ବିଶ୍ୱ ମଞ୍ଚରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ବାହାରିନଠାରେ ଆୟୋଜିତ ବିଡବ୍ଲ୍ୟୁଏଫ୍ (BWF) ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ପ୍ରମୋଦ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ଷଷ୍ଠ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ କ୍ରମାଗତ ଚତୁର୍ଥ ଥର ପାଇଁ ବିଶ୍ୱ ଟାଇଟଲ୍ ଜିତି ଏକ ବିରଳ ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ଏହି ବିଜୟ ପରେ ପ୍ରମୋଦ ଭଗତ ୨୪ ଫେବୃଆରୀ ୨୦୨୬ରେ ଭୁବନେଶ୍ୱର ଫେରିଥିଲେ ଏବଂ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ପ୍ରମୋଦ କଳିଙ୍ଗ ଷ୍ଟାଡ଼ିୟମକୁ ଆସିଥିଲେ ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ।
ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପୁଷ୍ପଗୁଚ୍ଛ ଓ ରୁପା ତାରକସି ନିର୍ମିତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ କହିଥିଲେ ଯେ ପ୍ରମୋଦଙ୍କ ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ; ସେ ଆମ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ଏକ ବଡ଼ ପ୍ରେରଣା। ତାଙ୍କର ଅଦମ୍ୟ ନିଷ୍ଠା ଓ ପରିଶ୍ରମ ନିଶ୍ଚୟ ଭାବେ ଆଗାମୀ ପିଢ଼ିକୁ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିବ । ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ରହି ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୃଢ଼ ମନୋବଳକୁ ପ୍ରଶଂସା କରିଥିଲେ।
କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୋଦଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କର ଏହି ବିରଳ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କ କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଆଗାମୀ ଦିନରେ ତାଙ୍କୁ ଆହୁରି ଅଧିକ ସଫଳତା ଆଣିଦେବ ଏବଂ ଏହା ରାଜ୍ୟର ଅଗଣିତ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା ହୋଇ ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ (SL3) ଏବଂ ଡବଲ୍ସ (SL3-SL4) ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି ଓ ଯୁବପିଢ଼ି ପାଇଁ ପ୍ରେରଣା ପାଲଟିଛନ୍ତି । ଓଡ଼ିଶାର ଗର୍ବ ପ୍ରମୋଦ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିଅନସିପ୍ରେ ୬ଷ୍ଠ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଚୀନର କିମ୍ବଦନ୍ତୀ ବ୍ୟାଡମିଣ୍ଟନ୍ ଖେଳାଳି ଲିନ ଡାନ୍ଙ୍କ ୫ ଥର ବିଶ୍ୱ ଚାମ୍ପିଅନ୍ ହେବାର ରେକର୍ଡକୁ ଟପି ଯାଇଛନ୍ତି। ଏହି ଐତିହାସିକ ସଫଳତା ପାଇଁ ସେ ନିଜେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।