ନୂଆଦିଲ୍ଲୀ: କେଦାରନାଥ ଧାମ ନିକଟରେ ଗୌରୀକୁଣ୍ଡ ଅଞ୍ଚଳରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ପରେ, ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଉପରେ ହେଲିକପ୍ଟର ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି। ଏହି ଦୁର୍ଘଟଣା ଖରାପ ପାଗ ଯୋଗୁ ଘଟିଥିବା କୁହାଯାଉଛି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘଟଣାକୁ ଗମ୍ଭୀରତାର ସହ ନେଇ, ହେଲିକପ୍ଟର ସେବା ପାଇଁ ଏକ କଡ଼ା ମାନକ ପ୍ରକ୍ରିୟା (ଏସଓପି) ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ହେଲିକପ୍ଟର ଉଡ଼ାଣ ପୂର୍ବରୁ ବୈଷୟିକ ଯାଞ୍ଚ ଏବଂ ପାଣି ପାଗ ବିଷୟରେ ସଠିକ୍ ସୂଚନା ଗ୍ରହଣ ବାଧ୍ୟତାମୂଳକ ହେବ।
ଏହି ଏସଓପି ପ୍ରସ୍ତୁତି ପାଇଁ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କମିଟି ହେଲିକପ୍ଟର ସେବାର ସମସ୍ତ ସୁରକ୍ଷା ଦିଗ, ବୈଷୟିକ ମାନଦଣ୍ଡ ଓ ପୂର୍ବ ଘଟିଥିବା ଦୁର୍ଘଟଣାଗୁଡ଼ିକ ଉପରେ ସମୀକ୍ଷା କରି SOP ଆବଶ୍ୟକ ରୂପରେ ସଂଶୋଧନ କରିବ।
ଏହି ଦୁର୍ଘଟଣା ପରେ ୟୁସିଏଡିଏ ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ମିଶି ଚାରିଧାମ ଯାତ୍ରାରେ ହେଲିକପ୍ଟର ସେବାକୁ ପରବର୍ତ୍ତୀ ନିର୍ଦେଶ ଆସିବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ତେବେ ହେଲିକପ୍ଟର ସେବା କେବଳ ଚାରିଧାମ ଯାତ୍ରା ସ୍ଥାନରୁ ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉପଲବ୍ଧ ହେବ।
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଜାତୀୟ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ଏବଂ ତୀର୍ଥଯାତ୍ରୀଙ୍କ ସୁରକ୍ଷା ବିପଦକୁ ଦର୍ଶାଇ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ କର୍ତ୍ତୃପକ୍ଷ ଚାରିଧାମ ଯାତ୍ରା ପାଇଁ ସମସ୍ତ ହେଲିକପ୍ଟର ସେବାକୁ ତୁରନ୍ତ ବନ୍ଦ କରିଦେଇଛନ୍ତି। ଏହା ଦ୍ବାରା କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ତୀର୍ଥଯାତ୍ରୀମାନେ ପରବର୍ତ୍ତୀ ନିର୍ଦ୍ଦେଶ ପରେ ପୁଣି ଯାତ୍ରା କରିପାରିବେ।
ଏକ ସରକାରୀ ବିବୃତ୍ତିରେ, ୟୁସିଏଡିଏ ସ୍ପଷ୍ଟ କରିଛି, ଚାରିଧାମ ଯାତ୍ରା ପାଇଁ ହେଲିକପ୍ଟର ସେବା ତୁରନ୍ତ ସ୍ଥଗିତ ରଖାଯାଇଛି। ସେବାଗୁଡ଼ିକ ଏବେ କେବଳ ସ୍ଥାନାନ୍ତର ଉଦ୍ଦେଶ୍ୟରେ ସୀମିତ ରହିବ। ମନ୍ଦିର ସ୍ଥାନରୁ ଫସି ରହିଥିବା କିମ୍ବା ଅସୁବିଧାରେ ପଡ଼ିଥିବା ତୀର୍ଥଯାତ୍ରୀମାନଙ୍କୁ ବିମାନରେ ସ୍ଥାନାନ୍ତର କରିବା ପାଇଁ ଏହା ବ୍ୟବହାର କରାଯିବ।
ୟୁସିଏଡିଏ ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି ଯେ, ତୀର୍ଥଯାତ୍ରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ଚାରିଟି ଧାର୍ମିକ ସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳଗୁଡ଼ିକୁ ନିୟୋଜିତ କରାଯାଇଛି ଏବଂ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇବାରେ ସାହାଯ୍ୟ କରିବା ପାଇଁ ଭୂମିରେ ପରିବହନ ବ୍ୟବସ୍ଥା କରାଯାଉଛି।
ଆମେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶାନ୍ତ ରହିବା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଛୁ। ଉଚ୍ଚ-ଉଚ୍ଚତାରେ ଥିବା ଧର୍ମସ୍ଥଳରେ ଥିବା ଲୋକମାନଙ୍କୁ ପରବର୍ତ୍ତୀ ସ୍ଥାନାନ୍ତର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳରେ ରହିବାକୁ ପରାମର୍ଶ ଦିଆଯାଉଛି ବୋଲି ଜଣେ ବରିଷ୍ଠ ୟୁସିଏଡିଏ ଅଧିକାରୀ କହିଛନ୍ତି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ