ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ
କୋରାପୁଟ : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଗତ ଶୁକ୍ରବାର ପୂର୍ଣ୍ଣ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଭରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଥିଲେ ଓ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ।
ତାଙ୍କ ଭାଷଣରେ ପ୍ରଫେସର ପଣ୍ଡା ଆଦି ଶଙ୍କରାଚାର୍ଯ୍ୟଙ୍କ ଜୀବନ, ତାଙ୍କର ଦାର୍ଶନିକ ଚିନ୍ତାଧାରା ଓ ଅଦ୍ୱୈତ ବେଦାନ୍ତର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ତାଙ୍କର ଗଭୀର ଜ୍ଞାନ ଓ ବ୍ରହ୍ମ ସୂତ୍ର, ବେଦ, ଉପନିଷଦ୍ ଇତ୍ୟାଦି ରେ ଥିବା ଅବଦାନରୁ ପ୍ରେରଣା ନେବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମ ଆଦି ଶଙ୍କରାଚାର୍ଯ୍ୟଙ୍କ ଛବିକୁ ପୁଷ୍ପାଞ୍ଜଳି ଦେଇ ଆରମ୍ଭ ହୋଇଥିଲା। ଏହି ଅବସରରେ ହିନ୍ଦୀ ବିଭାଗ ମୁଖ୍ୟ ଡ଼. ଚକ୍ରଧର ପ୍ରଧାନ, ଡ଼. ମନୋଜ କୁମାର ସିଂହ (ହିନ୍ଦୀ ବିଭାଗ) ଓ ସଂସ୍କୃତ ବିଭାଗର ସମସ୍ତ ଶିକ୍ଷକଗଣ ଉପସ୍ଥିତ ଥିଲେ। ହିନ୍ଦୀ ଓ ସଂସ୍କୃତ ବିଭାଗର ଅନେକ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ସଂଚାଳନା ସଂସ୍କୃତ ବିଭାଗର ଡ଼. ନବୀନ କୁମାର ପ୍ରଧାନ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଅବସରରେ ଗୀତା ଜୟନ୍ତୀ ଅନ୍ତର୍ଗତ ଗୀତା ଶ୍ଲୋକବୃତ୍ତି ଓ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ପୁରସ୍କାରରେ ସମ୍ମାନିତ ହେଇଥିଲେ।
ସଂସ୍କୃତ ବିଭାଗର ଶିକ୍ଷକ ଡ଼. ସଂଜୀବ ସରକାର, ଡ଼. ଦେବାଶିଷ କର୍ମକାର, ଡ଼. ବୀରେନ୍ଦ୍ର କୁମାର ଶାଡଙ୍ଗୀ ଓ ଶ୍ରୀ ସତ୍ୟବ୍ରତ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହନ କରିଥିଲେ। ଏହି କାର୍ଯ୍ଯକ୍ରମ ଆଦି ଶଙ୍କରାଚାର୍ଯ୍ୟଙ୍କ ମହାନ ଚିନ୍ତାଧାରାକୁ ସାଧାରଣ ଜନମାନସ ପର୍ଯ୍ୟନ୍ତ ପହଁଚେଇବା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା ଓ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଜାଗ୍ରୁତ କରିଛି ବୋଲି ବିଶ୍ଵବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ଜଣେଇଛନ୍ତି ।