BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୁବୋଧ ଜୟସ୍ବାଲ ହେଲେ ସିବିଆଇ ନିର୍ଦ୍ଦେଶକ।

ନୂଆଦିଲ୍ଲୀ,୨୬ା୫: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ୩ ଜଣିଆ ଚୟନ କମିଟି ବୈଠକରେ ତାଙ୍କ ନାମ ଚୂଡ଼ାନ୍ତ କରାଯାଇଥିଲା। ୨୦୨୨ ସେପ୍ଟେମ୍ବରରେ ଅବସର ନେବାକୁ ଥିବା ଜୟସ୍ବାଲ ୨ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି।
ସିବିଆଇ ନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଥିବାବେଳେ କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଏହି ଦାୟିତ୍ୱ ତୁଲାଉଥିଲେ। ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନୂଆ ନିର୍ଦ୍ଦେଶକଙ୍କୁ ଚୟନ କରିବା ଲାଗି ସୋମବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ ଚୟନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୯୮୫ ବ୍ୟାଚ୍‌ ମହାରାଷ୍ଟ୍ର କ୍ୟାଡର୍‌ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ସୁବୋଧ କୁମାର ଜୟସ୍ବାଲ, ସଶସ୍ତ୍ର ସୀମା ବଳ ମହାନିର୍ଦ୍ଦେଶକ କେ.ଆର୍‌. ଚନ୍ଦ୍ରା ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ(ଆଭ୍ୟନ୍ତରୀଣ ସୁରକ୍ଷା) ଭି.ଏସ୍‌.କେ. କୌମୁଦୀଙ୍କ ସମେତ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଓ୍ବାଇ.ସି. ମୋଦି (ଆସାମ-ମେଘାଳୟ କ୍ୟାଡର) ଏବଂ ରାକେଶ ଅସ୍ଥାନା (ଗୁଜରାଟ କ୍ୟାଡର)ଙ୍କ ନାମକୁ ନେଇ ବିଚାର ଚାଲିଥିଲା। ତେବେ ଚୟନ କମିଟିର ସଦସ୍ୟ ଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ୨୦୧୯ ମାର୍ଚ୍ଚର ଏକ ମାମଲାର ଅବତାରଣା କରି ଆପତ୍ତି ଉଠାଇଥିଲେ। ୬ ମାସ ମଧ୍ୟରେ ଅବସର ନେବାକୁ ଥିବା କୌଣସି ଅଧିକାରୀଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ କରାଯାଇପାରିବ ନାହିଁ ବୋଲି ସେତେବେଳେ ପ୍ରକାଶ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଜଷ୍ଟିସ୍‌ ରମନା ଉକ୍ତ ଗାଇଡ୍‌ଲାଇନ୍‌ ସମ୍ପର୍କରେ କହିବାରୁ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଉଥିବା କଂଗ୍ରେସର ଅଧୀର ରଞ୍ଜନ ଚୌଧରୀ (ଉକ୍ତ କମିଟିର ସଦସ୍ୟ) ତାଙ୍କୁ ସମର୍ଥନ କରିଥିଲେ। ଫଳରେ ଆଇନ ଅନୁସାରେ ସିବିଆଇ ମୁଖ୍ୟଙ୍କୁ ଚୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରକାଶ ଯେ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମୁଖ୍ୟ ଓ୍ବାଇ.ସି. ମୋଦି ମେ’ ଶେଷରେ ଏବଂ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମୁଖ୍ୟ ରାକେଶ ଅସ୍ଥାନା ଜୁଲାଇରେ ଅବସର ନେବେ। ଏହି ଦୁଇ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଅନୁଗତ ଭାବେ ଜଣାଶୁଣା। ଉଭୟେ ସିବିଆଇରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିବାରୁ ଏହାର ନିର୍ଦ୍ଦେଶକ ହେବା ପାଇଁ ଆଶା କରିଥିଲେ। ତେବେ ସିଜେଆଇଙ୍କ ଯୁକ୍ତି ଏବଂ ନୂଆ ସିବିଆଇ ମୁଖ୍ୟଙ୍କ ନିଯୁକ୍ତି ପରେ ଦୁହିଁଙ୍କ ଆଶା ମଉଳିଯାଇଛି।